ବାରିପଦା: ମୟୂରଭଞ୍ଜର ଏକ ପ୍ରମୁଖ ଆଧ୍ୟାତ୍ମିକ ଅନୁଷ୍ଠାନ ଗୀତାବାଣୀ ପ୍ରଚାର ସଂଘ ଆନୁକୂଲ୍ୟରେ ସ୍ଥାନୀୟ ଏମ.ପି.କେ. ବାଳିକା ଉଚ୍ଚ ବିଦ୍ୟାଳୟର ସଭାଗୃହରେ ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସ୍ତରୀୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଶ୍ରୀମଦ୍ ଭଗବଦ୍ ଗୀତା ଆବୃତ୍ତି ପ୍ରତିଯୋଗିତା ସଂଘର ସ୍ଥାୟୀ ସଭାପତି ଡାକ୍ତର ପାର୍ଥ ସାରଥୀ ଜେନାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ସଂସ୍କୃତି ଗବେଷକ ଭାଗବତ ପଣ୍ଡା ଗୀତା ପାଠର ଉପଯୋଗିତା ତଥା ଆଜିର ପ୍ରତିଯୋଗିତାର ଉଦ୍ଦେଶ୍ୟ ସମ୍ପର୍କରେ ଏକ ସାରଗର୍ଭକ ବକ୍ତବ୍ୟ ପ୍ରଦାନ କରିଥିଲେ । ଉକ୍ତ ପ୍ରତିଯୋଗିତାରେ ବିଚାରକ ଭାବେ ସମାଜସେବିକା ପ୍ରୀତିସୁଧା ତ୍ରିପାଠୀ, ଡାକ୍ତର ପାର୍ଥ ସାରଥୀ ଜେନା ଓ ବିଶିଷ୍ଟ ସଂଗୀତ ଶିଳ୍ପୀ ସୁଶ୍ରୀ ଭାରତୀ ବେବର୍ତ୍ତା ଯୋଗ ଦେଇ ପ୍ରତିଯୋଗୀମାନଙ୍କର ପ୍ରତିଭାର ମୂଲ୍ୟାୟନ କରିଥିଲେ । ଏହି ପ୍ରତିଯୋଗିତାରେ ବରିଷ୍ଠ ବିଭାଗରେ ମହାରାଜା ପୂର୍ଣ୍ଣଚନ୍ଦ୍ର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ର ସୌମ୍ୟରଂଜନ ତାଳଧି ପ୍ରଥମ, ବାରିପଦା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀ ପ୍ରୀତିପ୍ରିୟଦର୍ଶିନୀ ପୋଇ ଦ୍ୱିତୀୟସ୍ଥାନ ଅଧିକାର କରିଥିବା ବେଳେ ଶ୍ରୀମା ମହିଳା ମହାବିଦ୍ୟାଳୟର ଛାତ୍ରୀ ମୀନତି ମାର୍ଣ୍ଣି ତୃତୀୟ ସ୍ଥାନ ଅଧିକାର କରିଥିଲେ । ସେହିପରି ହାଇସ୍କୁଲ ସ୍ତରରେ ସ୍ୱାମୀ ବିବେକାନନ୍ଦ ଶିକ୍ଷାଶ୍ରମ, ଶିରିଶବଣୀର ଛାତ୍ରୀ ଅଞ୍ଜଳିକା ଦାଶ ଓ ପାର୍ବତୀ ସୋରେନ ଯଥାକ୍ରମେ ପ୍ରଥମ ଓ ଦ୍ୱିତୀୟସ୍ଥାନ ଅଧିକାର କରିଥିବା ବେଳେ ସାଇ ଆଦର୍ଶ ବିଦ୍ୟାଳୟର ଛାତ୍ରୀ ସଂଗୀତା ବେହେରା ଓ ମହାରାଣୀ ପ୍ରେମ କୁମାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀ ଶ୍ରଦ୍ଧାସୁମନ ଜେନା ଯୁଗ୍ମ ତୃତୀୟସ୍ଥାନ ଅଧିକାର କରି ପୁରସ୍କାର ପାଇବା ପାଇଁ ଯୋଗ୍ୟବିବେଚିତ ହୋଇଛନ୍ତି । ସଂଘ ତରଫରୁ ସମସ୍ତ ପ୍ରତିଯୋଗୀ ଓ ପ୍ରତିଯୋଗିନୀମାନଙ୍କୁ ସଭାପତି ଡାକ୍ତର ପାର୍ଥ ସାରଥୀ ଜେନା ଓ ମହାରାଣୀ ପ୍ରେମ କୁମାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ଲଳିତ କୁମାର ମହାନ୍ତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରତିଭା ପ୍ରମାଣ ପତ୍ର ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଡକ୍ଟର ଶଶିଧର ବିଶ୍ୱାଳ ପରିଚାଳନା କରିବା ସହିତ ପରିଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । କୃତି ପ୍ରତିଯୋଗୀମାନଙ୍କୁ ଆଗାମୀ ଅଗଷ୍ଟ ୧୫ ତାରିଖ ଦିନ ୭୯ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ଆୟୋଜିତ ହେବାକୁ ଥିବା ପୁରସ୍କାର ବିତରଣୀ ଉତ୍ସବରେ ସ୍ଥାନୀୟ ଶହୀଦ ସ୍ମୃତି ଭବନଠାରେ ଦିବସର ମୁଖ୍ୟ ଅତିଥିଙ୍କ ଦ୍ୱାରା ପୁରସ୍କୃତ କରାଯିବ ।

