Bik

ନାବାଳକଙ୍କ ହାତରେ ବାଇକ୍‌, ସଚେତନତାରେ ଅଟକିଛି କାର୍ଯ୍ୟାନୁଷ୍ଠାନ

ରାଜ୍ୟ

ଆଗରପଡ଼ା, :ଦିନକୁ ଦିନ ବେପରୁଆ ଗାଡି ଚାଳନା ବୃଦ୍ଧି ପାଇବାରେ ଲାଗିଛି । କାହାରିକୁ ନମାନି ବେପରୁଆ ଭାବେ ଦୃତ ଗତିରେ ଗାଡ଼ି ଚଳାଇବାରେ ମୁଖ୍ୟତଃ ପିଲାମାନଙ୍କୁ ଦେଖିବାକୁ ମିଳୁଛି । ପିଲାଙ୍କ ହାତରେ ଅଭିଭାବକମାନେ ବାଇକ୍ ଚାବି ଧରାଇଦେବା ପରେ ସେମାନେ ଆଉ କାହାରିକୁ ମାନୁନାହାନ୍ତି । ନିୟମିତ ଏଭଳି ବାଇକ୍ ଚାଳନା ପାଇଁ ଅନ୍ୟ ପଥଚାରୀ ଦୁର୍ଘଟଣାର ଶିକାର ହେଉଛନ୍ତି । ସଡ଼କ ଦୁର୍ଘଟଣା ସବୁଠି ଚିନ୍ତାର କାରଣ ହୋଇଛି ଓ ଭଦ୍ରକ ଜିଲ୍ଲା ବନ୍ତ ବ୍ଲକରେ ବହୁ ବ୍ୟକ୍ତିଙ୍କ ଜୀବନ ମଧ୍ୟ ଏହି କାରଣରୁ ଯାଇଛି । ଖାସ୍ କରି ଦୁଇ ଚକିଆ ଯାନ ଯୋଗୁଁ ଅଧିକ ଦୁର୍ଘଟଣା ଘଟୁଛି । ତେବେ କହିବାକୁ ଗଲେ ଏହା ପଛରେ ନାବାଳକଙ୍କ ହାତରେ ବାଇକ୍ ଏକ ପ୍ରମୁଖ କାରଣ ହୋଇଥିବାର ଜଣାପଡ଼ିଛି । ଏହାକୁ ନେଇ ବିଭିନ୍ନ ଗଣମାଧ୍ୟମରେ ବାରମ୍ବାର ଖବର ପ୍ରକାଶିତ ହେଉଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଆଜି ପର୍ଯ୍ୟନ୍ତ ଗ୍ରହଣ କରାଯାଉନାହିଁ । ଯଦ୍ୱାରା ସ୍କୁଲ୍ ଓ କଲେଜ ଯାଉଥିବା ଛାତ୍ରଛାତ୍ରୀ ବାଇକ୍ ଓ ସ୍କୁଟି ଚଳାଉଥିଲାବେଳେ ଏଥିପ୍ରତି କାହାରି ନିଘା ରହୁ ନଥିବା ଅଭିଯୋଗ ହେଉଛି ବନ୍ତ ବ୍ଲକର ବିଭିନ୍ନ ରାସ୍ତା ଘାଟ ସହ ଗାଁ ଗଣ୍ଡା ସବୁଠି ପିଲାଙ୍କ ହାତରେ ବାଇକ୍ । କିଏ ବାଇକ୍ ଚଳାଉଛି ତ କାହା ହାତରେ ସ୍କୁଟି । ସ୍କୁଲ୍ ଓ କଲେଜ ସହିତ ଟ୍ୟୁସନ୍ ଯାଉଥିବା ପିଲାମାନେ ଏସବୁକୁ ଚଳାଉଥିବା ଦେଖିବାକୁ ମିଳୁଛି । ଗୋଟିଏ ଗୋଟିଏ ଗାଡ଼ିରେ ୨ରୁ ୩ ଜଣ ଲେଖାଏଁ ବସି ଅତି ବେପରୁଆ ଭାବେ ଅତି ଦୃତଗତିରେ ତାହା