ଆଗରପଡ଼ା :ବୁଧବାର ଅପରାହ୍ନ ପ୍ରାୟ ୫ଟା ସମୟରେ ଭଦ୍ରକରୁ ଆଗରପଡ଼ାକୁ ଆସୁଥିବା ଏକ ଯାତ୍ରୀବାହୀ ମିନି ବସରେ ୨ଭଉଣୀଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିବା ସହ ଅଶ୍ଳୀଳ ଇଙ୍ଗିତ କରିବା ଅଭିଯୋଗରେ ଜନୈକ ଯୁବକ ଥାନାରେ ଅଟକ ଅଛନ୍ତି । ଥାନାଧିକାରୀ ଦେବରାଜ ଜେନା ଅଭିଯୁକ୍ତଙ୍କୁ ପଚରାଉଚୁରା ଖବର ଲେଖା ହେବା ବେଳକୁ ଜାରି ରଖିଥିଲେ । ଅଭିଯୋଗରୁ ଜଣାପଡ଼ିଛି, ସ୍ଥାନୀୟ ଗୋପିନାଥପୁର ଅଂଚଳର ୨ଭଉଣୀ ବସରେ ଭଦ୍ରକରୁ ଆଗରପଡ଼ା ଫେରୁଥିଲେ । ଯୁବତୀ ବସିଥିବା ବସ ସିଟରେ ଅଭିଯୁକ୍ତ ଜଣଙ୍କ ମଧ୍ୟ ବସିଥିଲେ । ତାଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିବାରୁ ଏଥିରେ ଅତିଷ୍ଠ ହୋଇ ସେ ଅନ୍ୟ ସିଟକୁ ଉଠିଯାଇ ତାଙ୍କ ଭଉଣୀଙ୍କୁ ଆଣି ସେଇ ସିଟରେ ବସାଇ ଥିଲେ । ମାତ୍ର ତାଙ୍କୁ ମଧ୍ୟ ଅନୁରୂପ ବ୍ୟବହାର ଅଭିଯୁକ୍ତ କରିଥିଲେ । ଶେଷରେ ଅନ୍ୟ କିଛି ଉପାୟ ନ ପାଇ ଯୁବତୀ ଘରକୁ କଲ କରି ଏ ସଂପର୍କରେ କହିଥିଲେ । ଏ କଥା ଜାଣିପାରି ଅଭିଯୁକ୍ତ ଜାମବଣି ଛକରେ ଓହ୍ଲାଇ ପଡ଼ିଥିଲେ । ସେଠାରେ ଉପସ୍ଥିତ ଥିବା ଲୋକଙ୍କ ସହାୟତାରେ ୨ ଉଭଣୀ ଅଭିଯୁକ୍ତଙ୍କୁ ପୁଣି ସେହି ବସରେ ଆଗରପଡ଼ାକୁ ନେଇଆସି ପୋଲିସ ଜିମା ଦେଇଥିଲେ । ସଂଯୁକ୍ତ ଅଭିଯୁକ୍ତଙ୍କ ଘର ସ୍ଥାନୀୟ ବଉଳଢ଼ିହ ଗ୍ରାମରେ ଓ ସେ ବାଙ୍ଗାଲୋରରେ ରୁହନ୍ତି ବୋଲି ଜଣା ପଡ଼ିଛି ।

