- ବସୁଧାରେ ମିଶି ଯାଇଛି ବସୁଧା ଯୋଜନା
ଆଗରପଡ଼ା :ଅଭିଯୋଗ ହେଉଛି କିନ୍ତୁ ଅଭିଯୋଗକୁ କାର୍ଯ୍ୟକାରୀ କରିବାପାଇଁ ଅଧିକାରୀଙ୍କ ଉଚ୍ଛା ଶକ୍ତିର ଅଭାବ ଯୋଗୁଁ ବିଶୁଦ୍ଧ ଜଳ ପାଇବାରୁ ବଂଚିତ ହେଉଛନ୍ତି ପଂଚାୟତବାସୀ । ଏହିପରି ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ବନ୍ତ ବ୍ଲକ ବଡ଼ହାଟ ତ୍ରିଲୋଚନପୁର ପଂଚାୟତ ଠାରେ । ସୂଚନା ଅନୁଯାୟୀ; ଆରଡ଼ବ୍ଲ୍ୟୁଏସଏସ ମାଧ୍ୟମରେ ରାଜ୍ୟ ପଂଚାୟତରାଜ ଓ ପାନୀୟ ଜଳ ଯୋଗାଣ ବିଭାଗ ଅଧିନରେ ବସୁଧା ଯୋଜନାରେ ବିଟିପୁର ପଂଚାୟତରେ ବିଟିପୁର,ରାଉତରାପୁର ଓ ବରହମପୁର ଗ୍ରାମରେ ପ୍ରକଳ୍ପ ନିର୍ମାଣ ହୋଇଛି । କିଛି ଦିନ ହେବ ବରହମପୁର ଗ୍ରାମରେ ନିର୍ମାଣ ହୋଇଥିବା ପ୍ରକଳ୍ପରେ ନିମ୍ନମାନର ପାଇପ୍ ବିଛା ଯାଇଥିବାରୁ ଏହା ବିଭିନ୍ନ ସ୍ଥାନରେ ଫାଟି ଯିବା ଯୋଗୁଁ ବିଶୁଦ୍ଧ ଜଳ ପାଇବାରୁ ଲୋକେ ବଂଚିତ ହୋଇ ଆସୁଥିଲେ । ଅପରପକ୍ଷରେ ଉକ୍ତ ଫଟା ପାଇପରେ ବାହାର ପାଣି ମିଶି ଡ଼ାଇରିଆ ପରି ବିଭିନ୍ନ ରୋଗର ଆଶଙ୍କା କରି ଲୋକେ ଏହାର ମରାମତି ପାଇଁ ଅଭିଯୋଗ ଆଣିଥିଲେ । ଅଭିଯୋଗ ପରେ ବିଭାଗୀୟ କନିଷ୍ଠ ଯନ୍ତ୍ରୀଙ୍କୁ ଯୋଗଯୋଗ କରାଯାଇଥିଲା । ସେ ଏହାର ମରାମତି ପାଇଁ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ । କିନ୍ତୁ ଇତି ମଧ୍ୟରେ ଏକ ସପ୍ତାହ ବିତି ଯାଇଥିଲେ ସୁଦ୍ଧା ଏହାର କୌଣସି ସ୍ଥାୟୀ ସମାଧାନ ହୋଇ ନପାରିବା ବିଭାଗୀୟ ଅଧିକାରଙ୍କ କାର୍ଯ୍ୟପନ୍ଥା ଉପରେ ଅଙ୍ଗୁଳ ନିର୍ଦ୍ଦେଶ କରୁଛି । ଅପରପକ୍ଷରେ ବର୍ତ୍ତମାନ ସଂପୂର୍ଣ୍ଣ ଅଂଚଳକୁ ପାଣି ଯୋଗାଣ ବନ୍ଦ ହୋଇଯାଇଥିବା ଜଣାପଡ଼ିଛି । ସେହିପରି ବିଟିପୁର ଗ୍ରାମବାସୀ ମଧ୍ୟ ଠିକ୍ ଭାବେ ପାଣି ପାଇ ପାରୁ ନାହାନ୍ତି । ରାଉତରାପୁର ଗ୍ରାମରେ ନିର୍ମାଣ ହୋଇଥିବା ଟାଙ୍କି ଉପରେ ନିର୍ଭର କରୁଥିବା ବିଭିନ୍ନ ଗ୍ରାମକୁ ମଧ୍ୟ ଜଳଯୋଗାଣ ଠିକ୍ ଭାବେ ହୋଇପାରୁନାହିଁ । ତେଣୁ କହିବାକୁ ଗଲେ ବିଭାଗୀୟ ଅଧିକାରଙ୍କ ମନମାନିରୁ ଉକ୍ତ ପଂଚାୟତରେ ବସୁଧା ଯୋଜନା ବସୁଧାରେ ମିଶି ଯାଇଥିବା ସ୍ପଷ୍ଟ ବାରି ହୋଇପଡ଼ୁଛି । ତେଣୁ ଲକ୍ଷାଧିକ ଟଙ୍କାରେ ନିର୍ମିତ ପ୍ରକଳ୍ପକୁ ବିଭାଗୀୟ ଅଧିକାରୀ ପ୍ରହସନରେ ପରିଣତ ନକରି ସରକାରୀ ଅର୍ଥର ଅପବ୍ୟବହାରରୁ ନିବୃତ ରହି ଯୋଜନର ସଫଳ ରୂପାୟନ ପ୍ରତି ଚେଷ୍ଟିତ ହେବାକୁ ପଂଚାୟତବାସୀଙ୍କ ସମେତ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି ।

