- ଯୋଜନା ଭିତରେ ରହିଗଲା ଇ-ବିଦ୍ୟାଳୟ ଯୋଜନା
- ଉକ୍ତ ଯୋଜନା ପ୍ରତି ନୂତନ ସରକାରଙ୍କ ନଜର ପଡ଼ିବ କେବେ!
ଆଗରପଡ଼ା :କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଇସିଟି ଯୋଜନାରେ ୨୦୧୩ ମସିହାରେ ହାଇସ୍କୁଲ ସ୍ତରରେ ଆରମ୍ଭ ହୋଇଥିବା କମ୍ପ୍ୟୁଟର ଶିକ୍ଷା ୨୦୧୮ ମସିହାରୁ ଅଚଳ ହୋଇପଡ଼ିଛି । ରାଜ୍ୟରେ ୪ହଜାର ବିଦ୍ୟାଳୟରେ ଆଇସିଟି ଯୋଜନାରେ ନିର୍ମିତ ହୋଇଥିବା କମ୍ପ୍ୟୁଟର ଲ୍ୟାବ ଏବେ ଖତ ଖାଉଛି । ଏହି ଯୋଜନା ଅଚଳ ହୋଇପଡ଼ିବାପରେ ବିଦ୍ୟାଳୟରେ କୌଣସି କମ୍ପ୍ୟୁଟର ଶିକ୍ଷକ ନଥିବାରୁ କଳା ଓ ବିଜ୍ଞାନ ଶିକ୍ଷକ ଉକ୍ତ ଲ୍ୟାବର ଲାଭ ଉଠାଇପାରୁନାହାନ୍ତି ଯଦ୍ୱାରା ବହୁ କମ୍ପ୍ୟୁଟର ଅଚଳ ହୋଇ ପଡ଼ିଥିବାର ଜଣାପଡ଼ିଛି । ଅପର ପକ୍ଷରେ ରାଜ୍ୟ ସରକାରଙ୍କ ପକ୍ଷରୁ ୨ୟ ପର୍ଯ୍ୟାୟରେ ୨୦୧୬ ମସିହାରେ ୨୦୦୦ ଇ-ବିଦ୍ୟାଳୟ ଯୋଜନା କାର୍ଯ୍ୟକାରୀ କରିବାକୁ ଲକ୍ଷ୍ୟ ରଖାଯାଇଥିଲା । ଏଥିପାଇଁ ଓଡ଼ିଶା ମାଧ୍ୟମିକ ଶିକ୍ଷା ଅଭିଯାନ ପକ୍ଷରୁ ୨୦୦୦ ଇ-ବିଦ୍ୟାଳୟ ପାଇଁ ୬ବର୍ଷ ହେଲାଣି ଟେଣ୍ଡର ଓ ଅନ୍ୟାନ୍ୟ ପ୍ରକ୍ରିୟା ଶେଷ ହୋଇଛି । ହେଲେ ଗଣଶିକ୍ଷା ବିଭାଗର ଆନ୍ତରିକତା ଅଭାବରୁ ତାହା ଏବେ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରୁନାହିଁ । ଏନେଇ ହାଇକୋର୍ଟଙ୍କ ପକ୍ଷରୁ ଏକ ମାମଲାର ବିଚାରକୁ ନେଇ ଉକ୍ତ କାର୍ଯ୍ୟକ୍ରମକୁ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲେ ସୁଦ୍ଧା ଏହା ଆଜି ପର୍ଯ୍ୟନ୍ତ ପାଳିତ ହୋଇପାରିନାହିଁ । ତେଣୁ କମ୍ପ୍ୟୁଟର ଶିକ୍ଷା ଲାଭ କରି ଆଗାମୀ ଦିନରେ ଡିଜିଟାଲ ଶିକ୍ଷା ଏବଂ ଅନଲାଇନ ସେବାରେ ନିଜର ପାରଦର୍ଶିତା ପଦର୍ଶନ କରିବାପାଇଁ ଆଶା ବାନ୍ଧି ଥିବା ପିଲାଙ୍କ ପାଇଁ ଏହା ଏବେ ସ୍ୱପ୍ନ ପାଲଟିଛି । ତେଣୁ ଓଡିଶା କେବେ ଡିଜିଟାଲ ହେବ ଓ ପ୍ରତ୍ୟେକ ଲୋକ ଘରେ ବସି କିପରି ଭାବରେ ଅନଲାଇନ ସେବା ପାଇପାରିବେ ସେନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଆଇସିଟି ଯୋଜନାରେ ଓଡ଼ିଶା ସରକାର ୨୦୧୩ ମସିହାରେ ରାଜ୍ୟର ୪ହଜାର ହାଇସ୍କୁଲରେ କମ୍ପ୍ୟୁଟର ଶିକ୍ଷାର ଅଭିଯାନ ଆରମ୍ଭ କରିଥିଲେ । ଏଥିପାଇଁ ୮୦୦କୋଟି ଟଙ୍କା ବ୍ୟୟ ଅଟକଳ ପ୍ରସ୍ତୁତ ହୋଇଥିଲା । ଏଥିରେ ୭୫ଭାଗ କେନ୍ଦ୍ରର ଓ ୨୫ ଭାଗ ରାଜ୍ୟର ଅବଦାନ ରହିବା ସହ ଅଭିଯାନକୁ ସଫଳ କରାଯିବାର ଲକ୍ଷ୍ୟ ରଖାଯାଇଥିଲା । ପରବର୍ତ୍ତୀ ମୁହୁର୍ତ୍ତରେ ୨୦୧୪ ମସିହା ଫେବୃଆରୀ ମାସରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉକ୍ତ ଯୋଜନାର ଶୁଭାରମ୍ଭ କରିଥିଲେ । ଏବଂ ଉକ୍ତ ଯୋଜନା ମାଧ୍ୟମରେ ଅଷ୍ଟମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନେ କମ୍ପ୍ୟୁଟର ଶିକ୍ଷାରେ ନିଜର ପାରଦର୍ଶିିତା ପ୍ରଦର୍ଶନ କରିବା ଏହାର ମୁଖ୍ୟ ଲକ୍ଷ୍ୟ ଥିଲା । ସେଥିପାଇଁ ଆଇଏଲଏଫଏସ ଓ ଟିସିଆଇଏଲ ସଂସ୍ଥାକୁ ଶିକ୍ଷକ ନିଯୁକ୍ତି ଦାଇତ୍ୱ ପ୍ରଦାନ କରାଯାଇଥିବାବେଳେ ଓକେସିଏଲକୁ ଶିକ୍ଷକମାନଙ୍କୁ ତାଲିମ ଦେବା ସହ ‘ଇ-କଣ୍ଟେଣ୍ଟଡେଭଳପ’କରିବା ସହ ତଦାରଖ ଦାଇତ୍ୱ ଦିଆଯାଇଥିଲା । ହେଲେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଇସିଟିର ୫ବର୍ଷିଆ ଅବଧି ଶେଷ ହେବାପରେ ଉକ୍ତ ଯୋଜନା ଠପ ହୋଇଯାଇଛି । ରାଜ୍ୟ ସରକାର ୨୦୧୬ ମସିହାରେ ଇ-ବିଦ୍ୟାଳୟ ଯୋଜନା ପ୍ରଣୟନ ପାଇଁ ଚେଷ୍ଟା ଆରମ୍ଭ କରିଥିଲେ ମଧ୍ୟ ତାହା ନଥିରେ ବନ୍ଧା ହୋଇ ପଡିଛି । ଗଣଶିକ୍ଷା ବିଭାଗ ପକ୍ଷରୁ ପିଲାମାନଙ୍କ ବିଭିନ୍ନ କାର୍ଯ୍ୟକ୍ରମକୁ ଡିଜିଟାଲ ମାଧ୍ୟମରେ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲେ ସୁଦ୍ଧା ଏଥିନେଇ ଶିକ୍ଷକମାନଙ୍କ ଜ୍ଞାନ କମ ଥିବାରୁ ସେମାନେ ବହୁ ସମସ୍ୟାର ସମ୍ମୁଖିନ ହେଉଛନ୍ତି । ଅପର ପକ୍ଷରେ କୋଟି କୋଟି ଟଙ୍କାରେ କିଣାଯାଇଥିବା କମ୍ପ୍ୟୁଟର ବର୍ଷ ବର୍ଷ ଧରି ବ୍ୟବହାର ନହୋଇ ପଡ଼ି ରହିବା ଦ୍ୱାରା ଅଚଳ ହେବାରେ ଲାଗିଛି । ବିଭିନ୍ନ ପ୍ରକାର ପାରିପାଶ୍ୱିର୍କ ପରିସ୍ଥିତିକୁ ଆଖିରେ ରଖି କେନ୍ଦ୍ରଠାରୁ ରାଜ୍ୟ ସରକାରଙ୍କ ପର୍ଯ୍ୟନ୍ତ ସମସ୍ତେ ଡିଜିଟାଲ ସେବାକୁ ଗୁରୁତ୍ୱ ଦେଉଥିବା ବେଳେ ବିଭାଗୀୟ ଅଧିକାରୀଙ୍କ ଦୂରଦୃଷ୍ଟିର ଅଭାବ ଯୋଗୁଁ ପିଲାମାନେ ଉକ୍ତ ସେବାରେ ଶିକ୍ଷା ଲାଭ କରିବା ପାଇଁ ବଂଚିତ ହେଉଛନ୍ତି । ବର୍ତ୍ତମାନ ରାଜ୍ୟର ପ୍ରାୟ ୩୦ଟି ବିଭାଗ ପକ୍ଷରୁ ୩୦୦ରୁ ଉର୍ଦ୍ଧ୍ୱ ସରକାରୀ ସେବାକୁ ଅନଲାଇନରେ ସଂଯୋଗ କରାଯାଇସାରିଥିବା ବେଳେ ଯେଉଁ ଉତ୍ତରପିଢି ପାଇଁ ଏସବୁ ବାସ୍ତବରେ ଉପଯୋଗୀ ହେବା କଥା ସେମାନେ କମ୍ପ୍ୟୁଟର ଶିକ୍ଷାଠାରୁ ବହୁତ ଦୂରରେ ରହିଯାଇଛନ୍ତି । ତେଣୁ ନୂତନ ସରକାରଙ୍କ ଉକ୍ତ ଯୋଜନା ପ୍ରତି କେବେ ନଜର ପଡ଼ିବ ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି ।

