Photo for the news of chainpur samabaya samiti

ଚାଇଁପୁର ସେବା ସମବାୟ ସମିତି ବନ୍ଦ ହେବା ଆଶଙ୍କା, ୩ ମାସ ଧରି ଝୁଲୁଛି ତାଲା

ରାଜ୍ୟ
  • ଜିଲ୍ଲା ପ୍ରଶାସନର ସମବାୟ ମାରଣ ନୀତି
  • ପଦକ୍ଷେପ ନ ନେଲେ ଆନ୍ଦୋଳନ ଚେତାବନୀ

ଆଗରପଡ଼ା :ରାଜ୍ୟ ସରକାର ଚାଷୀଙ୍କ କେନ୍ଦ୍ର ଓ ରାଜ୍ୟ ଉନ୍ନତି ପାଇଁ ବହୁବିଧ ଯୋଜନା କାର୍ଯ୍ୟକାରୀ କରୁଛନ୍ତି । ହେଲେ ଜିଲ୍ଲା ପ୍ରଶାସନର ଅଣଦେଖା ତଥା ସମବାୟ କର୍ମଚାରୀଙ୍କ ଅବହେଳା ଯୋଗୁ ସମବାୟ କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି । ଫଳରେ ଚାଷୀମାନେ ସରକାରୀ ସୁବିଧା ପାଇବାରୁ ବଂଚିତ ହେଉଛନ୍ତି । ଏହିପରି ସମସ୍ୟା ଦେଖୁବାକୁ ମିଳିଛି ଭଦ୍ରକ ଜିଲ୍ଲା ବନ୍ତ ସଦର ମହକୁମାସ୍ଥିତ ଚାଇଁପୁର ସେବା ସମବାୟ ସମିତିରେ । ୩ ମାସ ଧରି ସମିତି କାର୍ଯ୍ୟାଳୟରେ ତାଲା ଝୁଲୁଥିବାରୁ କୌଣସି କାର୍ଯ୍ୟ ହୋଇପାରୁନଥିବା ଜଣାପଡ଼ିଛି । ଫଳରେ ଚାଷୀମାନେ ନାହିଁନଥିବା ଅସୁବିଧା ଭୋଗୁଥିବା ଅଭିଯୋଗ ହୋଇଛି । ପ୍ରକାଶ ଯେ, ଗତ ୨୯/୩/୨୫ ରିଖରେ ଉକ୍ତ ସମିତିର ସମ୍ପାଦକଙ୍କ ମନମୁଖୀ ବେଆଇନ କାର୍ଯ୍ୟକୁ ବିରୋଧ କରି ସମିତି ପରିଚାଳନା ପରିଷଦ ପକ୍ଷରୁ ଜରୁରୀ ବୈଠକ ଡକା ଯାଇଥୁଲା । ଏଥିରେ ସମ୍ପାଦକଙ୍କ କାର୍ଯ୍ୟରେ ଅବହେଳା, ଋଣ ଆଦାନ ପ୍ରଦାନରେ ଅନିୟମିତତା, କମିଟିର ସଭ୍ୟଙ୍କୁ ଖରାପ ବ୍ୟବହାର ଆଦି ଅଭିଯୋଗ ଆଧାରରେ ତାଙ୍କୁ ନିଲମ୍ବନ କରାଯାଇଥିଲା । ଏଥିସହ ଦୈନନ୍ଦିନ କାର୍ଯ୍ୟ ଦିବସରେ ଉପସ୍ଥିତ ହେବା ସହ ସମିତିର ସମସ୍ତ କାଗଜପତ୍ର ସମିତିର ଲେଜର କ୍ଲର୍କକୁ ହସ୍ତାନ୍ତର କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ଉକ୍ତ ନିର୍ଦ୍ଦେଶନାମାକୁ ସମ୍ପୃକ୍ତ ସମ୍ପାଦକ ଅବମାନନା କରିବା ସହ ଦୀର୍ଘ ୩ ମାସ ଧରି ଅଫିସରେ ତାଲା ପକାଇ ସମିତି ଆସୁନାହାନ୍ତି । ଫଳରେ ସମିତିର ବ୍ୟାପକ କ୍ଷତି