ବାରିପଦା -ଭାରତ ବର୍ଷରେ ଆର ଏସ୍ ଏସ୍ ନିୟନ୍ତ୍ରିତ ବିଜେପି ସରକାର ୨୦୧୪ ମସିହାରୁ କ୍ଷମତା ଦଖଲ କଲାପରେ ପୁଞ୍ଜିପତି ଜଗତକୁ ସନ୍ତୁଷ୍ଟ ଓ ସମୃଦ୍ଧିଶାଳୀ କରିବା ପାଇଁ ଭାରତର ଶ୍ରମଜୀବୀ ଜନଗଣର ଅଧିକାରକୁ ଛଡାଇ ନେଉଛି। ଦରବୃଦ୍ଧିରେ ଅତିଷ୍ଠ ଜନଗଣ ତ୍ରାହି ତ୍ରାହି ଡାକୁଥିଲା ବେଳେ, ଶ୍ରମିକ ମାନଙ୍କ ଆଇନ୍ ଗତ ଅଧିକାରକୁ ବଦଳେଇ ୪ ଟି ଶ୍ରମ କୋଡ଼ରେ ପରିଣତ କରିଛି। ଭାରତୀୟ ସଂସଦରେ କୃଷକର ଉତ୍ପାଦିତ ଫସଲର ଆଇନ୍ ବୈଧତା ସମ୍ପର୍କିତ ପ୍ରତିଶୃତି ପାଣିରେ ଗାର ସଦୃଶ ହୋଇଛି। ଆଦିବାସୀଙ୍କ ଭିଟାମାଟି ଜଙ୍ଗଲ, ଜମି, ପାଣି, ପ୍ରାକୃତିକ ସମ୍ପଦ ସମେତ ରାଷ୍ଟ୍ରାୟତ ଉଦ୍ୟୋଗ ଗୁଡ଼ିକୁ ଦେଶି ବିଦେଶୀ ଘରୋଇ କମ୍ପାନୀ ସ୍ବାର୍ଥରେ ବ୍ୟବହାର କରିବାକୁ ଯଥା ଉଦ୍ୟମ କରାଯାଇଛି। କର୍ମ ନିଯୁକ୍ତି ନ ଥାଇ ଯୁବଗୋଷ୍ଠୀ ଦାଦନ ଯାଇ ଗାଆଁକୁ ଶବ ହୋଇ ଫେରୁଛି। ସ୍କିମ ୱାର୍କର ମାନଙ୍କର ଦାବି ପ୍ରତି ଅଣଦେଖା କରୁଛନ୍ତି । ସର୍ବୋଚ୍ଚ ନ୍ୟାୟାଳୟର ଆଦେଶ ସତ୍ତ୍ୱେ ଇପିଏଫ ପେନସନ ଭୋଗିକୁ ମାସିକ ୯ ହଜାର ଟଙ୍କା ଦେବାକୁ ସରକାର କୁଣ୍ଠିତ। ପୁରୁଣା ପେନସନ ଯୋଜନା ଚାଲୁ କରିବା ଦାବିକୁ ହେୟଞାନ କରୁଛନ୍ତି। ଦିନକୁ ଦିନ ସାମାଜିକ ନ୍ୟାୟ ବ୍ୟବସ୍ଥା ସଂକୀର୍ଣ୍ଣ ହେଉଛି। ନୂତନ ଶିକ୍ଷା ନୀତି ନାମରେ ବିଜ୍ଞାନ ସମ୍ମତ ଶିକ୍ଷାକୁ ଧ୍ଵଂସ ଆଡ଼କୁ ନିଆ ଯାଉଛି। ସମ୍ବିଧାନ ପ୍ରଦତ୍ତ ଅଧିକାରକୁ ଛଡାଇ ନିଆ ଯାଉଛି। ଗଣତନ୍ତ୍ର ଘୋର ସଂକଟରେ। ନାରୀ ନିର୍ଯାତନା ଶୀର୍ଷ ସିମାରେ ପହଞ୍ଚିଲାଣି। ସାଧାରଣ ମଣିଷ ଭୟଭୀତ ଅବସ୍ଥାରେ ରହୁଛନ୍ତି। ବିପର୍ଯ୍ୟସ୍ତ ଆଇନ୍ ଶୃଙ୍ଖଳା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପାରିବା ପଣିଆକୁ ପ୍ରଶ୍ନ କରୁଛି। ପୁଞ୍ଜିପତି ତୋଷଣ ନୀତି ଆପଣାଇବା ଯୋଗୁଁ ଧନୀ ଗରିବର ତାରତମ୍ୟ ବଢ଼ି ଚାଲିଛି। ସରକାରୀ ବେସରକାରୀ ସଂସ୍ଥାର କାର୍ଯ୍ୟରତ ଶ୍ରମିକ କର୍ମଚାରୀଙ୍କ ଶ୍ରମ କୁ ଠିକା ଆଇନ୍ ବଳରେ ଶୋଷଣ କରାଯାଉଛି। ଦେଶର ସ୍ଵାଧୀନ ଓ ନିରପେକ୍ଷ ସଂସ୍ଥାମାନେ କେନ୍ଦ୍ର ସରକାରର ହାତବାରିସୀ ସାଜିଛନ୍ତି। ଏଭଳି ସମୟରେ କେନ୍ଦ୍ରୀୟ ଶ୍ରମିକ ସଂଗଠନ ଓ ସ୍ଵାଧୀନ ଫେଡେରେସନ ମାନଂକ ବାରମ୍ବାର ଆପତ୍ତି ଅଭିଯୋଗକୁ ସରକାର ହେୟ ମନେ କରି ଚାଲିଛନ୍ତି।ଅତ୍ୟାବଶ୍ୟକୀୟ ସେବାକୁ ବାଦ୍ ଦେଇ,ଜନମତକୁ ସମ୍ମାନ ଓ ୧୭ ଦଫା ଦାବି ଗୁଡ଼ିକୁ ଉଭୟ ସରକାର କାର୍ଯ୍ୟକାରୀ କରିବା ପାଇଁ କେନ୍ଦ୍ରୀୟ ଶ୍ରମିକ ସଂଗଠନ ଓ ସ୍ଵାଧୀନ ଫେଡେରେସନ ସମୂହଙ୍କ ଦେଶବ୍ୟାପୀ ଜୁଲାଇ ୯ ସାଧାରଣ ଧର୍ମଘଟ ଭାରତ ବନ୍ଦକୁ ସଫଳ କରିବାକୁ ଚକ ଅଖ, ଦୋକାନ ବଜାର, ଖଣି ଖାଦାନ, ସ୍କୁଲ କଲେଜ, ବ୍ୟାଙ୍କ୍ ବୀମା, କୋର୍ଟ କଚେରୀ,ଅଫିସ ଦପ୍ତର ବନ୍ଦ ରଖି ଶାନ୍ତି ଶୃଙ୍ଖଳାରେ ସମର୍ଥନ ଓ ସଫଳ କରିବାକୁ ଆଇଏନଟିୟୁସି ର ଭୂବନ ସାହୁ, କଂଗ୍ରେସ ର ଶାନ୍ତନୁ ପାଲ,ଏଆଇଟିୟୁସି ର ଜଗବନ୍ଧୁ ମିଶ୍ର, କାହ୍ନୁଚରଣ ବେହେରା, ସିଆଇଟିୟୁ ର ରବି ଗୋସ୍ୱାମୀ, ଏଆଇୟୁଟିୟୁସିର ପୂର୍ବତନ ବିଧାୟକ ଶମ୍ଭୁନାଥ ନାଏକ,ଏଚ ଏମ୍ ଏସ୍ ର ସିନଗଲତା ମାଝୀ ପ୍ରମୁଖ ମିଳିତ ପ୍ରେସ ବିବୃତିରେ ମୟୂରଭଞ୍ଜ ଜିଲ୍ଲା ବାସୀଙ୍କୁ ନିବେଦନ କରିଛନ୍ତି।

