Photo for the news of mobile

କାଗଜକଲମରେ ସୀମିତ ସରକାରୀ ନିର୍ଦ୍ଦେଶ, ଶିକ୍ଷାନୁଷ୍ଠାନରେ ମୋବାଇଲ ଫୋନ ବ୍ୟାନ ଜରୁରୀ

ରାଜ୍ୟ

ଆଗରପଡ଼ା :ଆଧୁନିକ ପରମ୍ପରାକୁ ଆପଣେଇବାକୁ ଯାଇ ମନୁଷ୍ୟ ତା ରୁଚିରେ ବହୁ ପରିବର୍ତ୍ତନ ଆଣିଛି । ସମସ୍ତେ ନିଜର ଜୀବନ ଶୈଳୀକୁ ସମୟର ତାଳେ ତାଳେ ଗତିଶୀଳ କରିବାକୁ ଇଚ୍ଚା ପ୍ରକଟ କରିବାରୁ ଆବିଷ୍କୃତ ହେଲା କମ୍ପ୍ୟୁଟର ଓ ମୋବାଇଲ । ତାହା ପରେ ପୁଣି ଆରମ୍ଭ ହେଲା ଇଣ୍ଟରନେଟ୍‌ର ଯୁଗ ଓ ବର୍ତ୍ତମାନ ସମସ୍ତେ ଡିଜିଟାଲ ଯୁଗରେ ପାଦ ଥାପିଛନ୍ତି । ଉକ୍ତ ଯୁଗରେ ବିନା ମୋବାଇଲରେ ଜିବନ ଅତିବାହିତ କରିବା କଷ୍ଟକର ବ୍ୟାପାର ପାଲଟିଛି । ଏହାର ପ୍ରଭାବ ଏତେ ବଢି ଯାଇଛି ଯେ ବର୍ତ୍ତମାନ ସ୍କୁଲ ଓ କଲେଜର ଛାତ୍ରଛାତ୍ରୀଙ୍କ ହାତରେ ପଡ଼ି ଭବିଷ୍ୟତ ଅନ୍ଧକାର ହେବାର ଆଶଙ୍କା ରହୁଛି । ସେହିପରି ଶିକ୍ଷାନୁଷ୍ଠାନରେ ଯେଉଁ ପବିତ୍ରତା ରହୁଥିଲା ତାହା ମୋବାଇଲ ଫୋନର ପ୍ରବେଶ ଦ୍ୱାରା ନିଶ୍ଚିତ ଭାବରେ ବ୍ୟାଘାତ ହେଉଛି । ଶିକ୍ଷାନୁଷ୍ଠାନ ଯେଉଁ ନୈତିକତା ଓ ମୂଲ୍ୟବୋଧକୁ ନେଇ ଯୁଗ ଯୁଗ ଧରି ଠିଆ ହେଇଥିଲା ତାହା ଆଉ ରହିନାହିଁ । ହଜିଯାଉଛି ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ ଭିତରେ ପୁରୁଣା ଆଦର୍ଶ । ଛାତ୍ର ଓ ଛାତ୍ରୀଙ୍କ ଭିତରେ ମଧ୍ୟ ଗୁରୁ ଭକ୍ତି ଓ ଗୁରୁ ପାଇଁ ସମର୍ପଣର ଭାବ ଦୁର୍ଲଭ ହୋଇଯାଇଛି । ଏଥିପାଇଁ କେତେକାଂଶରେ ଶିକ୍ଷକ ଓ ଶିକ୍ଷୟିତ୍ରୀ ମଧ୍ୟ ଦାୟୀ । ସୁଚନା ଅନୁଯାୟୀ ବିଦ୍ୟାଳୟରେ ଶିକ୍ଷାଦାନ ସମୟରେ ଶ୍ରେଣୀ ଗୃହରେ କୌଣସି ଶିକ୍ଷକ ମୋବାଇଲ ଫୋନ ବ୍ୟବହାର ନକରିବା ପାଇଁ ସରକାରୀ ନିର୍ଦ୍ଦେଶ ଅଛି । ଶ୍ରେଣୀ ଗୃହକୁ ଯିବା ପୂର୍ବରୁ ନିଜ ମୋବାଇଲକୁ ପ୍ରଧାନଶିକ୍ଷକଙ୍କୁ ହନ୍ତଗତ କରିବା ନିୟମ ଥିଲେ ସୁଦ୍ଧା ଉକ୍ତ ନିୟମକୁ କେହି ପାଳନ କରୁନଥିବାରୁ ଏହା କେବଳ କାଗଜ କଲମରେ ସୀମିତ ରହିବା ଦ୍ୱାରା ଶୈକ୍ଷିକ ବାତାବରଣ ନଷ୍ଟ ହେବାରେ ଲାଗିଛି । ଏହିପରି ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ବନ୍ତ ବ୍ଳକର ବିଭିନ୍ନ ଶିକ୍ଷାନୁଷ୍ଠାନରେ । ବିଗତ ଦିନ ଅନ୍ୟ ରାଜ୍ୟରେ ଗୋଟିଏ ଦଶମ ଶ୍ରେଣୀର ଛାତ୍ର ଓ ଅନ୍ୟ ତିନି ଜଣ ମିଶି ଶିକ୍ଷୟତ୍ରୀଙ୍କ ଏକ ଭିଡ଼ିଓ ଉଠାଇବା ଓ ତାଙ୍କୁ ବ୍ଲାକମେଲ କରିବା ନଜିର ରହିଛି । ସେହିପରି ଅନେକ ସ୍ଥାନରେ ଶିକ୍ଷକଙ୍କ ଦ୍ୱାରା ଛାତ୍ରୀଙ୍କ ଭିଡିଓ ଉଠାଇବା ଓ ବ୍ଲାକମେଲ କରିବା ଖବର ମଧ୍ୟ ନଜରକୁ ଆସିଛି । ଯଦ୍ୱାରା ଗୁରୁ ଶିଷ୍ୟର ସମ୍ପର୍କରେ ବାଧା ଉପୁଜୁଛି । ସେହିପରି ଶିକ୍ଷାନୁଷ୍ଠାନରେ ପ୍ରଶ୍ନପତ୍ର ଲିକ ହେବା ଖବର ବିଭିନ୍ନ ଗଣମାଧ୍ୟମରେ ବାରମ୍ବାର ପ୍ରକାଶ ପାଉଛି । ଯଦ୍ୱାରା ବହୁ ମେଧାବୀ ଛାତ୍ରଙ୍କ ଭବିଷ୍ୟତ ଉପରେ ଏହାର ପ୍ରଭାବ ପଡୁଛି । ତେଣୁ ଏହିପରି ଅଘଟଣା ଗୁଡିକୁ ଆଖିରେ ରଖି ଯଦି ମୋବାଇଲ ଫୋନକୁ ଶିକ୍ଷାନୁଷ୍ଠାନରେ ବ୍ୟାନ କରାଯାଏ ତାହା ହେଲେ ମୋବାଇଲ ଫୋନ ଦ୍ୱାରା ଘଟୁଥିବା ଅଘଟଣ ଉପରେ ରୋକ ଲଗାଯାଇପାରନ୍ତା । ବିଶ୍ୱର ଅନେକ ଦେଶର ସ୍କୁଲ ଓ କଲେଜରେ ମୋବାଇଲ ଫୋନକୁ ବ୍ୟାନ କରାଯାଇଛି । ଆମେରିକା ସହିତ ଅନ୍ୟ କିଛି ଦେଶରେ ମୋବାଇଲ ଫୋନକୁ ଶିକ୍ଷାନୁଷ୍ଠାନ ଭିତରେ ସ୍ଥାନ ଦିଆଯାଉ ନାହିଁ କି ମୋବାଇଲ ଫୋନକୁ ସେଠାକୁ ନେବା ପାଇଁ ଅନୁମତି ମଧ୍ୟ ଦିଆ ଯାଇନାହିଁ । ତେଣୁ ଆଗାମୀ ଦିନରେ ଆମ ଦେଶ ତଥା ରାଜ୍ୟର କୌଣସି ଶିକ୍ଷାନୁଷ୍ଠାନରେ ଏକ ବଡ ଧରଣର ଅଘଟଣ ଘଟିବାକୁ ପ୍ରତୀକ୍ଷା ନକରି ଶିକ୍ଷାନୁଷ୍ଠାନରେ ମୋବାଇଲ ଫୋନର ବ୍ୟବହାର ଉପରେ ପ୍ରତିବନ୍ଧ ଲଗାଇବା ଜରୁରୀ ହୋଇପଡ଼ିଛି । କେବଳ ଛାତ୍ରଛାତ୍ରୀଙ୍କ ମୋବାଇଲ ଫୋନ୍ ବ୍ୟବହାରରେ କଟକଣା କଲେ ହେବନାହିଁ । ଶିକ୍ଷକ ଓ ଶିକ୍ଷୟତ୍ରୀ ମଧ୍ୟ ଶିକ୍ଷାନୁଷ୍ଠାନରେ ଏହାକୁ ବ୍ୟବହାର କରିବାରୁ ଯେପରି ନିବୃତ ରହିବେ ଓ ସରକାରୀ ନିର୍ଦ୍ଦେଶକୁ ଯେପରି ମାନିବେ ସେଥିପ୍ରତି ବିଭାଗୀୟ ଅଧିକାରୀ କଡ଼ା ଆଭିମୁଖ୍ୟ ଗ୍ରହଣ କରିବା ମଧ୍ୟ ଅତ୍ୟନ୍ତ ଜରୁରୀ ହୋଇପଡ଼ିଛି । ସେହିପରି ସରକାର ପିଲାଙ୍କ ଭବିଷ୍ୟତକୁ ଆଖି ଆଗରେ ରଖି ଶିକ୍ଷାନୁଷ୍ଠାନରେ ମୋବାଇଲ ଫୋନ ବ୍ୟବହାର ପ୍ରତି କଟକଣା ଲାଗୁ କରିବାକୁ ନିୟମ ପ୍ରଣୟନ କରିବା ପାଇଁ ବିଭିନ୍ନ ମହଲରୁ ଦାବି ହେଉଛି ।

