Odisha college students 668x430

ସେପ୍ଟେମ୍ବର ୨୫ କିମ୍ବା ୨୬ରେ ଛାତ୍ର ସଂସଦ ନିର୍ବାଚନ କରିବାକୁ ଉଚ୍ଚଶିକ୍ଷା‌ ବିଭାଗର ଯୋଜନା

ରାଜ୍ୟ

ଭୁବନେଶ୍ବର: ଖୁବଶୀଘ୍ର ଛାତ୍ର ସଂସଦ ନିର୍ବାଚନ ହେବାକୁ ଯାଉଛି । ଏନେଇ ଛାତ୍ର ନେତାଙ୍କ ମଧ୍ୟରେ ଉତ୍କଣ୍ଠା ଜାରି ରହିଥିବା ବେଳେ ଏନେଇ ଏକ ତାରିଖ ସାମ୍ନାକୁ ଆସିଛି । କୁହାଯାଉଛି ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଆଗାମୀ ସେପ୍ଟେମ୍ବର ୨୫ କିମ୍ବା ୨୬ରେ ଛାତ୍ର ସଂସଦ ନିର୍ବାଚନ କରିବାକୁ ଉଚ୍ଚଶିକ୍ଷା‌ ବିଭାଗ ଯୋଜନା ପ୍ରସ୍ତୁତ କରିଛି । ଏନେଇ ଏପର୍ଯ୍ୟନ୍ତ କୌଣସି ବିଧିବଦ୍ଧ ଘୋଷଣା ହୋଇନଥିବା ବେଳେ କୁହାଯାଉଛି ସେପ୍ଟେମ୍ବର ତୃତୀୟ ସପ୍ତାହ ଯଥା ୧୫ କିମ୍ବା ୧୬ ତାରିଖ ଆଡକୁ ନିର୍ବାଚନ ନେଇ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟସ୍ତରରେ ବିଜ୍ଞପ୍ତି ପ୍ରକାଶ ପାଇବ ।

ମିଳିଥିବା ସୂଚନା ଅନୁଯାୟୀ, ସେପ୍ଟେମ୍ବର ୧୭/୧୮ ତାରିଖ ପୂର୍ବାହ୍ନ ୯ଟାରୁ ମଧ୍ୟାହ୍ନ ୧୨ଟା ମଧ୍ୟରେ ଆଶାୟୀ ପ୍ରାର୍ଥୀମାନେ ନାମାଙ୍କନପତ୍ର ଦାଖଲ କରିପାରିବେ। ସେହିଦିନ ଅପରାହ୍ନ ୨ଟାରୁ ୪ଟା ମଧ୍ୟରେ ନାମାଙ୍କନପତ୍ରଗୁଡ଼ିକର ଯାଞ୍ଚ ହେବ। ୧୮/୧୯ ତାରିଖ ପୂର୍ବାହ୍ନ ୧୧ଟାରେ ଯୋଗ୍ୟ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ ପାଇବ ଏବଂ ସେହିଦିନ ଅପରାହ୍ନ ୨ଟାରୁ ୪ଟା ମଧ୍ୟରେ ନାମାଙ୍କନପତ୍ର ପ୍ରତ୍ୟାହାର ଏବ˚ ଅପରାହ୍ନ ୫ଟାରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ କରାଯିବ।

ସେପ୍ଟେମ୍ବର ୨୪ କିମ୍ବା ୨୫ ତାରିଖରେ ଶିକ୍ଷାନୁଷ୍ଠାନ କ୍ୟାମ୍ପସ୍‌ରେ ‘ମୁଁ କାହିଁକି ପ୍ରାର୍ଥୀ ହୋଇଛି’ ବୈଠକ ଅନୁଷ୍ଠିତ ହେବ। ଏଥର ମଧ୍ୟ ଗୋଟିଏ ସମୟରେ ସାରା ରାଜ୍ୟରେ ନିର୍ବାଚନ କରିବାକୁ ନିଷ୍ପତ୍ତି ହୋଇଛି। ସମ୍ଭବତଃ ୨୫ କିମ୍ବା ୨୬ ତାରିଖ ସକାଳ ୮ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଭୋଟଗ୍ରହଣ ଅନୁଷ୍ଠିତ ହେବ। ଅପରାହ୍ନ ୨ଟାରୁ ଭୋଟଗଣତି ଆରମ୍ଭ ହୋଇ ସନ୍ଧ୍ୟା ସୁଦ୍ଧା ଫଳ ପ୍ରକାଶ ପାଇବ। ସେପ୍ଟେମ୍ବର ୨୬, ନ ହେଲେ ୨୭ ତାରିଖ ପୂର୍ବାହ୍ନ ୧୧ଟାରେ ବିଜୟୀ ପ୍ରାର୍ଥୀଙ୍କ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ। ଏହାପରେ ଶିକ୍ଷାନୁଷ୍ଠାନଗୁଡ଼ିକରେ ଦଶହରା ଛୁଟି ଘୋଷଣା କରାଯିବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ମିଳିଛି।

Shrutilipi ad