- ପାଠପଢାକୁ ନେଇ ଚିନ୍ତାରେ ଅଭିଭାବକ
ଆଗରପଡ଼ା :ସରକାର ଶିକ୍ଷାର ମାନବୃଦ୍ଧି କରିବା ପାଇଁ ବିଭିନ୍ନ ପ୍ରକାର ଯୋଜନା ପ୍ରଣୟନ କରିବା ସହିତ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । କିନ୍ତୁ ବିଭାଗୀୟ ଅଧିକାରୀଙ୍କ ଇଚ୍ଛା ଶକ୍ତିର ଅଭାବ ଯୋଗୁଁ ସରକାରଙ୍କ ଯୋଜନାର ସଫଳ ରୂପାୟନ ହୋଇପାରୁନଥିବା ଜଣାପଡ଼ିଛି । ଏହିପରି ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ବନ୍ତ ବ୍ଲକ କାଦବରାଙ୍ଗ ପଂଚାୟତ ଅର୍ନ୍ତଗତ ବାଙ୍କତିରା ହାଇସ୍କୁଲରେ । ଅର୍ଥ ମହଜୁଦ ଥାଇ ମଧ୍ୟ ଅଧାଗଢାରେ ଅଟକିଛି ଗୃହ ନିର୍ମାଣ ଯାହାକି ପିଲାଙ୍କ ଭବିଷ୍ୟତ ଗଢାରେ ବାଧକ ସାଜିଛି । ନା ଅଛି ଶ୍ରେଣୀ ଗୃହ,ନା ଅଛି ଶୌଚାଳୟ,ନା ଶୈକ୍ଷିକ ବାତାବରଣ ତଥାବି ଚାଲିଛି ବିଦ୍ୟାଳୟ । ଉକ୍ତ ବିଦ୍ୟାଳୟଟି ୧୯୮୭ ମସିହାରେ ପ୍ରତିଷ୍ଠା ହୋଇଥିଲା । ପ୍ରତିଷ୍ଠା ହେବାର ୩୭ ବର୍ଷ ଅତିକ୍ରମ କରିଯାଇଥିଲେ ସୁଦ୍ଧା ଏହାର ମୈାଳିକ ସମସ୍ୟାଗୁଡ଼ିକର ସମାଧାନ ହୋଇପାରି ନାହିଁ । ଚଳିତ ଶିକ୍ଷା ବର୍ଷରେ ଉକ୍ତ ହାଇସ୍କୁଲର ୮ମ ଶ୍ରେଣୀରେ ୩୮, ୯ମରେ ୫୩ ଓ୧୦ମରେ୬୪ ଏହିପରି ୩ଟି ଶ୍ରେଣୀରେ ମୋଟ ଛାତ୍ରଛାତ୍ରୀ ସଂଖ୍ୟା ୧୫୫ । ସର୍ବ ଶିକ୍ଷା ଅଭିଯାନର ନିୟମ ଅନୁସାରେ ୮ମ ଶ୍ରେଣୀ ପିଲାଙ୍କୁ ମଧ୍ୟାହ୍ନ ଭୋଜନ ଦେବାର ବ୍ୟବସ୍ଥା ଥିଲେ ସୁଦ୍ଧା ସେଥିପାଇଁ ଏହି ବିଦ୍ୟାଳୟଟିରେ ସ୍ଥାୟୀ ରୋଷେଇ ଗୃହ ନିର୍ମାଣ ହୋଇ ପାରୁ ନଥିବାରୁ ଏହା ଚାଳିଆରେ ଅସ୍ୱାସ୍ଥ୍ୟକର ପରିବେଶରେ ବହୁବର୍ଷ ଚାଲିବା ପରେ ବିଭିନ୍ନ ଗଣ ମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ୨୦୧୯ ମସିହାରେ ଏକ ରୋଷେଇ ଗୃହ ବିଭାଗ ପକ୍ଷରୁ ନିର୍ମାଣ କରାଯାଇଥିଲା । ଆବଶ୍ୟକୀୟ ଶ୍ରେଣୀ ଗୃହ ଅଭାବରୁ ଛାତ୍ରଛାତ୍ରୀମାନଙ୍କ ଶୈକ୍ଷିକ ପରିବେଶ ଅନୁକୁଳ ହେଉ ନଥିବା ପରିଲକ୍ଷିତ ହେଉଛି । ୨ଟି ସୁରକ୍ଷିତ ଛାତ ଗୃହରେ ୮ମ ଓ ୯ମ ଶ୍ରେଣୀର ପାଠପଢା ଚାଲିଥିବା ବେଳେ ଗୋଟିଏ ଅସୁରକ୍ଷିତ ଆଜବେଷ୍ଟସ ଗୃହରେ ଚାଲିଛି ୧୦ମ ଶ୍ରେଣୀର ପାଡପଢା । ହାଇସ୍ଖୁଲର ଗୃହ ସମସ୍ୟା ଲାଗି ରହିଥିବାରୁ ମଇ ସ୍କୁଲର ଏକ ଗୃହରେ ଏହାର କାର୍ଯ୍ୟାଳୟ ଚାଲିଛି । ଦୁଃଖ ଓ ବିଡ଼ମ୍ବନାର ବିଷୟ ଏହିକି ବର୍ତ୍ତମା ନ ଉକ୍ତ ବିଦ୍ୟାଳୟରେ ୪ଜଣ ଶିକ୍ଷକ ଶିକ୍ଷାଦାନ କରୁଥିବା ବେଳେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ(ପିଅନ) କାର୍ଯ୍ୟାରତ ଅଛନ୍ତି । ଟିଜି(କଳା)ରେ୨ଜଣ,ହିନ୍ଦୀ ଓ ଖେଳ ଶିକ୍ଷକ ପଦବୀ ଏହିପରି ୪ଜଣ ଶିକ୍ଷକଙ୍କ ପଦବୀ ଖାଲି ପଡ଼ିଥିବା ବେଳେ ଅଫିସ ସହକାରୀ ଓ ୨ଜଣ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ଆବଶ୍ୟକ ରହିଛି । କହିବାକୁ ଗଲେ ୧୨ଜଣ କର୍ମଚାରୀଙ୍କ ଆବଶ୍ୟକ ଥିବା ବେଳେ ୫ଜଣ କର୍ମଚାରୀଙ୍କୁ ନେଇ ଉକ୍ତ ହାଇସ୍କୁଲ ଚାଲିଛି । ଆବଶ୍ୟକୀୟ ପରିସ୍ରାଗୃହ ନଥିବାରୁ ଛାତ୍ରଛାତ୍ରୀମାନଙ୍କ ସହ ଶିକ୍ଷକ ଶିକ୍ଷୟତ୍ରୀମାନେ ଘୋର ଅସୁବିଧାର ସମ୍ୁଖୀନ ହେଉଛନ୍ତି । ବିଦ୍ୟାଳୟଟିର କୈାଣସି ସ୍ଥାୟୀ ପାଚେରୀ ନଥିବାରୁ ଗୋରୁ ଗାଈମାନଙ୍କ ସମେତ ଅସାମାଜିକ ବ୍ୟକ୍ତିଙ୍କର ଅବାଧ ପ୍ରବେଶ ଘଟିବା ସହ ପିଲାମାନଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହେଉଛି । ରକ୍ଷଣାବେକ୍ଷଣ ଅଭାବରୁ ଖେଳ ପଡ଼ିଆଟି ବ୍ୟବହାର ଯୋଗ୍ୟ ହୋଇପାରୁ ନାହିଁ । ବିଦ୍ୟାଳୟଟିରେ ବିଜ୍ଞାନଗାର କିମ୍ବା କୈାଣସି ଉପକରଣ ସାମଗ୍ରୀ ନଥିବାରୁ ବିଜ୍ଞାନ ବିଷୟରେ ଅଧ୍ୟୟନ, କଂପ୍ୟୁଟର ପାଠ୍ୟକ୍ରମ ଆଦିରେ ଅସୁବିଧା ସୃଷ୍ଟି ହେଉଛି । ଏହି ସବୁ ସମସ୍ୟାର ସୁଧାର ଆଣିବା ପାଇଁ ବିଭିନ୍ନ ଯୋଜନାରେ ଶ୍ରେଣୀ ଗୃହ ନିର୍ମାଣ,ପାଇଖାନା ଓ ପାନୀୟ ଜଳଯୋଗାଣ କାର୍ଯ୍ୟ,ଇ-ଲାଇବ୍ରେରୀ ଓ ବିଜ୍ଞାନାଗାର ନିର୍ମାଣ,ପରିସରର ସୌନ୍ଦର୍ଯ୍ୟ ଉନ୍ନତିକରଣ ଆଦି ପାଇଁ ପଂଚାୟତ ତରଫରୁ ଅର୍ଥ ମଂଜୁର ହୋଇଥିଲେ ସୁଦ୍ଧା ଏହି ସବୁ କାର୍ଯ୍ୟ ଅଧପନ୍ତରିଆ ଅବସ୍ଥାରେ ପଡ଼ିରହିଛି । ବର୍ଷାଧିକ କାଳ ବିତିଯିବା ପରେ ବି ଅସଂପୂର୍ଣ୍ଣ କାର୍ଯ୍ୟ ସଂପୂର୍ଣ୍ଣ ହେଉନଥିବାରୁ ଅଭିଭାବକମାନେ ଅସନ୍ତୋଷ ବ୍ୟକ୍ତ କରୁଥିବା ଜଣାପଡ଼ିଛି । ଗତ ଶିକ୍ଷା ବର୍ଷରେ ଉକ୍ତ ହାଇସ୍କୁଲର ସାଇକୃଷ୍ଣ ଜେନା ୫୫୬ନଂ(୯୨.୬୬%) ରଖି ଏୱାନ ଗ୍ରେଡ଼ରେ ଉର୍ତ୍ତିନ ହୋଇଥିଲେ । ତେଣୁ ଯଦି ହାଇସ୍କୁଲର ଶୈକ୍ଷିକ ବାତାବରଣରେ ପରିବର୍ତ୍ତନ ଅଣାଯାଇପାରନ୍ତା ତେବେ ଉକ୍ତ ହାଇସ୍କୁଲ ତାର ଆହୁରି ମାନ ବୃଦ୍ଧି କରିପାରନ୍ତା ବୋଲି ଅଭିଭାବକଙ୍କ ସମେତ ଶିକ୍ଷାବିତ୍ ମତପୋଷଣ କରିଛନ୍ତି । ସରକାରୀ ସ୍ତରରେ ଛତୁ ଫୁଟିବା ପରି ବିଦ୍ୟାଳୟମାନ ଖୋଲା ଯାଉଥିଲେ ସୁଦ୍ଧା ଅଧ୍ୟୟନ କ୍ଷେତ୍ରରେ ସେହିପରି କୌଣସି ସୁବିଧା ସୁଯୋଗ ଉପଲବ୍ଧ ହେଉ ନଥିବାରୁ ଏହା ଦ୍ୱାରା କିଛି ସୁଫଳ ମିଳିବା ବଦଳରେ ଏହା ଏକ ପ୍ରହସନରେ ପରିଣତ ହେଉଛି । ତେଣୁ ଶିକ୍ଷା ବ୍ୟବସ୍ଥାରେ ଏହି ପ୍ରହସନ ଆଉ କେତେଦିନ ବୋଲି ଲୋକମାନଙ୍କ ମଧ୍ୟରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହିପରି ଅବ୍ୟବସ୍ଥା ଯଦି ଲାଗି ରହେ ତେବେ ଏହା ନିଶ୍ଚିତ ଭାବେ କୋମଳମତୀ ଛାତ୍ରଛାତ୍ରୀମାନଙ୍କ ଉପରେ କୁପ୍ରଭାବ ପକାଇବ । ଏଥିରେ ଦ୍ୱିମତ ନାହିଁ ବୋଲି ବୁଦ୍ଧିଜୀବୀମାନେ ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି । ତେଣୁ ବିଭାଗୀୟ ଉଚ୍ଚକର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ଗ୍ରାମବାସୀଙ୍କ ସମେତ ଅଭିଭାବକ ମହଲରେ ଦାବି ହେଉଛି ।