ସେମାନେ ଯାହା କହନ୍ତି…
୦୧.ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ନିମନ୍ତେ ମୋବାଇଲ ଫୋନର କୌଣସି ଆବଶ୍ୟକତା ନାହିଁ । ସେମାନଙ୍କ ପାଇଁ ସରକାରଙ୍କ ଦ୍ୱାରା ସ୍ମାର୍ଟ କ୍ଲାସ ରୁମ,କମ୍ପ୍ୟୁଟର ଲ୍ୟାବ ଆଦିର ବ୍ୟବସ୍ଥା ରହିଛି । କିନ୍ତୁ ବିଦ୍ୟାଳୟରେ ଘଟୁଥିବା ଦୈନିକ ଘଟଣାବଳିର ତଥ୍ୟ ବିଭାଗୀୟ ଉଚ୍ଚପଦସ୍ଥ ଅଧିକାରୀଙ୍କୁ ପ୍ରଦାନ ପାଇଁ ସରକାର କିଛି ନିତିନିୟମ ଲାଗୁ କରିଥିବାରୁ ପ୍ରଧାନଶିକ୍ଷକଙ୍କ ନିମନ୍ତେ ମୋବାଇଲ ଫୋନର ଆବଶ୍ୟକତା ରହିଛି । ଅନ୍ୟ ଶିକ୍ଷକଙ୍କ ପାଇଁ ଏହାର କୌଣସି ଆବଶ୍ୟକତା ନାହିଁ । ସରକାରୀ ସ୍ତରରେ ଏଥିପାଇଁ ନିୟମ ପ୍ରଣୟନ ହୋଇଥିଲେ ସୁଦ୍ଧା ଏହାକୁ ବହୁ ଶିକ୍ଷକ ମାନୁ ନାହାନ୍ତି । ତେଣୁ ଏହିପରି ଅଭିଯୋଗ ଆସିଲେ ବିଭାଗୀୟ ଉଚ୍ଚପଦସ୍ଥ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇ ସଂପୃକ୍ତ ଶିକ୍ଷକଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଅନୁରୋଧ କରାଯିବ ।

