60033776 679a 415c b729 620868ff

ବନବାସୀ ଆଶ୍ରମ ପିଲାଙ୍କ ଗହଣରେ ମନ୍ କି ବାତ୍ ଶୁଣିଲେ ମୁଖ୍ୟମନ୍ତ୍ରୀ

ରାଜ୍ୟ

ଭୁବନେଶ୍ଵର: ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ମଞ୍ଚେଶ୍ୱର ଶିଳ୍ପାଞ୍ଚଳରେ ଥିବା ବନବାସୀ କଲ୍ୟାଣ ଆଶ୍ରମ ପରିସରରେ ଆଶ୍ରମ ଅନ୍ତେବାସୀ ପିଲାଙ୍କ ଗହଣରେ ପ୍ରଧାନମନ୍ତ୍ରୀଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମ ଶୁଣିଛନ୍ତି। ଆଜି ଥିଲା ପ୍ରଧାନମନ୍ତ୍ରୀଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମର ୧୨୪ ତମ ଅଧ୍ୟାୟ। ମୁଖ୍ୟମନ୍ତ୍ରୀ ବନବାସୀ କଲ୍ୟାଣ ଆଶ୍ରମ ପରିସରରେ ପିଲାଙ୍କ ସହ ଏହି କାର୍ଯ୍ୟକ୍ରମ ଶୁଣିବା ସହ ପିଲାମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଓ ପ୍ରେରଣାଦାୟୀ ଦିଗ ସମ୍ପର୍କରେ ବୁଝାଇଥିଲେ। ଏଥି ସହିତ ପିଲାମାନଙ୍କୁ ଭଲ ପାଠ ପଢି, କଠିନ ପରିଶ୍ରମ କରି ସଫଳତାର ସହିତ ବଡ଼ ମଣିଷ ହେବା ପାଇଁ ଉପଦେଶ ଦେଇଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଆଶ୍ରମ ପରିସରରେ ଏକ ନିମ୍ବ ବୃକ୍ଷ ଚାରା ମଧ୍ୟ ରୋପଣ କରିଥିଲେ। ଆଜି ୧୨୪ ତମ ଅଧ୍ୟାୟରେ ଦେଶର ବିଭିନ୍ନ ପ୍ରାନ୍ତର ଜନ ସମୂହଙ୍କ ପ୍ରେରଣାଦାୟୀ ପଦକ୍ଷେପ ସହିତ ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାର ଆଦିବାସୀ ମହିଳା ମାନଙ୍କ ଦ୍ଵାରା ସାନ୍ତାଳୀ ଶାଢ଼ୀର ପୁନରୁଦ୍ଧାର ବିଷୟରେ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ। ୬୫୦ ଜଣ ଆଦିବାସୀ ମହିଳା ଆଜି ଏହି ଶାଢ଼ୀ ବୁଣି ଭଲ ରୋଜଗାର କରିବା ସହିତ ଅନ୍ୟ ମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ବୋଲି ସେ କହିଛନ୍ତି। ଏଥିସହିତ ପ୍ରଧାନମନ୍ତ୍ରୀ ପ୍ରକୃତିର ସୁରକ୍ଷା ପାଇଁ ଆମ ଦାୟିତ୍ୱ ବିଷୟରେ

କେନ୍ଦୁଝର ଜିଲ୍ଲାର ନାମ ନେଇଛନ୍ତି। କେନ୍ଦୁଝର ଜିଲ୍ଲାର ପ୍ରମିଳା ପ୍ରଧାନଙ୍କ ପ୍ରୟାସରେ ସଂକୀର୍ତ୍ତନ ମଣ୍ଡଳୀ ଜରିଆରେ କିଭଳି ପରିବେଶ ଓ ଜଙ୍ଗଲର ସୁରକ୍ଷା ସହିତ ଜଙ୍ଗଲ ନିଆଁ ରୋକିବା ପାଇଁ ସଚେତନ କରାଯାଉଛି ସେ ବିଷୟରେ ପ୍ରଶଂସା କରିଥିଲେ। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଆରେ ସାଧାରଣ ଲୋକଙ୍କ ସଂଘର୍ଷ, ସଫଳତା ଓ ନବସୃଜନ ଉପରେ ଗୁରୁତ୍ଵ ଦେଇ ଅନ୍ୟ ମାନଙ୍କୁ ପ୍ରେରଣା ଓ ମାର୍ଗଦର୍ଶନ ଦେଇ ଆସୁଛନ୍ତି ।

Shrutilipi ad