ବାରିପଦା : ଦୀର୍ଘ ୪୩ବର୍ଷ ଧରି ମୟୂରଭଞ୍ଜ ଜିଲ୍ଲା ବାରିପଦାରୁ ନିରବଚ୍ଛିନ୍ନ ଭାବରେ ପ୍ରକାଶ ପାଉଥିବା ସାହିତ୍ୟ ସଂସ୍କୃତିମୂଳକ ପତ୍ରିକା “ପ୍ରତିଶ୍ରୁତି” ତରଫରୁ ସ୍ଥାନୀୟ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱ ବିଦ୍ୟାଳୟରେ ସ୍ନାତକୋତର ଓଡିଆ ଭାଷା ଓ ସାହିତ୍ୟ ବିଭାଗର ଛାତ୍ର ଛାତ୍ରୀଙ୍କ ମଧ୍ୟରେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରୋଫେସର ଡ. ବିଧୁଭୁଷଣ ମିଶ୍ରଙ୍କ ମାର୍ଗଦର୍ଶନରେ ଆୟୋଜିତ ନବପ୍ରତିଭା ସୃଜନୀ ପ୍ରୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସମାରୋହରେ ପ୍ରତିଶ୍ରୁତିର ସମ୍ପାଦକ ଭାଗବତ ପଣ୍ଡା ମୁଖ୍ୟବକ୍ତା ଭାବେ ଯୋଗଦେଇ ଭାଷା ଓ ସାହିତ୍ୟ ହିଁ ଗୋଟିଏ ଜାତିର ପରିଚୟ । ଯେଉଁ ଜାତିର ଭାଷା ଯେତେ ଉନ୍ନତ ଓ ସାହିତ୍ୟ ଯେତେ ସମୃଦ୍ଧ ସେ ଜାତି ଅନ୍ୟ ମାନଙ୍କ ନିକଟରେ ସେତିକି ଆଦୃତ ହୋଇଥାଏ । ସାଧାରଣ ମନୁଷ୍ୟ ଯାହା ଅନୁଭବ କରିପାରେ ନାହିଁ କବିର ଅନୁଭୂତିରେ ତାହା ଅଧିକରୁ ଅଧିକ ସୁନ୍ଦର ବୋଲି ବିବେଚିତ ହୋଇଥାଏ । ଆମ ଜାତିର ଅସ୍ମିତାକୁ ସୁଦୃଢ କରିବା ପାଇଁ ଆମ ଭିତରେ ଭାଷା ପ୍ରତି ସେତିକି ସମ୍ବେଦନଶୀଳତା ରହିବା ଆବଶ୍ୟକ ବୋଲି ମତଦେଇ ଛାତ୍ର ଛାତ୍ରୀମାନଙ୍କ ଭିତରେ ଥିବା ସୁପ୍ତ ପ୍ରତିଭାର ଜାଗରଣ ନିମନ୍ତେ ଏହା ଏକ ଉଦ୍ୟମ ବୋଲି ଅଭିହିତ କରି ଚେଷ୍ଟା ଓ ନିଷ୍ଠା ଥିଲେ ସଂସାରରେ କୌଣସି କାର୍ଯ୍ୟ ଅସମ୍ଭବ ନୁହେଁ ବୋଲି କହିଥିଲେ । ଉକ୍ତ କାର୍ଯ୍ୟକ୍ରମର ପୁରସ୍କାର ବିତରଣୀ ସମାରୋହରେ ବିଭାଗୀୟ ମୁଖ୍ୟ ଡ.ଶିଶିର ବେହେରା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଆଜିର ଛାତ୍ର ଛାତ୍ରୀମାନେ ଭାଷା ସାହିତ୍ୟକୁ ଜାଣିବା ପାଇଁ ପ୍ରୟାସ ଜାରି ରଖିଲେ ଭବିଷ୍ୟତରେ ସେମାନେ ଜଣେ ଜଣେ ପ୍ରତିଷ୍ଠିତ କବି ଓ ସାହିତ୍ୟିକ ହୋଇ ପାରିବେ ବୋଲି କହିବା ସହିତ ବିଶେଷ କରି ଓଡିଆ ଭାଷା ସାହିତ୍ୟ ବିଭାଗରେ ଆୟୋଜିତ ପ୍ରତିଶ୍ରୁତିର ଏହି କାର୍ଯ୍ୟକ୍ରମର ଭୂୟସୀ ପ୍ରଶଂସା କରିଥିଲେ । ଏହି ପ୍ରତିଭା ଚୟନ ପ୍ରତିଯୋଗିତାରେ ସ୍ନାତକୋତର ପ୍ରଥମ ବର୍ଷର ଛାତ୍ରୀ ରୁଲି ବେହେରା ପ୍ରଥମ, ଦ୍ୱିତୀୟ ବର୍ଷର ଛାତ୍ରୀ ବର୍ଷାରାଣୀ ଯେନା ଦ୍ୱିତୀୟ ସ୍ଥାନ ଓ ସେହି ଦ୍ୱିତୀୟ ବର୍ଷର ଛାତ୍ରୀ ମୋହିନୀ ଲକ୍ଷ୍ମୀମୂଦ୍ରା ଶତପଥୀ ତୃତୀୟ ସ୍ଥାନ ଅଧିକାରକରି ମୁଖ୍ୟ ଅତିଥିଙ୍କ ଠାରୁ ପ୍ରଶଂସା ପତ୍ର ଓ ଟ୍ରଫି ଗ୍ରହଣ କରିଥିଲେ । ପୁଣି ସେହି ଦ୍ୱିତୀୟ ବର୍ଷର ଛାତ୍ରୀ ସ୍ନେହମୟୀ ପୂଜାରୀଙ୍କୁ ସାନ୍ତନା ମୂଳକ ପୁରସ୍କାର ପ୍ରଦାନ କରାଯାଇଥିଲା । ଏହି ଭବ୍ୟ କାର୍ଯ୍ୟକ୍ରମରେ ଓଡିଆ ଭାଷା ଓ ସାହିତ୍ୟ ବିଭାଗର ସହଯୋଗୀ ପ୍ରଫେସର ଡ. ବିଚିତ୍ରନାଥ ସାହୁଙ୍କ ସମେତ ଅଧ୍ୟାପିକା ଡ.ବିନ୍ଧେଶ୍ୱରୀ କଲିଆ ଓ ଅଧ୍ୟାପକ ରାଜକୁମାର ପାତ୍ର ଏବଂ ହୃଷିକେଶ ମହାନ୍ତ ପ୍ରମୁଖ ବିଚାରକ ଭାବେ ଯୋଗଦେଇ କବିତା ଗୁଡିକର ମୂଲ୍ୟାୟନ କରିବା ସହିତ କବି ଓ କବିତା ସମ୍ପର୍କରେ ସଂକ୍ଷିପ୍ତ ବକ୍ତବ୍ୟ ପ୍ରଦାନ କରିଥିଲେ । ପରିଶେଷରେ ଅଧ୍ୟାପିକା ଡ.ବିନ୍ଧେଶ୍ୱରୀ କଲିଆ ଧନ୍ୟବାଦ ଅର୍ପଣ କରିଥିଲେ ।

