ବାରିପଦା – ଆଗକୁ ଆସୁଛି ପାରମ୍ପରିକ ପର୍ବ ଗହ୍ମା ପୂର୍ଣ୍ଣିମା ତଥା ରକ୍ଷା ବନ୍ଧନ ଉତ୍ସବ। ତେଣୁ ରାକ୍ଷୀ ପାଇଁ ଗହଳଚହଳ ହେଲାଣି ବଜ଼ାର। ଜିଲ୍ଲାର ସଦର ମହକୁମା ବାରିପଦାରେ ଭଳିକିଭଳି ରାକ୍ଷୀ ସମ୍ଭାରରେ ସଜେଇହେବାରେ ଲାଗିଛି ବିଭିନ୍ନ ଷ୍ଟଲ।
ଏହି ପରିପ୍ରେକ୍ଷୀରେ ଆଜି ବାରିପଦା ଷ୍ଟାଡିଅମ ଗୋଲେଇ ନିକଟସ୍ଥ ମୟୂର ଶିଳ୍ପ ଆଉଟଲେଟ ସମ୍ମୁଖରେ ଓଡିଶା ଗ୍ରାମ୍ୟ ଉନ୍ନୟନ ଓ ବିପଣନ ସମିତି (ORMAS) ତରଫରୁ ନିଆରା ମନଲୋଭା ରାକ୍ଷୀର ସମ୍ଭାର ନେଇ ଉଦଘାଟିତ ହୋଇଛି ଏକ ନୂତନ ରାକ୍ଷୀ ଷ୍ଟଲ ( ଭାଇ ଭଉଣୀ ପ୍ରେମର ସାକ୍ଷୀ, “ଓରମାସ ରାକ୍ଷୀ”)।
ଆଜି ପୂର୍ବାହ୍ନରେ ଏକ ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନେତ୍ରାନନ୍ଦ ମଲ୍ଲିକ ତା’ଙ୍କ କରକମଳରେ ଏହି ନିଆରା ରାକ୍ଷୀ ଷ୍ଟଲ ଟିକୁ ଶୁଭ ଉଦଘାଟନ କରିଛନ୍ତି । ଏହି ରାକ୍ଷୀ ଷ୍ଟଲଟିର ବିଶେଷ୍ୱତ ହେଲା ଏଠାରେ ସବାଇ ଘାସ, ବାଉଁଶ ଓ ଅନ୍ୟାନ୍ୟ ପ୍ରାକୃତିକ ସାମଗ୍ରୀରେ ହାତତିଆରି ମନଲୋଭା ରାକ୍ଷୀ ସୁଲଭ ମୂଲ୍ୟରେ ଜନସାଧାରଣଙ୍କ ପାଇଁ ମାତ୍ର ୪୦ଟଙ୍କାରୁ ୧୫୦ ଟଙ୍କା ମଧ୍ୟରେ ଉପଲବ୍ଧ ହେବ ଏବଂ ଏହି ଷ୍ଟଲଟି ଚଳିତ ଅଗଷ୍ଟ ମାସ ୯ ତାରିଖ ପର୍ଯ୍ୟନ୍ତ ଖୋଲା ରହିବ। ହସ୍ତ ଶିଳ୍ପକୁ ପ୍ରୋତ୍ସାହିତ କରିବା ତଥା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟା ଓ ଗ୍ରାମୀଣ ମହିଳାମାନଙ୍କୁ ଆର୍ଥିକ କ୍ଷେତ୍ରରେ ସଶକ୍ତ କରିବାରେ ନିଜର ସହଭାଗୀତାକୁ ସୁନିଶ୍ଚିତ କରିବା ପାଇଁ ହସ୍ତକଳାରେ ପ୍ରସ୍ତୁତ ରାକ୍ଷୀ କ୍ରୟ କରିବା ପାଇଁ ଜନସାଧାରଣଙ୍କୁ ଓରମାସ ପକ୍ଷରୁ ଅନୁରୋଧ କରାଯାଉଛି ।
ଓରମାସର ଡେପୁଟି ସି.ଇ.ଓ ଭାଗ୍ୟଲକ୍ଷ୍ମୀ ରାଉତଙ୍କ ତତ୍ୱାବଧାନରେ ପରିଚାଳିତ ଆଜିର ଉଦଘାଟନୀ କାର୍ଯ୍ୟକ୍ରମରେ ଡି .ପି.ସି. ମିଶନ ଶକ୍ତି,ଶ୍ରୀ ନିରଞ୍ଜନ ପଣ୍ଡା, ଡିପିମ ଓଡିଶା ଜୀବିକା ମିଶନ, ଶ୍ରୀ ନବୀନ କୁମାର ସେନାପତି, ଡିସିପିଓ ଶ୍ରୀମତୀ ମମତାମୟୀ ବିଶ୍ୱାଳ, ପ୍ରୋଗ୍ରାମ
ମ୍ୟାନେଜର (ଜୀବିକା) ଶ୍ରୀମତୀ ମଧୁସ୍ମିତା ଭୂୟାଁ,ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ବିକାଶ ରଞ୍ଜନ ମହାନ୍ତି, ଓରମାସର ସମସ୍ତ ଜିଲ୍ଲା ଅଧିକାରୀ, ମୟୂରଶୀଳ୍ପ, ରବର, ଫଳ ଓ ପନିପରିବା କମ୍ପାନୀର ସମସ୍ତ କର୍ମକର୍ତା,ଫାର୍ମର ପ୍ରଡ୍ୟୁସର କମ୍ପାନୀର କର୍ମକର୍ତ୍ତା ଏବଂ ମୟୂରଭଞ୍ଜର ବିଭିନ୍ନ ବ୍ଲକର ସ୍ୱୟଂ ସହାୟକ ଗୋଷ୍ଠୀର ୫୦ ରୁ ଅଧିକ ସଦସ୍ୟା ଉପସ୍ଥିତ ଥିଲେ।

