Photo for the news of road strike

ଆଗରପଡ଼ା ମୁଖ୍ୟ ବଜାରକୁ ସଂଯୋଗୀକରଣ ରାସ୍ତା ଦୂରାବସ୍ଥା ପ୍ରସଙ୍ଗ, କଂଗ୍ରେସ ପକ୍ଷରୁ ରାସ୍ତା ରୋକ

ରାଜ୍ୟ
  • ପ୍ରତିଶ୍ରୁତି ପରେ ରାସ୍ତା ରୋକ ପ୍ରତ୍ୟାହୁତ

ଆଗରପଡ଼ା :ଆଗରପଡ଼ା ମୁଖ୍ୟ ବଜାରକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାର ଦୂରାବସ୍ଥାରେ ସୁଧାର ଆଣିବା ନେଇ ପ୍ରଶାସନ ପକ୍ଷରୁ ଆସନ୍ତା ୧୩ ତାରିଖ ଭିତରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ୧୪ ତାରିଖ (ସୋମବାର) କଂଗ୍ରେସ ପକ୍ଷରୁ ରାସ୍ତାରୋକ କରାଯିବ ବୋଲି ଆଗରପଡ଼ା ସ୍ଥିତ ଇଲେଭେନଷ୍ଠାର କ୍ଲବ ପରିସରରେ ବୁଧବାର ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବ୍ଲକ ସଭାପତି ରାଜକିଶୋର ସ୍ୱାଇଁ ସୂଚନା ଦେଇଥିଲେ । କିନ୍ତୁ ଉକ୍ତ ସମୟ ଅବଧି ମଧ୍ୟରେ ବିଭାଗ କିମ୍ବା ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବାରୁ ସୂଚନା ଅନୁଯାୟୀ ସୋମବାର ସକାଳୁ କଂଗ୍ରେସ ପକ୍ଷରୁ ରାସ୍ତା ରୋକ ଆନ୍ଦୋଳନ ଆରମ୍ଭ ହୋଇଥିଲା । ବରିଷ୍ଠ ନେତା ନବଜ୍ୟୋତି ପଟ୍ଟନାୟକ, ପ୍ରାକ୍ତନ ବିଧାୟକ ପଂଚାନନ ମଣ୍ଡଳ,ବ୍ଲକ ସଭାପତି ରାଜକିଶୋର ସ୍ୱାଇଁ, ରବିନାରାୟଣ ମହାନ୍ତି, ସତ୍ୟବାନ ଦାସ, କାର୍ତ୍ତିକ ଜେନା, ଛାୟାକାନ୍ତ ନନ୍ଦ, ଗୟାଧର ପତି, ବାଙ୍କବିହାରୀ ଜେନା ପ୍ରମୁଖ ଏଥିରେ ସାମିଲ ଥିଲେ । ପରେ ବିଭାଗୀୟ ଅଧିକାରୀ ଘଟଣା ସ୍ଥଳରେ ପହଂଚି ଆସନ୍ତା ୭ଦିନ ଭିତରେ ରାସ୍ତା ମରାମତି କାର୍ଯ୍ୟ ଆରମ୍ଭ କରିବାର ପ୍ରତିଶ୍ରୁତି ଦେବା ପରେ ରାସ୍ତା ରୋକ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା । ଘଟଣାସ୍ଥଳରେ ଥାନାଧିକାରୀ ଦେବରାଜ ଜେନା ମଧ୍ୟ ଉପସ୍ଥିତ ଥିଲେ । ନବ ଉତ୍କଳର ନିର୍ମାତା ଉତ୍କଳ କେଶରୀ ଡ଼କ୍ଟର ହରେକୃଷ୍ଣ ମହତାବଙ୍କ ଜନ୍ମମାଟି ଏବଂ ଏକମାତ୍ର ଐତିହାସିକ କର୍ମମନ୍ଦିର ଆଗରପଡ଼ା ଠାରେ ଅବସ୍ଥିତ ଥିବାରୁ ଉକ୍ତ ଅଂଚଳ ଓଡ଼ିଶା ତଥା ଭାରତ ଇତିହାସରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି । କିନ୍ତୁ ଦୁର୍ଭାଗ୍ୟର କଥା ଆଜି ପର୍ଯ୍ୟନ୍ତ ଏହି ଅଂଚଳକୁ ସଂଯୋଗ କରୁଥିବା ସମସ୍ତ ରାସ୍ତା ଯଥା- ଜିଲ୍ଲା ସଦର ମହକୁମାକୁ ଯିବା ପାଇଁ ଆଗରପଡ଼ା-ବରପଦା ରାସ୍ତା, ବ୍ଲକ ଓ ତହସିଲ ଯିବା ପାଇଁ ଆଗରପଡ଼ା-ବନ୍ତ ରାସ୍ତା, ପଡ଼ୋଶୀ ଜିଲ୍ଲା କେନ୍ଦୁଝର ଯିବା ପାଇଁ ଆଗରପଡ଼ା-ଆନନ୍ଦପୁର ରାସ୍ତା ଏବଂ ବାଲେଶ୍ୱର ଜିଲ୍ଲାକୁ ଯିବା ପାଇଁ ଆଗରପଡ଼ା-କୁପାରୀ ରାସ୍ତା ଅତ୍ୟନ୍ତ ଶୋଚନୀୟ ଅବସ୍ଥାରେ ପଡ଼ି ରହିଛି ଏବଂ ରାସ୍ତା ଗୁଡ଼ିକ ମରଣଯନ୍ତା ପାଲଟିଛି । ଆଗରପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ମୁଖ୍ୟ ବଜାର ଉପରେ ଆମ ଜିଲ୍ଲା ତଥା ପଡ଼ୋଶୀ ବାଲେଶ୍ୱର ଓ କେନ୍ଦୁଝର ଏହିପରି ପାଖାପାଖି ୩ ଗୋଟି ଜିଲ୍ଲାର ଅଧିବାସୀ ନିର୍ଭର କରିଥାନ୍ତି । ରାସ୍ତା ସମସ୍ୟାକୁ ନେଇ ବାରମ୍ବାର କଂଗ୍ରେସ ଦଳର ନେତୃତ୍ୱମାନେ ପ୍ରଶାସକଙ୍କ ପାଖରେ ନିଜର ଦାବି ରଖି ଆସୁଥିଲେ । କିଛିଦିନ ତଳେ ଆଗରପଡ଼ା-ବରପଦା ରାସ୍ତାର ମରାମତି କରାଯାଇଥିଲେ ସୁଦ୍ଧା ଏହା ନିମ୍ନମାନର ହୋଇଥିବାରୁ ପୁଣି ସେହି ରାସ୍ତା ଶୋଚନୀୟ ହେବା ସହ ଯାତାୟତ ଆଉ ସମ୍ଭବ ହୋଇପାରୁ ନାହିଁ । ତେଣୁ ପ୍ରଶାସନ ଉକ୍ତ ଘଟଣାଟିକୁ ସକରାତ୍ମକ ଭାବରେ ଗ୍ରହଣ କରି ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ସେମାନେ ଜିଲ୍ଲାପାଳଙ୍କ ସମେତ ବିଭିନ୍ନ ପଦାଧିକାରୀଙ୍କ ଦୃଷ୍ଟି ଆକର୍ଷଣ ମଧ୍ୟ କରିଥିଲେ ।

Shrutilipi ad