Photo for the news of charigharia

ଚାରିଘରିଆବାସୀଙ୍କୁ କନ୍ଦାଉଛି ବର୍ଷା, ଶିକ୍ଷା, ସ୍ୱାସ୍ଥ୍ୟ ଓ ଗମନାଗମନ ହୋଇଯାଏ ଠପ୍‌

ରାଜ୍ୟ

ଆଗରପଡ଼ା :ଜଳ ନିଷ୍କାସନର ସୁବନ୍ଦୋବସ୍ତ ହୋଇ ପାରୁ ନଥିବାରୁ ଅସରାଏ ବର୍ଷା ହେଲେ ଗ୍ରାମବାସୀ ଜଳବନ୍ଦୀରେ ରହିଯିବା ସହ ଶିକ୍ଷା,ସ୍ୱାସ୍ଥ୍ୟ ଓ ଗମନାଗମନ ପୂରା ଠପ୍ ହୋଇଯାଉଛି । ଏହିପରି ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ବନ୍ତ ବ୍ଲକ ପୁରୁଷଣ୍ଢ ପଂଚାୟତ ଅନ୍ତର୍ଗତ୧୨ନଂ ୱାର୍ଡର ଚାରିଘରିଆ ଠାରେ । ଉକ୍ତ ଗାଁର ଲୋକ ସଂଖ୍ୟା ପାଖାପାଖି ୪୫୦ । ଆଗରପଡ଼ା-ଭଦ୍ରକ ମୁଖ୍ୟ ରାସ୍ତାର ମେଡ଼ିକାଲ (ଆଗରପଡ଼ା)ଛକ୍ ଠାରୁ ଏକ ରାସ୍ତା ଉକ୍ତ ଗାଁକୁ ସଂଯୋଗ କରୁଛି । ଉକ୍ତ ରାସ୍ତା ମୁଣ୍ଡଳୀ,ରଇଁତରା,ପୁରୁଷଣ୍ଢ ଆଦି ଗ୍ରାମକୁ ମଧ୍ୟ ସଂଯୋଗ କରୁଛି । ଏହିପରି ସ୍ଥଳେ ଉକ୍ତ ଗ୍ରାମରେ ଜଳ ନିଷ୍କାସନର କୌଣସି ସୁବନ୍ଦୋବସ୍ତ କରାଯାଉନଥିବାରୁ ଗାଁ ମଝିରେ ଥିବା ପୋଖରୀ ପାଣି ବର୍ଷା ଜଳରେ ପୂରିଯିବା ମାତ୍ରେ ଗ୍ରାମବାସୀମାନେ ଜଳବନ୍ଦୀ ହୋଇଯାଉଛନ୍ତି । ବଜାରକୁ ଆସିବା ପୂରା ବନ୍ଦ ହୋଇଯିବା ସହ ଉକ୍ତ ଗ୍ରାମରେ ଥିବା ଅଙ୍ଗନବାଡ଼ି କେନ୍ଦ୍ର ଅଚଳ ହୋଇପଡ଼ୁଛି । ପିଲାମାନେ କଲେଜ ଓ ସ୍କୁଲକୁ ମଧ୍ୟ ଶିକ୍ଷା ଲାଭ ପାଇଁ ଆସି ପାରୁନାହାନ୍ତି । ଏବଂ ଅନ୍ୟ ଗ୍ରାମକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡ଼ୁଛି । ବର୍ଷା ଜଳ ଏହିପରି ନାନାଦି ସମସ୍ୟା ଗ୍ରାମବାସୀଙ୍କ ପାଇଁ ସୃଷ୍ଟି କରୁଥିବାରୁ ବର୍ଷା ଆସିଲେ ଗ୍ରାମବାସୀଙ୍କ ଆଖିରେ ଳୁହ ଆସିଯାଉଛି । ବିଡ଼ମ୍ବନାର ବିଷୟ ଜଳ ନିଷ୍ନାସନ ପାଇଁ ଗତ ବର୍ଷ ବିଭାଗ ତରଫରୁ ରାସ୍ତାର ଉଭୟ ପାଶ୍ୱର୍ରେ ଡ୍ରେନ ନିର୍ମାଣ କରାଯାଇଥିଲେ ସୁଦ୍ଧା ତୃଟି ପୂର୍ଣ୍ଡ ନିର୍ମାଣ ଯୋଗୁଁ ଡ୍ରେନର ପାଣି ମୁଖ୍ୟ ଡ୍ରେନରେ ପଡ଼ିବା ପରିବର୍ତ୍ତେ ମୁଖ୍ୟ ଡ୍ରେନ ପାଣି ଉକ୍ତ ଡ୍ରେନରେ ଫେରି ଆସି ଗାଁ ଭିତରକୁ ପସୁଥିବାର ଜଣାପଡ଼ି ବା ପରେ ଗ୍ରାମବାସୀମାନେ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ ମଧ୍ୟ କରିଥିଲେ । ବିଭିନ୍ନ ଗଣମାଧ୍ୟମରେ ଉକ୍ତ ଖବର ମଧ୍ୟ ପ୍ରକାଶ ପାଇଥିଲା । କିନ୍ତୁ ବିଭାଗ ଏଥିପ୍ରତି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବାରୁ ଗତ କିଛି ଦିନ ଧରି ହେଉଥିବା ଲଗାଣବର୍ଷାରେ ଗ୍ରାମବାସୀମାନେ ନାନାଦି ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି । ବର୍ତ୍ତମାନ ମଧ୍ୟ ଗାଁର ଚାରିପାଖରେ ବର୍ଷାଜଳ ଘେରି ରହିଛି । ତେଣୁ ଏହା ଜମି ରହିବା ଦ୍ୱାରା ଡ଼େଙ୍ଗୁକୁ ମଧ୍ୟ ଆମନ୍ତ୍ରଣ କରୁଛି । ତେଣୁ କିଛି ବଡ଼ ଅଘଟନ ଘଟିବା ଆଗରୁ ଉକ୍ତ ଗାଁରେ ଜମି ରହୁଥିବା ବର୍ଷା ଜଳର ନିଷ୍କାସନ ପାଇଁ ବ୍ଲକ ପ୍ରଶାସନ ଓ ପଂଚାୟତ ପକ୍ଷରୁ ବିହିତ ପଦକ୍ଷେପ ନେବାକୁ ଗ୍ରାମବାସୀ ଦାବି କରିଛନ୍ତି ।

Shrutilipi ad