ଆଗରପଡ଼ା :ସରକାର ବିଭିନ୍ନ ପ୍ରକାର ଯୋଜନା ମାଧ୍ୟମରେ ଶିକ୍ଷା ବ୍ୟବସ୍ଥାରେ ସଂସ୍କାର ଆଣିବା ପାଇଁ ଚେଷ୍ଟିତ ହେଉଥିବା ବେଳେ ବିଭାଗୀୟ ଅଧିକାରୀଙ୍କ ଦୂର ଦୃଷ୍ଟିର ଅଭାବଯୋଗୁଁ ଏହା ସଫଳ ହେବା ପରିବର୍ତ୍ତେ ବିଫଳ ହେବାରେ ଲାଗିଛି । ଯେପରିକି କମ୍ପ୍ୟୁଟର ଯୁଗରେ ପିଲାଙ୍କୁ ଯୁଗ ସହିତ ତାଳ ଦେଇ ଚାଲିବା ପାଇଁ କଲେଜ, ହାଇସ୍କୁଲ, ପ୍ରାଇମେରୀ ,ଅପର ପ୍ରାଇମେରୀ ସ୍କୁଲକୁ ପ୍ରାକ୍ତନ ରାଜ୍ୟସଭା ସାଂସଦ ନିଜସ୍ୱ ପାଣ୍ଠି ଅନୁଦାନରେ କମ୍ପ୍ୟୁଟର ଯୋଗାଇ ଦେଇଥିଲେ କିନ୍ତୁ ଏହାକୁ ଚଲାଇବା ପାଇଁ ଶିକ୍ଷକ ନିଯୁକ୍ତି ହୋଇ ନଥିବା ଓ ଏଥିପାଇଁ ଅଲଗା ଶ୍ରେଣୀ ଗୃହ ମଧ୍ୟ ନଥିବାରୁ କମ୍ପ୍ୟୁଟର ଗୁଡ଼ିକ ଖତ ଖାଉଛି । ଅନେକ ଶିକ୍ଷାନୁଷ୍ଠାନରେ ଏହା ଖୋଲା ଯାଇ ନାହିଁ । ପୁଣି କେଉଁଠି କେବଳ ଶୋଭାବର୍ଦ୍ଧନ ପାଇଁ ରଖାଯିବା ପରି ମନେ ହେଉଛି ତ ଆଉ କେଉଁଠି ଏହା ପଡ଼ିପଡ଼ି ନଷ୍ଟ ହେଇଯାଇଛି । ଏଥିପାଇଁ ସ୍ୱତନ୍ତ୍ର ଭାବେ ଶିକ୍ଷକ ନିଯୁକ୍ତି ପାଇଁ ସରକାରୀ ସ୍ତରରେ ବ୍ୟବସ୍ଥା ନାହିଁ । ଅନ୍ୟପକ୍ଷରେ ଶିକ୍ଷାନୁଷ୍ଠାନଗୁଡ଼ିକରେ ଅବସ୍ଥାପିତ ଶିକ୍ଷକ, ଶିକ୍ଷୟତ୍ରୀମାନଙ୍କ ସ୍ପୃହାଶକ୍ତି ଅଭାବରୁ ଏହା ବ୍ୟବହାର ହୋଇ ନ ପାରି ଖେଳନା ସଦୃଶ୍ୟ ପଡ଼ିରହିଛି । ଯଦ୍ୱାରା ଲକ୍ଷାଧିକ ଟଙ୍କା ପାଣିରେ ପଡ଼ିବା ସାର ହୋଇଛି । ଶ୍ରେଣୀ ଗୃହ ଅଭାବରୁ ପିଲାମାନଙ୍କୁ ଠିକ୍ଭାବେ ଶିକ୍ଷାଦାନ କରାଯାଇ ପାରୁ ନାହିଁ । କମ୍ପ୍ୟୁଟର ଶିକ୍ଷା ହାସଲ କରିବୁ କେତେବେଳେ ବୋଲି କିଛି ବିଦ୍ୟାଳୟର ପ୍ରଧାନଶିକ୍ଷକ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଓଲଟି ପ୍ରଶ୍ନ କରିଛନ୍ତି । ଦୂରଦୃଷ୍ଟି ତଥା କେତେ ଆଶା ଆକାଂକ୍ଷା ରଖି ସାଂସଦମାନେ କମ୍ପ୍ୟୁଟର ଦେଇଥିଲେ ମାତ୍ର ସେମାନଙ୍କ ସ୍ୱପ୍ନ କିଛି ସଫଳ ହୋଇପାରି ନାହିଁ । ବର୍ତ୍ତମାନ କମ୍ପ୍ୟୁଟର ଯୁଗ ଚାଲିଛି । ଏହାର ବହୁଳ କାର୍ଯ୍ୟକାରୀତା ସମସ୍ତେ ଉପଲବ୍ଧି କରୁଛନ୍ତି । ବ୍ୟାଙ୍କ ହେଉବା ଶିକ୍ଷାନୁଷ୍ଠାନ ସବୁ ସ୍ଥାନରେ କମ୍ପ୍ୟୁଟର ବ୍ୟବହୃତ ହେଉଛି । ଏଥିପାଇଁ ପ୍ରତି ସ୍ଥାନରେ ଶିକ୍ଷାଦାନ ପାଇଁ ଛତୁ ଫୁଟିଲା ପରି କମ୍ପ୍ୟୁଟର ସେଣ୍ଟରମାନ ଖୋଲିଥିବାର ପରିଲକ୍ଷିତ ହେଉଛି । ଏହି ସବୁକୁ ଲକ୍ଷ୍ୟ କରି କିଛି ରାଜ୍ୟ ସଭା ସାଂସଦ ସେମାନଙ୍କ ହାତପାଣ୍ଠିରୁ ବିଭିନ୍ନ ଶିକ୍ଷାନୁଷ୍ଠାନକୁ କମ୍ପ୍ୟୁଟର ଯୋଗାଇ ଦେଇଥିଲେ ମାତ୍ର ସେମାନଙ୍କ ସ୍ୱପ୍ନ ସଫଳ ହୋଇନପାରିବା ବଡ଼ ଦୁଃଖ ଓ ଅନୁତାପର ବିଷୟ । ଏଥିପ୍ରତି ବିଭାଗୀୟ ଅଧିକାରୀ ମାନେ ଦୃଷ୍ଟି ଦେବାକୁ ଜନସାଧାରଣଙ୍କ ପକ୍ଷରୁ ଦାବି ହେଉଛି ।

