ଆଗରପଡ଼ା :ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡ଼ିବା ନେଇ ବାରମ୍ବାର ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ବିଭାଗ ପକ୍ଷରୁ ଆଗରପଡ଼ା-ବରପଦା ପୂର୍ତ୍ତବିଭାଗ ରାସ୍ତାର ସ୍ଥାୟୀ ମରାମତି କରାଯିବା ପରିବର୍ତ୍ତେ ଗତ ମାସ ଆରମ୍ଭରେ ତାଳିପକା କାମ ଆରମ୍ଭ ହୋଇଥିଲା । କିନ୍ତୁ ଉକ୍ତ ତାଳିପକା କାମ ସତ ପଇସାରେ ହେଉଥିବା ବେଳେ ମିଛରେ ଚାଲିଥିବା ଦେଖିବାକୁ ମିଳିଥିଲା । ବରପଦାରୁ ଆଗରପଡ଼ା ମଧ୍ୟରେ ବିଭିନ୍ନ ସ୍ଥାନରେ ଏହାର ମରାମତି ହୋଇଥିଲା । ଖାଲଖମାରେ ପରିପୂର୍ଣ୍ଣ ଥିବା ରାସ୍ତାକୁ ମେସିନରେ ତାଡ଼ି ତା ମଧ୍ୟରେ ମେଟାଲ ଭର୍ତ୍ତି କରାଯାଇ ଉପରେ ଡ଼ଷ୍ଟ ବିଛେଇ ଦେଇ କାମ ସାରି ଦିଆଯାଇଥିଲା । ନା ରାସ୍ତାକୁ ସମତୁଲ କରାଯାଇଥିଲା ନା ତାଉପରେ ପାଣି ଛିଚଂଣ ହୋଇଥିଲା । ଏହିପରି କିଛି କରାଯାଇନଥିବାରୁ କାମ ସରୁସରୁ ବିଛା ଯାଇଥିବା ମେଟାଲ ଗୁଡ଼ିକ ଗାଡ଼ି ଚଳାଚଳ କରୁଥିବାରୁ ରାସ୍ତା ସାରା ଖେଳେଇ ହୋଇ ଯିବା ଦ୍ୱାରା ଗମନାଗମନରେ ବ୍ୟାଘାତ ସୃଷ୍ଟି ହେବା ସହ ଲୋକଙ୍କ ପାଇଁ ବିପଦ ସୃଷ୍ଟି ହେଉଥିଲା । କହିବାକୁ ଗଲେ ମରାମତି ପୂର୍ବରୁ ଗମନାଗମନରେ ଯେତିକି ବିପଦ ଅନୁଭବ ହେଉନଥିଲା ମରାମତି ପରେ କରାଯାଇଥିବା କାମ ବେଶି ବିପଦ ସୃଷ୍ଟି କରୁଛି । ଦିନ ଅପେକ୍ଷା ରାତିରେ ଉକ୍ତ ରାସ୍ତା ଉପରେ ଗମନାଗମନ କରିବା ମାନେ ବିପଦକୁ ଆମନ୍ତ୍ରଣ କରିବା ସଦୃଶ ହୋଇଛି । ମରାମତିକୁ ମାସେ ନ ପୁରୁଣୁ ଉକ୍ତ ରାସ୍ତା ପୁଣି ମରାମତି ମାଗିଲାଣି । ଆଗରପଡ଼ା-କୁପାରୀ ରାସ୍ତାର ହରିଗଙ୍ଗା ପୋଲ ଓ କାଣ୍ଡବା ପୋଲର ଉଭୟ ପାଶ୍ୱର୍ରେ ବିଛା ଯାଇଥିବା ମେଟାଲ ଗୁଡ଼ିକ ସଂପୂର୍ଣ୍ଣ ଉଠିଯାଇ ବଡବଡ ଗର୍ତ୍ତ ସବୁ ସୃଷ୍ଟି ହେବା ଦ୍ୱାରା ବର୍ତ୍ତମାନ ବର୍ଷା ଜଳ ଉକ୍ତ ଗର୍ତ୍ତରେ ଜମି ରହି ଗମନାଗମନରେ ବିପଦ ସୃଷ୍ଟି କରୁଛି । ତେଣୁ ସତ ପଇସାରେ ମିଛ କାମକରି ସରକାରଙ୍କ ଅର୍ଥକୁ ବାଟ ମାରଣା କରି ଗମନାଗମନରେ ବିପଦ ସୃଷ୍ଟି କରିବା ପରିବର୍ତ୍ତ ସ୍ଥାୟୀ ରାସ୍ତା ନିର୍ମାଣ ପାଇଁ ବିଭାଗ ବିଭାଗ ଚେଷ୍ଟିତ ହେବାକୁ ବିଭିନ୍ନ ମହଲରୁ ଦାବି ହେଉଛି ।

