ଆଗରପଡ଼ା :ବ୍ଳକ ପ୍ରଶାସନ ଠାରୁ ଜିଲ୍ଲା ପ୍ରଶାସନ ଓ ପରେ ମୁଖ୍ୟମନ୍ତ୍ରୀଙ୍କ ଠାରେ ଅଭିଯୋଗ କଲାପରେ ମଧ୍ୟ ସାହିବାସୀଙ୍କ ଅଭିଯୋଗ କେହି ଶୁଣୁ ନଥିବାରୁ ସେମାନେ ବାଧ୍ୟ ହୋଇ ରାଷ୍ଟ୍ରମୁଖ୍ୟଙ୍କୁ ଅଭିଯୋଗର ପତ୍ର ଲେଖିଥିବା ଜଣାପଡ଼ିଛି । ଏହିପରି ଏକ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ବନ୍ତ ବ୍ଲକ ଛୟାଳସିଂହ ପଞ୍ଚାୟତ ମଙ୍ଗୁଲି ଗ୍ରାମ ଅର୍ନ୍ତଗତ ବ୍ରାହ୍ମଣସାହି ଠାରେ । ଏହି ସାହିକୁ ଭଲ ରାସ୍ତାଟିଏ ନାହିଁ । ସାହି ରାସ୍ତା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କକୁ ସଂଯୋଗ କରୁଛି । ଏହି ରାସ୍ତାକୁ ଖରା ଦିନିଆ ରାସ୍ତା କହିଲେ ଅତ୍ୟୁକ୍ତି ହେବ ନାହିଁ । ଅନ୍ୟ ଦିନମାନଙ୍କରେ ଦୁଇ ଚକିଆ ଯାନ ଯିବା ଦୂରେ ଥାଉ, ଖାଲି ପାଦରେ ଚାଲି ଯିବା ମଧ୍ୟ ବିପଦ ଶଂକୁଳ । ଚାରିଚକିଆ ଯାନ ଯିବା, ରାସ୍ତା ସଂକୀର୍ଣ୍ଣତା ପାଇଁ ଆଦୈା ସମ୍ଭବ ହୋଇନଥାଏ । ବଜାରକୁ ନ ଗଲେ ରୋଷେଇ ବନ୍ଦ,ପୁଣି ସ୍କୁଲ,କଲେଜକୁ ନ ଗଲେ ପାଠ ପଢା ବନ୍ଦ, ତେଣୁ ସମସ୍ତଙ୍କୁ ସବୁବେଳେ ଏହି ରାସ୍ତା ଦେଇ ଯିବା ଆସିବା କରିବାକୁ ହୋଇଥାଏ । ଏଠାରୁ ଛାତ୍ରଛାତ୍ରୀ ଏହି ରାସ୍ତାଦେଇ ପ୍ରତିଦିନ ସ୍କୁଲକୁ, ଆଗରପଡ଼ା କଲେଜକୁ, କୋମଳମତୀ ଶିଶୁ ଅଙ୍ଗନବାଡ଼ି କେନ୍ଦ୍ରକୁ ଅଧ୍ୟୟନ ପାଇଁ ଆସିଥାନ୍ତି । ଦମକଳ କିମ୍ବା ଆମ୍ବୁଲାନ୍ସ ଖବର ପାଇ ଆସିଲେ ମୁଖ୍ୟ ରାସ୍ତା ଉପରେ ହିଁ ରହିଥାଏ । ବର୍ତ୍ତମାନ ବର୍ଷାଋତୁ ଚାଲୁଥିବାରୁ ରାସ୍ତା ସମସ୍ୟା ଯୋଗୁଁ ଗ୍ରାମବାସୀମାନେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଥିବାବେଳେ ଗତ କିଛିଦିନ ଧରି ଲଗାଣ ବର୍ଷା ଯୋଗୁଁ ରାସ୍ତା ଅବସ୍ଥା ଏହିପରି ହୋଇଛିଯେ ଗ୍ରାମବାସୀମାନେ ଘରୁ ବାହାରକୁ ବାହାରି ପାରୁନାହାନ୍ତି । ପ୍ରଶାସନିକ ଅଧିକାରୀଙ୍କ ଠାରେ ବାରମ୍ବାର ଅଭିଯୋଗ କଲେ ମଧ୍ୟ କେହି ଶୁଣୁନଥିବା ସେମାନେ ଅଭିଯୋଗ କରିବା ସହ ବର୍ତ୍ତମାନ ଏହାର ଏକ ସ୍ଥାୟୀ ସମାଧାନ ପାଇଁ ଉକ୍ତ ସାହିବାସୀ ପଂଚାୟତ କନିଷ୍ଠ ଯନ୍ତ୍ରୀଙ୍କୁ ଲିଖିତ ଅଭିଯୋଗ କରିବା ସହ ଏହାର ଏକକିତା ନକଲ ବିଡିଓ,ବନ୍ତ,ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ଓ ଜିଲ୍ଲାପାଳ,ଭଦ୍ରକଙ୍କ ସମେତ ମୁଖ୍ୟମନ୍ତ୍ରୀଙ୍କୁ ପ୍ରେରଣ କରିବା ସହ ଏହାର ସ୍ଥାୟୀ ସମାଧାନ କରାନଗଲେ ଆଗାମୀ ଦିନରେ ଆନ୍ଦୋଳନ କରିବେ ବୋଲି ଚେତାବନୀ ମଧ୍ୟ ଦେଇଥିଲେ କିନ୍ତୁ ଅଦ୍ୟାବଧି କିଛି ସୁଫଳ ପାଇପାରିନାହାନ୍ତି । ସୂଚନା ଅନୁଯାୟୀ: ଗତ ୨୦୨୦-୨୧ ଆର୍ଥିକ ବର୍ଷରେ ମହାତ୍ମାଗାନ୍ଧୀ ଜାତୀୟ ନିଶ୍ଛିତ କର୍ମ ନିଯୁକ୍ତି ଯୋଜନାରେ ୩ଲକ୍ଷ ଟଙ୍କା ଅଟକଳ ମୂଲ୍ୟରେ ମାଟି ଓ ମହରମରେ ଉକ୍ତ ରାସ୍ତା ନିର୍ମିତ ହୋଇଥିଲା । କିନ୍ତୁ ଇତି ମଧ୍ୟରେ ଏହାକୁ ୬ବର୍ଷ ବିତିବାକୁ ବସିଥିଲେ ସୁଦ୍ଧା ଏଥିରେ କୌଣସି ଅଗ୍ରଗତି ହୋଇନାହିଁ ।

