ବାରିପଦା: ଭାରତୀୟ କମ୍ୟୁନିଷ୍ଟ ପାର୍ଟି, ମୟୂରଭଞ୍ଜର ପରିବର୍ଦ୍ଧିତ ଜିଲ୍ଲା ପରିଷଦ ବୈଠକ ରାଜାଲୋକା ଛକ ଠାରେ ଆଜି ବର୍ଷିୟାନ ସାଥୀ ତ୍ରୀନାଥ ପାତ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ଜିଲ୍ଲା ସମ୍ପାଦକ ସାଥୀ ଜଗବନ୍ଧୁ ମିଶ୍ର ବିଗତ ଦିନର କାମଦାମର ରିପୋର୍ଟ ଉପସ୍ଥାପିତ କରିବା ସହ ଆଗାମୀ ଦିନର ରାଜନୈତିକ ଖସଡ଼ା ପ୍ରସ୍ତୁତ କରିଛନ୍ତି, ଯାହାକି ବିସ୍ତୃତ ଆଲୋଚନା ପରେ ଗୃହିତ ହୋଇଛି। ପାର୍ଟିର ସାମ୍ବିଧାନିକ ବ୍ୟବସ୍ଥା କ୍ରମେ ଆସନ୍ତା ୧୩ ରେ ତିରିଗ ଓ ୧୪ ରେ ସାରସକଣା ଜୋନ୍ ସମ୍ମିଳନୀ ଅନୁଷ୍ଠିତ ହେବାକୁ ସ୍ଥିର ହୋଇଛି। ଅନ୍ୟ ଜୋନ୍ ମାନେ ଯଥା ଶୀଘ୍ର ସମ୍ମିଳନୀ ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟ ସମ୍ମିଳନୀ ସେପ୍ଟେମ୍ବର ୪,୫ ଓ ୬ ଭୁବନେଶ୍ୱରରେ ଅନୁଷ୍ଠିତ ହେବାକୁ ଥିବାରୁ ସର୍ବସମ୍ମତିକ୍ରମେ ଜିଲ୍ଲା ସମ୍ମିଳନୀ ଅଗଷ୍ଟ ୨୧ ଓ ୨୨ ଦୁଇଦିନ ଧରି ବମ୍ବେ ଛକ ଠାରେ ଅନୁଷ୍ଠିତ ହେବ। ଆଜିର ବୈଠକରେ ରାଜ୍ୟ ସମ୍ପାଦକ ମଣ୍ଡଳୀ ସଦସ୍ୟ ସାଥୀ ଡା ପ୍ରଶାନ୍ତ ମିଶ୍ର ଓ ସାଥୀ ଜୟନ୍ତ ଦାସ ଯୋଗ ଦେଇ ଆନ୍ତର୍ଜାତିୟ, ଜାତୀୟ ଓ ରାଜ୍ୟ ରାଜନୀତି ସମ୍ପର୍କରେ ସୂଚନା ଦେବା ସହ ନିର୍ବାଚନ ପୂର୍ବରୁ ଜନଗଣକୁ ବିଜେପି ଦେଇଥିବା ପ୍ରତିଶ୍ରୁତି ପାଳନ କରିବାରେ ସମ୍ପୁର୍ଣ ବିଫଳ ହୋଇଛି। ମହିଳାଙ୍କ ପ୍ରତି ହିଂସା ବଢ଼ି ବଢ଼ି ଚାଲିଛି। ଆଇନ୍ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡିଛି। ସାଧାରଣ ମଣିଷ ଭୟଭୀତ ଅବସ୍ଥାରେ ରହୁଛନ୍ତି। ବେକାରୀ ସମସ୍ୟା ଉର୍ଦ୍ଧ୍ବ ଗାମୀ। ଚାଷୀ ଫସଲର ଆଇନ୍ ବୈଧତା ସମ୍ପର୍କିତ ପ୍ରତିଶୃତି ପାଳନ କରାଯାଇ ନାହିଁ। ଦରଦାମ ନିୟନ୍ତ୍ରଣ କରିବାରେ ଉଭୟ ସରକାର ବିଫଳ। ଏ ସମସ୍ତ ବିଷୟରେ ଆଲୋଚନା ହୋଇ ବିହୀତ ପଦକ୍ଷେପ ନେବାକୁ ଜିଲ୍ଲା ଓ ରାଜ୍ୟ ସମ୍ମିଳନୀର ସଫଳତା ପାଇଁ ସବୁମନ୍ତେ ଉଦ୍ୟମ କରାଯିବାକୁ ଆହ୍ବାନ ଦେଇଛନ୍ତି। ଏଥିରେ ଜୋନ୍ ସମ୍ପାଦକ,ସହ ସମ୍ପାଦକ, ଜିଲ୍ଲା ପରିଷଦ ସଭ୍ୟମାନେ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସାଥୀ ହୃଷୀକେଶ ସାହୁ, ବଳରାମ ମହାନ୍ତ, ପ୍ରତାପ ନାଏକ, ପରମେଶ୍ବର ମହାନ୍ତ, ଶୁକଦେବ ସିଂ, ନାରାୟଣ ଟୁଡୁ,ରୂପାଏ ମାଝୀ, ବଳରାମ ମୁର୍ମୁ,ପାରାଉ ହାଁସଦା,, ଶତୃଘ୍ନ ନାଏକ, ଅନାଦି ଚରଣ ପାତ୍ର ପ୍ରମୁଖ ଜିଲ୍ଲା ପରିଷଦ ସଭ୍ୟ ଉପସ୍ଥିତ ଥିଲେ ।