1

(ନିରଜଂନ ଖିଲାର, ସିଆରସିସି, ତୋଫାବିବି କ୍ଲଷ୍ଟର)

 

୦୨.ଶିକ୍ଷାନୁଷ୍ଠାନରେ ମୋବାଇଲ ଫୋନ ବ୍ୟବହାରକୁ ବ୍ୟାନ କରିବା ଜରୁରୀ କାରଣ କୁନିକୁନି ପିଲାମାନଙ୍କ ଉପରେ ଏହାର ପ୍ରଭାବ ପଡ଼ିବା ସୁନିଶ୍ଚିତ । ପ୍ରାଥମିକ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବା ଓ ପିଲାଙ୍କୁ ବିଦ୍ୟାଳୟକୁ ଆକୃଷ୍ଟ କରିବା ପାଇଁ ସରକାର ବିଭିନ୍ନ ପ୍ରକାର ଯୋଜନା ପ୍ରଣୟନ କରୁଥିବାରୁ ଶିକ୍ଷାନୁଷ୍ଠାନରେ ଶିକ୍ଷକ ଓ ଛାତ୍ରଛାତ୍ରୀ ଉଭୟ ମୋବାଇଲ ଫୋନ ବ୍ୟବହାରରୁ ନିବୃତ୍ତ ନରହିଲେ ସରକାରଙ୍କ ଯୋଜନାର ସଫଳ ରୁପାୟନରେ ଏହା ପ୍ରତିବନ୍ଧକ ସାଜିବା ସୁନିଶ୍ଚିତ ।

2

(ପ୍ରଭାତ ନାୟକ, ସହକାରୀ ଶିକ୍ଷକ, ଆପ୍ତିରା ୟୁଜିମଇ ସ୍ଖୁଲ, ଆପ୍ତିରା)

୦୩. କମ୍ପ୍ୟୁଟର ଯୁଗରେ ମୋବାଇଲ ଫୋନର ଆବଶ୍ୟକତା ବୃଦ୍ଧି ପାଇଥିଲେ ସୁଦ୍ଧା ଶିକ୍ଷାନୁଷ୍ଠାନରେ ଏହାର ବ୍ୟବହାରକୁ ବ୍ୟାନ କରିବା ଜରୁରୀ । ଏହା ଉପରେ କୌଣସି ପ୍ରତିବନ୍ଧକ ନଥିବାରୁ ଶିକ୍ଷା ପରିସରରେ ଛାତ୍ର ଓ ଶିକ୍ଷକଙ୍କ ସମ୍ପର୍କରେ ଏହାର କୁ ପ୍ରଭାବ ପଡ଼ିବା ସହ ଏକ ପବିତ୍ର ସମ୍ପର୍କରେ ତିକ୍ତତା ସୃଷ୍ଟି ହେଉଛି । ତେଣୁ ବିଭିନ୍ନ ଦୃଷ୍ଟି କୋଣରୁ ଏହା ଉପରେ ରୋକ୍ ଲାଗିବା ଜରୁରୀ ।

Vinod

(ବିନୋଦ କୁମାର ଧଳ ସାମନ୍ତ, ନିର୍ଦ୍ଦେଶକ, କଳିଙ୍ଗ କମ୍ପ୍ୟୁଟର୍ସ, ଆଗରପଡ଼ା)

୦୪.ଶିକ୍ଷାନୁଷ୍ଠାନପରି ଏକ ପବିତ୍ର ସ୍ଥାନରେ ମୋବାଇଲ ଫୋନ ବ୍ୟବହାରକୁ ବ୍ୟାନ କରାନଗଲେ ମଣିଷ ଗଢା କାରଖାନାରେ ଗୁରୁ ଓ ଶିଷ୍ୟଙ୍କ ସଂପର୍କରେ ଅବନତି ଘଟିବା ସୁଚିଶ୍ଛିତ । ତେଣୁ ଏହା ଉପରେ ରୋକ୍ ଲାଗିବା ଜରୁରୀ ।

Rew

(ମନ୍ମଥ ଦାଶ, ଯୁବ ସମାଜସେବୀ, ଆଗରପଡ଼ା)

Shrutilipi ad