ହେବା ସହ ଶହ ଶହ ଚାଷୀ ଚାଷ ଋଣ ଠାରୁ ଆରମ୍ଭକରି ବିଭିନ୍ନ ପ୍ରକାର ବ୍ୟବସାୟ ଋଣ ଆଦି ପାଇବାରୁ ବଚିଂତ ହୋଇଛନ୍ତି । କେତେକ ଚାଷୀ ମାସିକ ଋଣ ସୁଝି ନପାରି ଖିଲାପୀ ତାଲିକାଭୁକ୍ତ ହେବାର ଆଶଙ୍କା ଦେଖାଦେଇଛି । ଏଥ୍‌ନେଇ ସମିତି ସଭାପତି ଅଜୟ କୁମାର ନାୟକ ବାଲେଶ୍ୱରସ୍ଥିତ ବିବିସିସି ବ୍ୟାଙ୍କର କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ଅବଗତ କରାଇଥିଲେ ମଧ୍ୟ କିଛି ସୁଫଳ ମିଳିପାରିନାହାନ୍ତି । ପରେ ସମବାୟ ସମିତିର ପରିଚାଳନା ପରିଷଦ ପକ୍ଷରୁ ଜିଲ୍ଲାପାଳ, ଉପଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ ଓ ଏଆରସିଏସ, ଡିଆରସିଏସ, ରାଜ୍ୟ ସମବାୟ ସଚିବ, ସମବାୟ ମନ୍ତ୍ରୀଙ୍କୁ ଡାକ ଯୋଗେ ଅବଗତ କରାଯାଇଛି । ଅପରପକ୍ଷେ ଉକ୍ତ ସମିତିକୁ କାର୍ଯ୍ୟକ୍ଷମ କରିବା ପାଇଁ ଜିଲାପାଳଙ୍କ ଚିଠି ନଂ୧୦୫୩/୨୩.୫.୨୫ ମୂଳେ ବିବିସିସି ବ୍ୟାଙ୍କ ବନ୍ତ ଶାଖାର ସହକାରୀ କର୍ମଚାରୀଙ୍କୁ ଚାଇଁପୁର ସମିତିର ଅତିରିକ୍ତ ଦାୟୀତ୍ୱ ପ୍ରଦାନ ନେଇ ନିର୍ଦ୍ଦେଶ ହୋଇଥିଲା । ମାତ୍ର କୌଣସି କାରଣରୁ ଶ୍ରୀ ରାଉତ ଦାୟିତ୍ୱ ନେଇପାରିନଥିଲେ । ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଚିଠି ନଂ୧୧୫୩/୯.୬.୨୫ ମୂଳେ ପଧାନପଡ଼ା ସମିତିର ସମ୍ପାଦକ ନାରାଯଣ ଚନ୍ଦ୍ର ସାହୁଙ୍କୁ ଚାଇଁପୁର ସମବାୟ ସମିତିର ଅତିରିକ୍ତ ଦାୟିତ୍ୱ ତୁଲାଇବା ପାଇଁ ନିର୍ଦ୍ଦେଶ ହୋଇଥିଲା । ମାତ୍ର ଏପର୍ଯ୍ୟନ୍ତ ଉକ୍ତ ସମିତିରେ କୌଣସି ସମ୍ପାଦକ କାର୍ଯ୍ୟଭାର ଗ୍ରହଣ କରିନଥିବା ଜଣାଯାଇଛି । ରାଜ୍ୟ ସରକାର ତଥା ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ଚାଷୀ ମାନେ ଦାବି କରିଛନ୍ତି । ନହେଲେ ଆଗାମୀ ଦିନରେ ଚାଷୀ ମାନେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଥିବା ଜଣାପଡ଼ିଛି ।

Shrutilipi ad