Image 2025 07 25t144154.177

ଉନ୍ନତ ପ୍ରଯୁକ୍ତିବିଦ୍ୟା ଦ୍ବାରା ଟାଟା ଷ୍ଟିଲ କଳିଙ୍ଗନଗର ପ୍ଲାଣ୍ଟ ମଧୁର ଜଳ ବ୍ୟବହାରରେ ୪୦% ହ୍ରାସ କରିଛି

ରାଜ୍ୟ

କଳିଙ୍ଗନଗର: ଓଡ଼ିଶାର ଯାଜପୁର ଜିଲ୍ଲାରେ ଅବସ୍ଥିତ ଟାଟା ଷ୍ଟିଲ କଳିଙ୍ଗନଗର ପ୍ଲାଣ୍ଟ ଜଳ ସଂରକ୍ଷଣ ଓ ପରିବେଶ ସୁରକ୍ଷା ଦିଗରେ ଷ୍ଟିଲ ଉଦ୍ୟୋଗରେ ଏକ ନୂତନ ମାନଦଣ୍ଡ ସ୍ଥାପନ କରିଛି । ଉନ୍ନତ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରି ଏହି ପ୍ଲାଣ୍ଟ ମଧୁର ଜଳ ବ୍ୟବହାରରେ ୪୦% ରୁ ଅଧିକ ହ୍ରାସ ଆଣିବା ସହିତ ଏହାର ପରିବେଶଗତ ପ୍ରଭାବ କମାଇବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛି ।

ପ୍ଲାଣ୍ଟରେ ବିଭିନ୍ନ ପ୍ରକାର ବୈଜ୍ଞାନିକ ପଦ୍ଧତି ଏବଂ ଅତ୍ୟାଧୁନିକ ଜ୍ଞାନକୌଶଳ ସହାୟତାରେ ଅନେକ ପଦକ୍ଷେପ ନିଆଯାଇଛି, ଯାହା ପ୍ଲାଣ୍ଟର କାର୍ଯ୍ୟରେ ମଧୁର ଜଳର ବ୍ୟବହାରକୁ ଧୀରେ ଧୀରେ ହ୍ରାସ କରିଚାଲିଛି । ପ୍ଲାଣ୍ଟରେ ଗତ ସାତ ବର୍ଷ ଧରି ସେଣ୍ଟ୍ରାଲ୍ ଇଫ୍ଲୁଏଣ୍ଟ ଟ୍ରିଟମେଣ୍ଟ ପ୍ଲାଣ୍ଟ (ସିଇଟିପି), ହାଇ-ଏଫିସିଏନ୍ସି ରିଭର୍ସ ଅସ୍ମୋସିସ୍ ଟେକ୍ନୋଲୋଜି, ମେକାନିକାଲ୍ ଭେପର ରିକମ୍ପ୍ରେସନ୍ (ଏମଭିଆର), ବାୟୋଲୋଜିକାଲ୍ ଅକ୍ସିଡ଼ାଏସନ ଏଣ୍ଡ ଡିଫେନଲାଇଜେସନ୍ (ବିଓଡି) ପ୍ଲାଣ୍ଟ ଉଚ୍ଚ ସ୍ତରୀୟ ଟ୍ରିଟମେଣ୍ଟ ଆଦି ପ୍ରଯୁକ୍ତି ବ୍ୟବହାର କରି ପ୍ଲାଣ୍ଟ ମଧୁର ଜଳ ଉପରେ ନିର୍ଭରତାରେ ୪୦% ପର୍ଯ୍ୟନ୍ତ ହ୍ରାସ ଆଣିପାରିଛି, ଯାହା ପରିବେଶ ଉପଯୋଗୀ ପଦକ୍ଷେପରେ ଷ୍ଟିଲ ଉଦ୍ୟୋଗ ପାଇଁ ଏକ ଅଭିନବ ଦିଗଦର୍ଶନ ସ୍ଥାପନ କରିଛି ।

ଜଳ ସଂରକ୍ଷଣ ଦିଗରେ ପ୍ରତିବଦ୍ଧତା ଦର୍ଶାଇ, ପ୍ଲାଣ୍ଟ କଳିଙ୍ଗନଗରରେ ବର୍ଷାଜଳ ଅମଳ ପାଇଁ ଏକ ‘ରେନୱାଟର ହାର୍ଭେଷ୍ଟିଂ-କମ୍‌-ପର୍କୋଲେସନ୍ ପଣ୍ଡ’ ବିକଶିତ କରିଛି । ୧୦ ହଜାର ୫୦୦ ବର୍ଗମିଟର କ୍ଷେତ୍ରରେ ବ୍ୟାପ୍ତ ଏହି ପୋଖରୀର ଜଳ ସଂରକ୍ଷଣ କ୍ଷମତା ୪୬ ହଜାର କ୍ୟୁବିକ ମିଟର ଏବଂ ଏଥିରେ ୧୦ ହଜାର ବର୍ଗମିଟରରେ ସବୁଜ ବଳୟର ଆବରଣ ରହିଛି। ଏହି ବର୍ଷା ଜଳ ସଂରକ୍ଷଣ ଢାଞ୍ଚା ମାଧ୍ୟମରେ ମୂଲ୍ୟବାନ ବର୍ଷା ଜଳ ଭୂଗର୍ଭସ୍ଥ ଜଳସ୍ତର ବୃଦ୍ଧି ପାଇଁ ବ୍ୟବହାର କରାଯାଉଛି ।

ଏହା ସହିତ, ପ୍ଲାଣ୍ଟ ‘ଜିରୋ ଇଫ୍ଲୁଏଣ୍ଟ ଡିସ୍ଚାର୍ଜ ପ୍ଲାଣ୍ଟ’ ଭାବରେ କାର୍ଯ୍ୟ କରୁଛି । ପ୍ଲାଣ୍ଟରେ ବ୍ୟବହୃତ ସମସ୍ତ ଜଳ ଉନ୍ନତ ଇଫ୍ଲୁଏଣ୍ଟ ଟ୍ରିଟମେଣ୍ଟ ପ୍ଲାଣ୍ଟରେ ଶୁଦ୍ଧ କରାଯାଇ ପୁନର୍ବ୍ୟବହାର କରାଯାଏ ଏବଂ କୌଣସି ଅଶୁଦ୍ଧ ଜଳ ପ୍ଲାଣ୍ଟରୁ ବାହାରକୁ ନିଷ୍କାସିତ ହୁଏ ନାହିଁ ।

ଅନ୍ୟାନ୍ୟ ଦୀର୍ଘସ୍ଥାୟୀ ପଦକ୍ଷେପ ମାଧ୍ୟମରେ ଟାଟା ଷ୍ଟିଲ କଳିଙ୍ଗନଗର ପ୍ଲାଣ୍ଟ ଅକ୍ଷୟ ଶକ୍ତିର ବ୍ୟବହାର ପାଇଁ ସୌର ଶକ୍ତିକୁ ମଧ୍ୟ ସାମିଲ କରିଛି। ଏଥିପାଇଁ ୧୦.୧ ମେଗାୱାଟ୍ କ୍ଷମତା ବିଶିଷ୍ଟ ଫ୍ଲୋଟିଂ ସୌର ଶକ୍ତି ପ୍ରକଳ୍ପ ଜଳାଶୟ ଉପରେ ସ୍ଥାପନ କରାଯାଇଛି ଯାହା ଦ୍ରୁତ ବାଷ୍ପିକରଣ ପ୍ରକ୍ରିୟାକୁ ଅନେକ ମାତ୍ରାରେ ପ୍ରତିହତ କରୁଛି ।

Shrutilipi ad