ଆଗରପଡ଼ା :ଭଦ୍ରକ ଜିଲ୍ଲା ବନ୍ତ ବ୍ଲକରେ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥାରେ ଚାଲିଛି ବଡ ଅନିୟମିତତା । ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରଧାନମନ୍ତ୍ରୀ ପୋଷଣ ଶକ୍ତି ନିର୍ମାଣ କାର୍ଯ୍ୟକ୍ରମରେ ସ୍କୁଲରେ ମଧ୍ୟାହ୍ନ ଭୋଜନ ଦିଆଯାଉଥିବା ବେଳେ ପ୍ରତିଦିନ ଏହି ବ୍ୟବସ୍ଥାରେ ଅନିୟମିତତା କରାଯାଉଥିବା ଅଭିଯୋଗ ହେଉଛି । ଉପସ୍ଥାନରେ ତାଳମେଳ ନରଖି, ଚାଉଲ, ଡାଲି ଓ ଅନ୍ୟ ସାମଗ୍ରୀରେ ହେରାଫେରୀ କରି କେତେକ ସ୍କୁଲରେ ଛାତ୍ରଛାତ୍ରୀଙ୍କ ଟଙ୍କା ହଡପ ହେଉଥିବା ବେଳେ ଆଉ କିଛି ସ୍କୁଲରେ ଭଲ ଖାଦ୍ୟ ପ୍ରଦାନ ଓ ଏହି ବ୍ୟବସ୍ଥାର ସୁପରିଚାଳନା ପାଇଁ ଛାତ୍ରଛାତ୍ରୀଙ୍କ ଉପସ୍ଥାନରେ ଜାଲିଆତି କରାଯାଉଥିବା ଅଭିଯୋଗ ହେଉଛି । ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ସ୍କୁଲରେ ମଧ୍ୟାହ୍ନ ଭୋଜନ ପ୍ରଦାନ କରାଯାଇଥାଏ । ପ୍ରଧାନମନ୍ତ୍ରୀ ପୋଷଣ ଶକ୍ତି ନିର୍ମାଣ ଯୋଜନାରେ ଏହା କାର୍ଯ୍ୟକାରୀ ହେଉଥିବା ବେଳେ ଏଥିରେ ଭଦ୍ରକ ଜିଲ୍ଲା ବନ୍ତ ବ୍ଲକରେ ପ୍ରତିଦିନ ହେରାଫେରୀ ହେଉଥିବା ଅଭିଯୋଗ ହେଉଛି । ନିୟମାନୁସାରେ ପ୍ରତିଦିନ ସ୍କୁଲ ଉପସ୍ଥାନକୁ ନେଇ ପ୍ରଧାନଶିକ୍ଷକ ରିପୋର୍ଟ ପ୍ରସ୍ତୁତ କରିଥାନ୍ତି ଓ ଏହି ରିପୋର୍ଟ ଅନୁସାରେ ସେହି ଦିନ ସେତିକି ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟାହୁଭୋଜନ ପ୍ରସ୍ତୁତ କରାଯାଇଥାଏ । ତେବେ ଅଭିଯୋଗ ଅନୁସାରେ ବ୍ଲକର ବିଭିନ୍ନ ସ୍କୁଲ ପ୍ରଧାନଶିକ୍ଷକ ଚଂଚକତା ମନୋବୃତ୍ତିନେଇ ଅଧିକ ସଂଖ୍ୟାରେ ଉପସ୍ଥାନ ରିପୋର୍ଟ ପ୍ରଦାନ କରୁଥିବା ଅଭିଯୋଗ ହେଉଛି । ଫଳରେ ଉପସ୍ଥାନ ଅଧିକ ଦେଖାଇ ସେହି ଅନୁପାତରେ ଖର୍ଚ୍ଚ ଦେଖାଇ ବାକିତକ ଟଙ୍କା ବାଟମାରଣା କରୁଥିବା ଅଭିଯୋଗ ହେଉଛି । କିଛି ସ୍କୁଲରେ ନିମ୍ନମାନର ମଧ୍ୟାହ୍ନ ଭୋଜନ ଦିଆଯାଉଥିବାରୁ ଅନେକ ଛାତ୍ରଛାତ୍ରୀ ସ୍କୁଲ ରେ ନଖାଇ ଘରେ ଖାଉଥିବା ଅଭିଯୋଗ ହେଉଛି । ତଥାପି ସେମାନଙ୍କ ନାମରେ ଖାଇବା ଦିଆଯାଇଥିବା ଦର୍ଶାଇ ଟଙ୍କା ହଡ଼ପ କରାଯାଇଥିବା ଜଣାପଡ଼ିଛି । ସେହିପରି ଆଉ କେତେକ ସ୍କୁଲରେ ମଧ୍ୟାହ୍ନ ଭୋଜନ ମାନରେ ଉନ୍ନତି ଆଣିବାକୁ ୁ ଉଦ୍ୟମ କରାଯାଇଥିବା ମଧ୍ୟ ଦେଖିବାକୁ ମିଲିଛି । ସେହିସବୁ ସ୍କୁଲରେ ଉପସ୍ଥାନ ରିପୋର୍ଟରେ ଅଧିକ ଉପସ୍ଥାନ ଦେଖାଯାଉଛି ସତ କିନ୍ତୁ ଅନୁପସ୍ଥିତଛାତ୍ରଛାତ୍ରୀଙ୍କ ଭୋଜନକୁ ହଡପ ନକରି ଉପସ୍ଥିତ ଥିବା ଛାତ୍ରଛାତ୍ରୀଙ୍କୁ ଭଲ ଖାଇବା ଦିଆଯାଉଥିବା ଦେଖିବାକୁ ମିଳୁଛି । ଯାହାଜି ଏକ ଭଲ ପ୍ରଚେଷ୍ଠା । ସରକାରୀ ଖାଦ୍ୟ ସାରଣୀ ଅନୁସାରେ ଭାତ ସହ ଗୋଟିଏ ଦିନ ଡାଲମା, ଦୁଇ ଦିନ ସୋୟାବିନ ଓ ଅନ୍ୟ ତିନି ଦିନ ଅଣ୍ଡା ଦିଆଯାଇଥାଏ । ଏହା ସହିତ ତିନି ଦିନ ପୋଷଣଯୁକ୍ତ ଲଢ଼ୁ ପରସା ଯାଇଥାଏ । ଚଳିତ ବର୍ଷରୁ ଏଥିପାଇଁ ପ୍ରାଇମେରୀ ଛାତ୍ରଛାତ୍ରୀଙ୍କ ପାଇଁ ଉପସ୍ଥାନ ପ୍ରତି ୧୧.୧୫ ଟଙ୍କା ଓ ଅପରପ୍ରାଇମେରୀ ଛାତ୍ରଛାତ୍ରୀଙ୍କ ପାଇଁ ଉପସ୍ଥାନ ପ୍ରତି ୧୪.୭୪ ଟଙ୍କା ବିଭାଗ ପକ୍ଷରୁ ଚଳିତ ବର୍ଷରୁ ପ୍ରଦାନ କରାଯାଉଥିବା ଜଣାପଡ଼ିଛି । ଏଥିରେ ବି କିଛି ଶିକ୍ଷକ ଲାଭ ଚିନ୍ତା କରି ହେରାଫେରୀ କରୁଥିବା ବେଳେ ଆଉ କିଛି ଶିକ୍ଷକ ମହତ ଉଦ୍ଦେଶ୍ୟ ନେଇ କାର୍ଯ୍ୟ କରିଛନ୍ତି । ସେହିପରି ଆଉ କିଛି ଶିକ୍ଷକଙ୍କ କହିବା ଅନୁସାରେ ଚାଉଲ ଯୋଗାଣ ହେବା ସମୟରେ ଧାର୍ଯ୍ୟ ଓଜନ ବବଳରେ କମ ପରିମାଣର ଚାଉଳ ଠିକାଦାର ଦେଇଥାନ୍ତି । ଏହା ସହିତ ଆଜିର ମହଙ୍ଗା ଯୁଗରେ କମ ସରକାରୀ ଟଙ୍କାରେ ଛାତ୍ରଛାତ୍ରୀଙ୍କୁ ଭଲ ଖାଇବା ଦେବା ପାଇଁ ବାଧ୍ୟ ହୋଇ ଉପସ୍ଥାନ ଅଧିକ ଦେଖାଇବାକୁ ପଢୁଥିବା କିଛି ଶିକ୍ଷକ ସ୍ୱୀକାର କରିଛନ୍ତି । ଏହିଭଳି ସ୍ଥିତିରେ ବ୍ଲକରେ କିଭଳି ଭାବେ ପ୍ରଧାନମନ୍ତ୍ରୀ ପୋଷଣ ଶକ୍ତି ନିର୍ମାଣ ଯୋଜନା କାର୍ଯ୍ୟକାରୀ କରାଯାଉଛି ତାହା ସହଜରେ ଅନୁମାନ କରାଯାଇପାରେ ଓ ତାଲି ଠାରୁ ଆରମ୍ଭ କରି ପନିପରିବା ପର୍ଯ୍ୟନ୍ତ ଦର ଆକାଶ ଛୁଆଁ ରହିଥିବା ବେଳେ ଏତେ କମ ଟଙ୍କାରେ କିଭଳି ଛାତ୍ରଛାତ୍ରୀଙ୍କୁ ଖାଇବାକୁ ଦିଆଯାଉଛି ତାହା ସହଜରେ ଅନୁମାନ କରାଯାଇପାରେ । ତେଣୁ ସରକାରଙ୍କ ତରଫରୁ ଏହାର ଏକ ବିଦ୍ଧିବଦ୍ଧ ତଦନ୍ତ କରାଯିବା ସହ ପ୍ରଧାନମନ୍ତ୍ରୀ ପୋଷଣ ଶକ୍ତି ନିର୍ମାଣ ଯୋଜନାର ସଫଳ ରୂପାୟନ ପାଇଁ ଯୋଜନା ପ୍ରସ୍ତୁତ କରିବା ନିତ୍ୟାନ୍ତ ଆବଶ୍ୟକ ବୋଲି ଶିକ୍ଷାବିତ୍ତମାନେ ମତ ପୋଷଣ କରିଛନ୍ତି ।

