ବାରିପଦା: ମୟୂରଭଂଜ ଜିଲ୍ଲାର ବାମନଘାଟୀ ଉପଖଣ୍ଡରେ କିଛିଦିନ ହେଲା ଚୋର ଓ ଛିନତାଇଙ୍କ ଉପଦ୍ରବ ବୃଦ୍ଧି ପାଇଅଛି । ମାତ୍ର ପୋଲିସ ର ଦୃଢ଼ କାର୍ଯ୍ୟାନୁଷ୍ଠାନ ଯୋଗୁ ବର୍ତ୍ତମାନ ଛୀନତାଇ କମି ଯାଇଥିବାବେଳେ ଚୋରଙ୍କ ଚୋରି କରିବାର ତରିକା ବଦଳି ଯାଇଛି ।ଏବେ ଚୋର ଲୋକଙ୍କ ସମ୍ପତ୍ତି ଉପରେ ନଜର ନ ରଖି ଲୋକଙ୍କ ବାଡି ବଗିଚା ରେ ଥିବା ଚନ୍ଦନ ଗଛ ଉପରେ ଲୋଲୁପ ଦୃଷ୍ଟି ପଡ଼ିଛି ।ଚନ୍ଦନ କାଠ କିଲୋ ୮୦୦୦ ଟଙ୍କା ହୋଇଥିବାବେଳେ ବଜାର ଦର ଏବଂ ଆବଶ୍ଯକତାକୁ ଦେଖି ଚୋରମାନେ ଚନ୍ଦନ ଗଛ ଉପରେ ନଜର ରଖୁଛନ୍ତି । ବାମନଘାଟି ଉପଖଣ୍ଡ ର ଦୁବୁଲାଵେଡା ଗ୍ରାମର ପଡା ଗ୍ରାମ ବିକାଶ ନଗରର ଦୀନବନ୍ଧୁ ପୁହାଣଙ୍କ ବାଡି ଭିତରେ ପଶି ଶବ୍ଦ ହେଉ ନ ଥିବା କଟାଯନ୍ତ୍ରରେ ଗୋଟିଏ ୩୦ ଫୁଟ ଉଚ୍ଚର ପୁରୁଣା ଶ୍ବେତ ଚନ୍ଦନ ଗଛକୁ କାଟି ନେଇ ପଳାଇ ଯାଇଥିବା ଅଭିଯୋଗ ହୋଇଛି । ସକାଳୁ ଦିନବନ୍ଧୁ ପୁହାଣ ଘର କବାଟ ଖୋଲି ଦେଖନ୍ତିତ ତାଙ୍କ ଶୌଚଘର ପାଖରେ ଥିବା ବହୁ ମୂଲ୍ୟବାନ ଚନ୍ଦନ ଗଛଟିକୁ ମେସିନ ଦ୍ବାରା କାଟି ନେଇଛନ୍ତି ।ଉପର ଡାଳଟି ପଡୋଶୀଙ୍କ ଛାତରେ ପଡ଼ିଛି ।ଏହାକୁ ନେଇ ସେ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି ।ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛନ୍ତି.

