ଆଗରପଡ଼ା :ଆଉ ଦିନ କେଇଟାପରେ ଉଦ୍ଘାଟନକୁ ୨ବର୍ଷ ପୂରିବାକୁ ବସିଥିଲେ ସୁଦ୍ଧା ନିର୍ମାଣାଧିନ ପ୍ରକଳ୍ପ ବ୍ୟବହାର ଯୋଗ୍ୟ ହୋଇନପାରିବା ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟପନ୍ଥା ଉପରେ ଅଙ୍ଗୁଳ ନିର୍ଦ୍ଦେଶ କରୁଛି । ବନ୍ତ ବ୍ଲକ ସଦରମହକୁମାରେ ବନ୍ତ ପଂଚାୟତ ଓ ବନ୍ତ ବ୍ଲକର ମିଳିତ ଆର୍ଥିକ ସହାୟତାରେ ବନ୍ତ ଥାନାଛକ ନିକଟରେ ନିର୍ମିତ ହୋଇଥିବା ଗୋଷ୍ଠୀ ପରିମଳ କେନ୍ଦ୍ର ଠାରେ ଏହିପରି ଦୃଶ୍ୟ ଦେଖିବାକୁ ମିଳିଛି । ୨୦୨୦-୨୧ ଆର୍ôଥକ ବର୍ଷରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା,ଭଦ୍ରକ ଆନୁକୁଲ୍ୟରେ ପଂଚାୟତ ସମିତି ବନ୍ତ ପକ୍ଷରୁ ୫ମ ଏସଏଫସି(ପିଏସ)ଯୋଜନାରେ ୩ଲକ୍ଷରୁ ଅଧିକ ଅଟକଳ ମୂଲ୍ୟରେ ଏକ ଗୋଷ୍ଠୀ ପାଇଖାନା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ପରବର୍ତ୍ତୀ ସମୟରେ ୨ବର୍ଷ ପରେ ମଧ୍ୟ ଏହାର ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ ନହେବାରୁ ୨୦୨୨-୨୩ ଆର୍ôଥକ ବର୍ଷରେ ସ୍ୱଚ୍ଛ ଭାରତ ମିଶନ ପକ୍ଷରୁ ଅନୁମୋଦିତ ୭ଲକ୍ଷ ଟଙ୍କାରେ ଏହାର ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ ହୋଇଥିଲା । ପରେ ଗତ ବର୍ଷ ୨୦୨୩ ଅଗଷ୍ଟ ମାସ ୨୪ ତାରିଖରେ ତତ୍କାଳୀନ ଭଦ୍ରକ ସାଂସଦ ମଂଜୁଲତା ମଣ୍ଡଳ, ତତ୍କାଳୀନ ଜିଲ୍ଲାପାଳ(ଭଦ୍ରକ)ସିଦ୍ଧେଶ୍ୱର ବଳିରାମ ବୋନ୍ଦର,ତତ୍କାଳୀନ ବିଡ଼ିଓ ପ୍ରଦୀପ ସେଠୀ ,ଜିଲ୍ଲାପରିଷଦ ସଭାପତି ପ୍ରଫୁଲ୍ଲ ଜେନା,ବ୍ଲକ ଅଧ୍ୟକ୍ଷ ମନୋରଂଜନ ଘଡ଼େଇ,ବ୍ଳକ ଉପାଧ୍ୟକ୍ଷା ପ୍ରଗତିବାଳା ସ୍ୱାଇଁ ପ୍ରମୁଖଙ୍କ ଉପସ୍ଥିତିରେ ତତ୍କାଳୀନ ବିଧାୟକ ପ୍ରଫୁଲ୍ଲ ସାମଲ ଏହାକୁ ଉଦ୍ଘାଟନ କରିଥିଲେ । ଇତି ମଧ୍ୟରେ ଉଦ୍ଘାଟନକୁ ୨ବର୍ଷ ପୂରିବାକୁ ବସିଥିଲେ ସୁଦ୍ଧା ଗୋଷ୍ଠୀ କେନ୍ଦ୍ରଟି ବିଭିନ୍ନ କାରଣରୁ ବ୍ୟବହାର ଯୋଗ୍ୟ ହୋଇନପାରି ପଡ଼ିରହିଛି । ଯଦ୍ୱାରା ଏହା ସାଧାରଣ ଲୋକଙ୍କ ବ୍ୟବହାରରେ ଲାଗି ପାରୁନାହିଁ । ଯାହାକି ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟପନ୍ଥା ଉପରେ ଅଙ୍ଗୁଳ ନିର୍ଦ୍ଦେଶ କରୁଛି । ନିର୍ମାଣାଧିନ ପ୍ରକଳ୍ପ ଲୋକଙ୍କ କାମରେ ଲାଗି ପାରୁନଥିବାରୁ ଲୋକେ ନିଜ ଅସନ୍ତୋଷ ବ୍ୟକ୍ତ ମଧ୍ୟ କରୁଛନ୍ତି । ତେଣୁ ବିଭାଗୀୟ ଅଧିକାରୀ ଉକ୍ତ ପ୍ରକଳ୍ପରେ ଲାଗିରହିଥିବା ସମସ୍ୟାର ଶୀଘ୍ର ସମାଧାନ କରି ଏହାକୁ ଲୋକମାନଙ୍କ ବ୍ୟବହାର ଯୋଗ୍ୟ କରିବାରେ ଚେଷ୍ଟି ହେବାକୁ ବିଭିନ୍ନ ମହଲରେ ଦାବି ହୋଇଛି ।

