Photo for the news of cultivation land

ଚାଷଜମି ଜଳାର୍ଣ୍ଣବ, ଚାଷୀଙ୍କ ଧାରଣା ଚେତାବନୀ

ରାଜ୍ୟ

ଆଗରପଡ଼ା, :ତୃଟିପୂର୍ଣ୍ଣ କାଡ଼ାନାଳ ନିର୍ମାଣ ଯୋଗୁଁ ବର୍ଷାପାଣି ନିଷ୍କାସିତ ହୋଇ ନ ପାରିବାରୁ ପ୍ରାୟ ଶହେ ଏକରରୁ ଉର୍ଦ୍ଧ୍ୱ ଧାନଚାଷ ଜମି ନଷ୍ଟ ହେବାକୁ ବସିଲାଣି । ତେଣୁ ଆସନ୍ତା ୨୮ ତାରିଖରୁ କ୍ଷତିଗ୍ରସ୍ତ ଚାଷୀମାନେ ଆଗରପଡ଼ା ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ସାମ୍ନାରେ ଧାରଣା ଦେବେ ବୋଲି ଜିଲ୍ଲାପାଳ, କାଡ଼ା ନିର୍ବାହୀ ଯଂତ୍ରୀ, ବନ୍ତ ତହସିଲଦାର, ଆଗରପଡ଼ା ଥାନାଧିକାରୀ ଓ ରାଜସ୍ୱ ନିରୀକ୍ଷକଙ୍କୁ ଲିଖିତ ଭାବେ ଜଣାଇଛନ୍ତି । ପ୍ରାପ୍ତ ସୂଚନାନୁଯାୟୀ, ପୁରୁଷଣ୍ଢ ପଂଚାୟତସ୍ଥିତ ମୁଣ୍ଡଳୀ ଗ୍ରାମର ଅଧିକାଂଶ ଲୋକ ଧାନଚାଷ କରି ପରିବାର ପ୍ରତିପୋଷଣ କରିଥାନ୍ତି । ମୁଣ୍ଡଳୀ ମାଇନର କାଡ଼ାନାଳ ନିର୍ମାଣରେ ତୃଟି ସହ ଏହା ସଫା କରିବାର ଅବହେଳା ଯୋଗୁଁ ବର୍ଷାପାଣି ଚାଷଜମିରୁ ନିଷ୍କାସିତ ହୋଇ ପାରୁନାହିଁ । ଫଳରେ ରୁଆ ଧାନଗଛ ପଚି ସଢ଼ି ନଷ୍ଟ ହୋଇଗଲାଣି ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି । ଅନ୍ୟ କିଛି ଉପାୟ ନ ପାଇ ଚାଷୀମାନେ ନ୍ୟାୟ ପାଇବା ପାଇଁ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି । ଦୁଇମାସ ହେଲା ସଂପୃକ୍ତ ଅଂଚଳ ପାଇଁ କାର୍ଯ୍ୟରେ ଯୋଗଦାନ କରିଛି,କାଡ଼ାନାଳ ସମସ୍ୟା ସଂପର୍କରେ ଜାଣିନାହିଁ ବୋଲି କନିଷ୍ଠ ଯଂତ୍ରୀ ଗଣମାଧ୍ୟମକୁ କହିଛନ୍ତି ।

Shrutilipi ad