ଆଗରପଡ଼ା :ମରାମତି ପରେ ଅଚଳ ହୋଇ ପଡ଼ିଥିବା ଜଳ ଯୋଗାଣ ସ୍ୱାଭାବିକ ହେବା ପରେ ବିଭାଗୀୟ ଅଧିକାରୀଙ୍କ ଅଣଦେଖାରୁ ଏହା ବର୍ତ୍ତମାନ ଗମନାଗମନରେ ସମସ୍ୟା ସୃଷ୍ଟି କରିବା ପରିସ୍ଥିତି ଉପୁଜିଛି । ଏହି ପରି ଏକ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ବନ୍ତ ବ୍ଳକ ବଡ଼ହାଟତ୍ରିଲୋଚନପୁର ପଂଚାୟର ବରହମପୁର ଗ୍ରାମ ଠାରେ । ଆରଡ଼ବ୍ଲ୍ୟୁଏସଏସ ମାଧ୍ୟମରେ ରାଜ୍ୟ ପଂଚାୟତରାଜ ଓ ପାନୀୟ ଜଳ ଯୋଗାଣ ବିଭାଗ ଅଧିନରେ ବସୁଧା ଯୋଜନାରେ ବିଟିପୁର ପଂଚାୟତରେ ବିଟିପୁର,ରାଉତରାପୁର ଓ ବରହମପୁର ଗ୍ରାମରେ ପ୍ରକଳ୍ପ ନିର୍ମାଣ ହୋଇଛି । କିଛି ଦିନ ହେବ ବରହମପୁର ଗ୍ରାମରେ ନିର୍ମାଣ ହୋଇଥିବା ପ୍ରକଳ୍ପରେ ନିମ୍ନମାନର ପାଇପ୍ ବିଛା ଯାଇଥିବାରୁ ଏହା ବିଭିନ୍ନ ସ୍ଥାନରେ ଫାଟି ଯିବା ଯୋଗୁଁ ବିଶୁଦ୍ଧ ଜଳ ପାଇବାରୁ ଲୋକେ ବଂଚିତ ହୋଇ ଆସୁଥିଲେ । ଅପରପକ୍ଷରେ ଉକ୍ତ ଫଟା ପାଇପରେ ବାହାର ପାଣି ମିଶି ଡ଼ାଇରିଆ ପରି ବିଭିନ୍ନ ରୋଗର ଆଶଙ୍କା କରି ଲୋକେ ଏହାର ମରାମତି ପାଇଁ ଅଭିଯୋଗ ଆଣିଥିଲେ । ଅଭିଯୋଗ ପରେ ବିଭାଗୀୟ କନିଷ୍ଠ ଯନ୍ତ୍ରୀଙ୍କୁ ଯୋଗଯୋଗ କରାଯାଇଥିଲା । ସେ ଏହାର ମରାମତି ପାଇଁ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ । କିନ୍ତୁ ଏକ ସପ୍ତାହ ବିତି ଯିବା ପରେ ସୁଦ୍ଧା ଏହାର କୌଣସି ସ୍ଥାୟୀ ସମାଧାନ ହୋଇ ନପାରିବାରୁ ବିଭାଗୀୟ ଅଧିକାରଙ୍କ କାର୍ଯ୍ୟପନ୍ଥା ଉପରେ ଅଙ୍ଗୁଳ ନିର୍ଦ୍ଦେଶ କରିଥିଲା । ପରେ ଉକ୍ତ ସମସ୍ୟାକୁ ନେଇ ‘ଓଏନଏନ’ରେ ଖବର ପ୍ରକାଶ ପାଇଥିଲା । ଖବର ପ୍ରକାଶ ପରେ ବିଭାଗ ପକ୍ଷରୁ ଫାଟିଯାଇଥିବା ପାଇପର ମରାମତି କରାଯାଇଥିଲା । କିନ୍ତୁ ମରାମତି କରିବା ପରେ ବିଭାଗୀୟ ଅଧିକାରୀଙ୍କ ଦ୍ୱାରା କାର୍ଯ୍ୟର ଠିକ୍ ଭାବେ ତଦାରଖ କରାଯାଇନଥିବାରୁ ରାସ୍ତା କଡ଼ରେ ବଡ଼ ଗର୍ତ୍ତ ସୃଷ୍ଟି ହେବା ସହ ଏହା କଂକ୍ରିଟ୍ ରାସ୍ତାକୁ ଫଟାଇଦେବା ସହ ଗମନାଗମନରେ ସମସ୍ୟା ଉପୁଜିବା ସମ୍ଭାବନା ସୃଷ୍ଟି କରିଛି । ତେଣୁ ସମସ୍ୟା ଉପୁଜିବା ଆଗରୁ ବିଭାଗ ପକ୍ଷରୁ ଯଥା ଶିଘ୍ର ଏହାର ମରାମତି କରିବା ପାଇଁ ଗ୍ରାମବାସୀଙ୍କ ପକ୍ଷରୁ ଦାବି ହୋଇଛି ।