ସେମାନେ ଯାହା କୁହନ୍ତି:
୦୧.ହାଇସ୍କୁଲ ପ୍ରତିଷ୍ଠା ହେବା ଦିନଠୁ ୩୫ବର୍ଷ ଧରି ମୁଁ ଏଠାରେ ଶିକ୍ଷାଦାନ କରିବା ସହ ହାଇସ୍କୁଲର ପ୍ରଧାନଶିକ୍ଷକ ହାଇତ୍ୱ ନିର୍ବାହ କରିଆସୁଥିଲି । ଆଖପାଖ ଗାଁର ଶତାଧିକ ଛାତ୍ରଛାତ୍ରୀ ଏଠାରେ ଶିକ୍ଷାଲାଭ କରି ବ୍ଲକ,ଜିଲ୍ଲା ତଥା ରାଜ୍ୟରେ ହାଇସ୍କୁଲର ମାନବୃଦ୍ଧି କରିଆସୁଛନ୍ତି । କିନ୍ତୁ ଗତ ୨ବର୍ଷ ହେବ ବିଦ୍ୟାଳୟର କିଛି ଶିକ୍ଷକ ଓ ଶିକ୍ଷା କର୍ମଚାରୀ ଅବସର ନେଇଥିବାରୁ ପଦବୀ ଫାଙ୍କା ପଡ଼ିଛି, ଯାହା ଶିକ୍ଷାର ମାନବୃଦ୍ଧିରେ ପ୍ରଭାବ ପକାଉଛି । ତେଣୁ ଉକ୍ତ ପଦବୀ ପୂରଣ ହୋଇ ପାରିଲେ ହାଇସ୍କୁଲ ତାର ପୂର୍ବ ଗୌରବ ବଜାୟ ରଖି ପାରନ୍ତା । ।

(ବାବାଜୀ ଚରଣ ରାଉତ,ପୂର୍ବତନ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ,ବାଙ୍କତିରା ହାଇସ୍କୁଲ)
୦୨.କର୍ମଚାରୀ ଅଭାବ ଓ ଶୈକ୍ଷିକ ବାତାବରଣ ଶିକ୍ଷାର ମାନବୃଦ୍ଧିରେ ପ୍ରଭାବ ପକାଉଛି । ଗତ ବର୍ଷ ଉକ୍ତ ହାଇସ୍ଖୁଲର ଛାତ୍ର ଏୱାନ ଗ୍ରେଡ଼ରେ ଉର୍ତ୍ତିନ ହୋଇ ବ୍ଲକରେ ହାଇସ୍କୁଲର ମାନ ବୃଦ୍ଧି କରିଛି । ତେଣୁ କର୍ମଚାରୀ ଅଭାବ ପୂରଣ ହୋଇପାରିଲେ ଶିକ୍ଷାର ମାନ ଆହୁରି ବୃଦ୍ଧି ହୋଇପାରନ୍ତା ।

(ବ୍ରହ୍ମାନନ୍ଦ ଭୂୟାଁ,ପ୍ରଧାନଶିକ୍ଷକ,ବାଙ୍କତିରା ହାଇସ୍କୁଲ)
୦୩.ହାଇସ୍କୁଲରେ କର୍ମଚାରୀ ଅଭାବ ଥିବା ସତ୍ତ୍ୱେ ପୂର୍ବ ଗୌରବ ବଜାୟ ରଖିବା ପାଇଁ ଶିକ୍ଷାଦାନ କ୍ଷେତ୍ରରେ ୪ଜଣ ଶିକ୍ଷକଙ୍କ ଚେଷ୍ଟା ଓ ଉତ୍ସାହ ମୋ ଅଧିନରେ ଥିବା ଅନ୍ୟ ବିଦ୍ୟାଳୟର ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ପାଇଁ ଉଦାହରଣ ପାଲଟିଛି । ତେଣୁ ବିଭାଗ ପକ୍ଷରୁ ହାଇସ୍କୁଲର ଅଭାବ ପୂରଣ ନିତ୍ୟାନ୍ତ ଆବଶ୍ୟକ ।

(ପ୍ରଦୀପ ପଲାଇ,ସିଆରସିସି,କାଦବରାଙ୍ଗ କ୍ଲଷ୍ଟର)