ଚାଳନା କରୁଛନ୍ତି । ଯାହାଫଳରେ ଦୁର୍ଘଟଣା ଚଢ଼ିବାରେ ଲାଗିଛି । ସରକାରୀ ନିୟମ ଅନୁସାରେ ନାବାଳକ ଓ ନାବାଳିକାଙ୍କୁ ଗାଡ଼ି ଚଳାଇବା ପାଇଁ ଲାଇସେନ୍ସ ପ୍ରଦାନ କରାଯାଇପାରିବ ନାହିଁ । ତେଣୁ ସେମାନେ ବାଇକ୍ ଓ ଗାଡ଼ି ଚଳାଇବା ବେଆଇନ୍ କିନ୍ତୁ ଅଭିଭାବକଙ୍କ ଠାରୁ ଆରମ୍ଭ କରି ପୋଲିସ ଓ ପ୍ରଶାସନ ଯାଏଁ କାହାରି ଏଥିପ୍ରତି ଦୃଷ୍ଟି ପଡୁନଥିବା ଜଣାପଡୁଛି । ୨୦୧୯ର ସେକ୍ସନ୍ ୧୯୯(ଏ)ମୁତାବକ,୧୮ ବର୍ଷରୁ କମ୍ ବୟସର ଯେ କୌଣସି ଭାରତୀୟ ନାଗରିକ ଗାଡ଼ି ଚଳାଇବା ଦଣ୍ଡନୀୟ ଅପରାଧ ଏଥିଲାଗି ସେମାନଙ୍କୁ ୨୫ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଗଣିବାକୁ ପଡ଼ିପାରେ । ଏହାକୁ ଭିତ୍ତି କରି କାଁ ଭାଁ କେତେବେଳେ ପୋଲିସ ତ ଆଉ କେତେବେଳେ ପ୍ରଶାସନ ତରଫରୁ ଚଢ଼ଉ ହେଉଛି ସତ କିନ୍ତୁ ଏହା ଆଖିଦୃଶିଆ ହେଉନଥିବାରୁ ରାସ୍ତାରେ ବିନା ଲାଇସେନ୍ସ ଓ ବିନା ହେଲ୍‌ମେଟରେ ଶତାଧିକ ପିଲା ଗାଡ଼ି ଚଳାଉଥିବା ବେଳେ କାହାରି ନିଘା ନ ରହିବା ଅନ୍ୟମାନଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ଏମିତିକି ଉକ୍ତ ଆମେଣ୍ଡମେଣ୍ଟଅନୁସାରେ ଅଧିକ ଦଣ୍ଡବିଧାନ ମଧ୍ୟ ହୋଇପାରେ । ଖାଲି ସେତିକି ନୁହେଁ ନାବାଳକ/ନାବାଳିକା ଗାଡ଼ି ଚାଳକଙ୍କୁ ଭବିଷ୍ୟତରେ ଲାଇସେରୁ ମିଳିବା କଷ୍ଟକର ହୋଇପାରେ । ସେହିପରି ନିୟମିତ ଉଲଙ୍ଘନ ଜାରୀଙ୍କ ଅଭିଭାବକମାନେ ମଧ୍ୟ ଅକଳରେ ପଡ଼ିପାରନ୍ତି । ସମସ୍ତ ଜିଲ୍ଲାରେ ପରିବହନ ମୋଟର ଭେଇକିଲ୍ସ ଆମେଣ୍ଡମେଣ୍ଟ ଆକ୍ଟ ଅଧିକାରୀମାନେ ସ୍ୱତନ୍ତ୍ର ଡ୍ରାଇଭ୍ କରୁଛନ୍ତି । କିନ୍ତୁ ଭଦ୍ରକ ଜିଲ୍ଲାର ବନ୍ତ ବ୍ଲକରେ ଏହାର କୌଣସି ପ୍ରଭାବ ପଡୁ ନଥିବା ଦେଖିବାକୁ ମିଳୁଛି । ସୂଚନା ଅନୁଯାୟୀ,ବନ୍ତ ବ୍ଲକରେ ବହୁ ଘରୋଇ ଶିକ୍ଷାନୁଷ୍ଠାନ ରହିଛି । ସେସବୁ ସ୍ଥାନକୁ ପିଲାମାନେ ଗାଡ଼ି ନେଇ ଯାଉଛନ୍ତି । ଉକ୍ତ ସ୍ଥାନରେ ମଧ୍ୟ କେହି ଏହାକୁ ଗୁରୁତ୍ୱ ଦେଉନାହାନ୍ତି । ସରକାରୀ କଲେଜ ଗୁଡ଼ିକରେ ବି ସମଦଶା ଦେଖିବାକୁ ମିଳୁଛି । ଲୋକଦେଖାଣିଆ ବାରଣ କରି ଶିକ୍ଷାନୁଷ୍ଠାନ ଚୁପ୍ ଚସୁଥିବା ବେଳେ ବିଭାଗ ପକ୍ଷରୁ ଚଢ଼ଉ ହେଉ ନଥିବାରୁ ପିଲାଙ୍କ ଡର ରହୁନି । ପ୍ରାପ୍ତ ସୂଚନା ଅନୁଯାୟୀ ବନ୍ତରେ ଗତ ୨୦୨୧ ଓ ୨୨ରେ୯,୨୦୨୩ରେ ୮ ଓ ୨୦୨୪ ଡ଼ିସେମ୍ବର ୨୭ ତାରିଖ ସୁଦ୍ଧା ୧୨ଜଣଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁବରଣ ହୋଇଥିବା ବେଳେ ଆଗରପଡ଼ାରେ ୨୦୨୦ରେ୪,୨୦୨୧ରେ ଜଣେ, ୨୦୨୨ରେ୫ ,୨୩ରେ୬ ଓ ୨୦୨୪ରେ ୪ ଜଣଙ୍କର ସଡ଼କ ଦୁର୍ଘଟଣାରେ ମୃତ୍ୟୁବରଣ ଘଟିଥିବା ବେଳେ ଶତାଧିକ ଲୋକ ଆହତ ହୋଇଛନ୍ତି । ଏ ସମ୍ପର୍କରେ ଆଗରପଡ଼ାରେ ଥିବା କଳିଙ୍ଗ କମ୍ପ୍ୟୁଟର୍ସ ନିର୍ଦ୍ଦେଶକ ବିନୋଦ ଧଳ ସାମନ୍ତଙ୍କ କହିବା ଅନୁସାରେ ଛାତ୍ରଛାତ୍ରୀଙ୍କୁ ଗାଡ଼ି ନେଇ ଶିକ୍ଷାନୁଷ୍ଠାନ ଆସିବାକୁ ବାରଣ କରାଯାଇଛି କିନ୍ତୁ ସଚେତନତାର ଅଭାବ ଓ ଅଭିଭାବକଙ୍କ ଇଚ୍ଛା ଶକ୍ତିର ଅଭାବରୁ କିଛି ପିଲା ସରକାରୀ ନିୟମକୁ ମାନୁଥିବା ବେଳେ ଅନେକ ଏହାକୁ ମାନୁନଥିବାରୁ ଆଗାମୀ ଦିନରେ ଏହା ଏକ ବଡ଼ ସମସ୍ୟା ରୂପେ ଉଭା ହେବାର ସମ୍ଭାବନାକୁ ଏଡ଼ାଇ ଦିଆ ନଯାଇପାରେ । ତେଣୁ ପ୍ରଶାସନ ଉକ୍ତ ସମସ୍ୟାକୁ ଗମ୍ଭୀରତାର ସହ ନେଇ ସରକାରୀ ନିୟମକୁ କଡ଼ାକଡ଼ି ପାଳନ କରିବା ସହ ସଚେତନାର ବାର୍ତ୍ତା ପ୍ରଦାନ ପାଇଁ ପ୍ରୟାସ କରିବାକୁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି ।

Shrutilipi ad