Mixcollage 16 jul 2025 03 19 pm

ବିଜେଡିର ବିକ୍ଷୋଭ ପ୍ରଦର୍ଶନ; ପ୍ରଣବ ଦାସ ଏବଂ ପ୍ରୀତିରଞ୍ଜନ ଘଡ଼ାଇ ଆହତ

ରାଜ୍ୟ

ଭୁବନେଶ୍ୱର: ଭୁବନେଶ୍ୱରର ଲୋକସେବା ଭବନ ଅଭିମୁଖେ ବିଜେଡିର ପଦଯାତ୍ରା ସମୟରେ ଦଳୀୟ ନେତା ପ୍ରଣବ ପ୍ରକାଶ ଦାସ ଏବଂ ପ୍ରୀତିରଞ୍ଜନ ଘଡ଼ାଇ ଆହତ ହୋଇଛନ୍ତି।

ଏଫଏମ କଲେଜର ୨୦ ବର୍ଷୀୟ କଲେଜ ଛାତ୍ରୀଙ୍କ ପାଇଁ ନ୍ୟାୟ ଦାବି କରି ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।

ସୂଚନା ଅନୁଯାୟୀ, ଶତାଧିକ ବିଜେଡି କର୍ମୀ ମାଷ୍ଟର କ୍ୟାଣ୍ଟିନ୍ ଛକରୁ ରାଜ୍ୟ ସଚିବାଳୟ ଅଭିମୁଖେ ପଦଯାତ୍ରା କରିବା ସମୟରେ ପୋଲିସ ଲୁହବୁହା ଗ୍ୟାସ୍ ସେଲ୍ ଏବଂ ପାଣି ମାଡ କରାଯାଇଥିଲା। ସୁରକ୍ଷା ବ୍ୟାରିକେଡ୍ ଭାଙ୍ଗି ଆଗକୁ ବଢ଼ିବାକୁ ଚେଷ୍ଟା କରିବା ବେଳେ ଉତ୍ତେଜନା ଦେଖାଦେଇଥିଲା।

ପ୍ରଣବଙ୍କ ଗୋଟିଏ ଗୋଡ଼ରେ ଏକ ଲୁହବୁହା ଗ୍ୟାସ୍ ସେଲ୍ ବାଜିବାରୁ ସେ ଆହତ ହୋଇଥିଲେ। ତାଙ୍କୁ ଚିକିତ୍ସା ପାଇଁ ଆପୋଲୋ ହସ୍ପିଟାଲର ICUରେ ଭର୍ତ୍ତି କରାଯାଇଥିଲା। ସେହିପରି ପ୍ରୀତିରଞ୍ଜନ ମଧ୍ୟ ଆହତ ହୋଇଥିଲା ବେଳେ ତାଙ୍କୁ ହସ୍ପିଟାଲର ଭର୍ତ୍ତି କରାଯାଇଛି।

ଅପରପକ୍ଷରେ ପୋଲିସର ନିର୍ମମ ଓ ଅମାନୁଷିକ ଆକ୍ରମଣକୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କଡା ଭାଷାରେ ନିନ୍ଦା କରିଛନ୍ତି। ଶାନ୍ତିପୂର୍ଣ ଆନ୍ଦୋଳନକାରୀଙ୍କ ଉପରେ ପୋଲିସ ର ଏଭଳି ଅତ୍ୟାଚାରକୁ ସେ ବର୍ବୋରୋଚିତ ବୋଲି ବର୍ଣ୍ଣନା କରିଛନ୍ତି।

ତେବେ ଏହି ଘଟଣାରେ ବହୁ ବିଜେଡ଼ି କର୍ମୀ ଓ ସାଧାରଣ ଲୋକ ଆହତ ହେବା ଖବରରେ ନବୀନ ଉଦବେଗ ପ୍ରକାଶ କରିଛନ୍ତି।

ସେହିପରି ସୁଲତା ଦେଓ, ପ୍ରମିଳା ମଲ୍ଲିକ, ସୁନୀଲ ମହାନ୍ତି, ବିଶ୍ୱ ମଲ୍ଲିକ, ଜିତୁ ବଳବନ୍ତରାୟ ଏବଂ ସଞ୍ଜୀବ ମଲ୍ଲିକଙ୍କ ସମେତ ଅନେକ ବିଜେଡି ନେତା ଆହତ ହୋଇଛନ୍ତି ଏବଂ ସେମାନଙ୍କୁ ଚିକିତ୍ସା ପାଇଁ ଆପୋଲୋ ହସ୍ପିଟାଲକୁ ନିଆଯାଇଛି। “ଏହା ଏକ ଶାନ୍ତିପୂର୍ଣ୍ଣ ପ୍ରତିବାଦ ଥିଲା.. କିନ୍ତୁ ପୋଲିସ, କୌଣସି କାରଣ ବିନା, ଲୁହ ବୁହା ଗ୍ୟାସ, ପାଣି ଏବଂ ରବର ଗୁଳି ମାଡ କରିଥିଲା। ଏହା ଏହି ସରକାରଙ୍କ ମାନସିକତା… ବୋଲି କହିଛନ୍ତି ବିଜେଡି ନେତା ଚନ୍ଦ୍ର ଶେଖର ସାହୁ।

ପୋଲିସ ଆକ୍ରମଣରେ ଆହତ ସାଂସଦ ସୁଲତା ଦେଓ, ପୂର୍ବତନ ମନ୍ତ୍ରୀ ପ୍ରଣବ ପ୍ରକାଶ ଦାସ ଓ ପ୍ରୀତିରଞ୍ଜନ ଘଡ଼ାଇଙ୍କ ସହ ନବୀନ ଫୋନ୍ ଯୋଗେ କଥା ହୋଇ ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିବା ସହ ଆଶୁ ଆରୋଗ୍ୟ କାମନା କରିଛନ୍ତି।

Shrutilipi ad