ବାରିପଦା: ମୟୁରଭଞ୍ଜ ଜିଲ୍ଲାର ମିଳିତ ବିରୋଧୀଦଳ ପକ୍ଷରୁ ଫକୀରମୋହନ ମହାବିଦ୍ୟାଳୟର ପୀଡ଼ିତା ଛାତ୍ରୀ ସୌମ୍ୟଶ୍ରୀ ଙ୍କ ଶ୍ରଦ୍ଧାଞ୍ଜଳି ସଭା ଜଗନ୍ନାଥ ମନ୍ଦିର ନିକଟରେ ରବି ଗୋସ୍ୱାମୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇ ଯାଇଛି। ଶାସକ ବିଜେପିର ଓଡ଼ିଆ ଅସ୍ମିତାର ସୁଭଦ୍ରା ଶ୍ରୀ ଓ ଏବେ ଶକ୍ତି ଶ୍ରୀ ର ଢୋଂଗି ସ୍ଲୋଗାନ ଭିତରେ ରାଜ୍ୟରେ ବ୍ୟବସ୍ଥାକୃତ ମହିଳା ଉତ୍ପୀଡନ ଓ ହତ୍ୟାରେ ଦୈନନ୍ଦିନ ଶୀକାର ମହିଳା ଶିକ୍ଷାୟତନ ଠାରୁ ସାମାଜିକ ସ୍ତର ପର୍ଯ୍ୟନ୍ତ ଗଣମାଧ୍ୟମର ଶିରୋନାମ ପାଲଟିଛି। ପ୍ରତି ଦିନ ପ୍ରତି ମୂହୁର୍ତ୍ତରେ ମହିଳାଙ୍କ ପ୍ରତି ହିଂସା ବଢ଼ି ବଢ଼ି ଚାଲିଛି। ଶିକ୍ଷାୟତନରେ ଗୁରୁ ଦକ୍ଷିଣାର ବାବଦରେ ଗୁରୁ କାମୁକ ପାଲଟିଛି। ରକ୍ଷକ ଭକ୍ଷକ ସାଜୁଛି।ଆମ ଓଡ଼ିଶା ଅପରାଧୀଙ୍କ ନିର୍ଭୟ ଭୂସ୍ବର୍ଗ ପାଲଟିଛି। ଏହାର କମା ପୂର୍ଣ୍ଣଛେଦ ନାହିଁ। ଗୋପାଳପୁର ବେଳାଭୂମି ଗଣଦୁଷ୍କର୍ମ ଘଟଣା, ହରିଚନ୍ଦନପୁର ଗଣଦୁଷ୍କର୍ମ ଓ ହତ୍ୟା, ଫକୀରମୋହନ ମହାବିଦ୍ୟାଳୟର ଏହି ଛାତ୍ରୀ ଆତ୍ମହତ୍ୟା, ନିମାପଡ଼ା ବଳଙ୍ଗାରେ ସଂଖ୍ୟାଲଘୁ ସମ୍ପ୍ରଦାୟର ନାବାଳିକାକୁ ଜିଅନ୍ତା ଜାଳି ଦେବା ଘଟଣାଭଳି ଅନେକ ଆମକୁ ଘୋର ଲଜ୍ଜିତ କରିଛି। ପୂର୍ବେ ଭାରତର ମହିଳାମାନଙ୍କ ପ୍ରତି ଥିବା ସମ୍ମାନ ପାଇଁ ବିଦେଶରେ ପର୍ଯ୍ୟଟକ ଭାରତ ଆସିବାବେଳେ, ବିଦେଶୀ ପର୍ଯଟନ ସଂସ୍ଥା ସୂଚାଉଥିଲେ,ଭାରତରେ ମହିଳାମାନଙ୍କୁ ସାମାଜିକ ସ୍ତରରେ ସ୍ବତନ୍ତ୍ର ସମ୍ମାନ ଥିବାରୁ ପାଶ୍ଚାତ୍ୟ ସଭ୍ୟତା କ୍ରମରେ ଆଲିଙ୍ଗନ ନକରି ନତମସ୍ତକ ହୋଇ ନମସ୍କାର କରିବାକୁ ନିର୍ଦ୍ଦେଶ ଦେଉଥିଲେ। ଏବେ ମୋଦିଙ୍କ ତୃତୀୟ ପାଳି ଓ ଓଡ଼ିଶାର ମହିଳା ଉପ ମୁଖ୍ୟମନ୍ତ୍ରୀ ସମୟରେ ଭାରତ ବିଶେଷକରି ଓଡ଼ିଶାରେ ମହିଳାଙ୍କ ପାଇଁ ସୁରକ୍ଷା ନଥିବାରୁ ବିଦେଶୀ ପର୍ଯ୍ୟଟକ ଏଠାକୁ ନ ଆସିବାପାଇଁ ଏସ ଓ ପି ଜାରି କଲେଣି।ଏହା ଠାରୁ ନିନ୍ଦା ଅପବାଦ ଅଧିକ କଣ ହୋଇପାରେ ? କ୍ଷମତା ପାଇଁ ମହିଳା ସଶକ୍ତିକରଣ ନାମରେ ରାଜନୀତିକରଣ ନ କରି ପ୍ରତ୍ୟେକ ମହିଳାଙ୍କ ସୁରକ୍ଷା ଓ ସମ୍ମାନକୁ ଦୃଢିଭୂତ କଲେ ଝିଅ ସୌମ୍ୟଶ୍ରୀ ଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି ହୋଇ ପାରିବ ବୋଲି ମୟୁରଭଞ୍ଜ ସିପିଆଇ ଜିଲ୍ଲା ସମ୍ପାଦକ ସାଥୀ ଜଗବନ୍ଧୁ ମିଶ୍ର କହିଛନ୍ତି।
ମହିଳାଙ୍କ ପ୍ରତି ଅସଦାଚରଣ ଓ ଅପରାଧରେ ବିଜେପିର ଡବଲ ଇଞ୍ଜିନ ସରକାର ବିଶ୍ୱ ଦରବାରରେ ଭାରତକୁ ସ୍ବତନ୍ତ୍ର ପରିଚୟ ଦେଲାଣି, ଯାହାକି ନିନ୍ଦନୀୟ ଏବଂ ଉଭୟ ସରକାରଙ୍କ ପାରିବା ପଣିଆକୁ ତଳୁ ଉପର ସ୍ତର ପର୍ଯ୍ୟନ୍ତ ପ୍ରଶ୍ନ କରୁଛି। ନାରୀ ସୁରକ୍ଷାକୁ ପ୍ରାଧାନ୍ୟ ଦିଆଗଲେ ସୌମ୍ୟଶ୍ରୀ ଙ୍କ ପ୍ରତି ଯଥାର୍ଥ ଶ୍ରଦ୍ଧାଞ୍ଜଳି ହୋଇ ପାରିବ ବୋଲି କଂଗ୍ରେସର ପୂର୍ବତନ ଟାଉନ ସଭାପତି ଶାନ୍ତନୁ ପାଲ କହିଛନ୍ତି।
ଆଜିର ଏହି ଶ୍ରଦ୍ଧାଞ୍ଜଳି ସଭାରେ ସିପିଆଇ ପକ୍ଷରୁ ଶ୍ରୀକାନ୍ତ ସାମଲ, କାହ୍ନୁଚରଣ ବେହେରା, ସଞ୍ଜିବ ବାରିକ, ଶ୍ରୀକାନ୍ତ ବୋଷ,ସୁବାଷିନୀ ବିନ୍ଧାଣି, ନିରଞ୍ଜନ ନାୟକ, ପ୍ରସନ୍ନ ପାତ୍ର , ସିପିଏମ ପକ୍ଷରୁ ଅମଲ ଦେ,ଅଖୟ ଖୁଣ୍ଟିଆ,ସେକ ରିଜୁଆନ, ରଞ୍ଜିତା ରାଉତ୍, କଂଗ୍ରେସର ନିର୍ମଳ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ l

