ଆଗରପଡ଼ା:କପାଳୀ ଏକ ନଦୀର ମାନ୍ୟତା ପାଇ ନଥିଲେ ମଧ୍ୟ ଅଷ୍ଟବାଙ୍କ ସଦୃଶ ପ୍ରବାହିତ ଏହି ନଦୀରେ କଳମ ଜାତୀୟ ଦଳ ଭର୍ଭି ହୋଇଛି । ଫଳରେ ଉପର ମୁଣ୍ଡରେ ବର୍ଷା ହେଲେ ଜଳ ନିଷ୍କାସନ ହୋଇ ନପାରି ରାସ୍ତା ସହ ଚାଷ ଜମି ଜଳମଗ୍ନ ହେଉଛି । ଏହାର ସଂସ୍କାର ପାଇଁ ଦୀର୍ଘଦିନହେବ ଦାବି ହେଉଥିଲେ ହେଁ ତାହା ଅଦ୍ୟାବଧି ଅଧାପନ୍ତରିଆ ଭାବେ ପଡ଼ିରହିଛି । କେନ୍ଦୁଝର ଜିଲା ହାଟଡ଼ିହି ବ୍ଲକ ବନ୍ତଳା ଗ୍ରାମରୁ ଏହି ନଦୀ ବାହାରି ବନ୍ତ ବ୍ଳକ ସହ ଭଦ୍ରକ ଜିଲାର ବିଭିନ୍ନ ଅଞ୍ଚଳ ଦେଇ ପ୍ରବାହିତ ହେଉଛି । ନଦୀ ଶଯ୍ୟା ପୋତିଯିବା ସହ ବିଲାତି କଳମ ବୁଦାରେ ଭର୍ତ୍ତି ହୋଇଛି । ଫଳରେ ସାମାନ୍ୟ ବର୍ଷା ହେଲେ ଜଳ ପ୍ରବାହିତ ହୋଇ ନପାରି ବିଭିନ୍ନ ଗ୍ରାମ୍ୟ ରାସ୍ତା ଓ ଚାଷ ଜମି ବୁଡ଼ି ରହୁଛି । ଅନ୍ୟ ପକ୍ଷରେ ନଦୀର ଅସଂଖ୍ୟ ବାଙ୍କ ଜଳ ନିଷ୍କାସନ ସମସ୍ୟାକୁ ଦ୍ୱିଗୁଣିତ କରୁଛି । ନଦୀକୁ ସିଧା କରିବା ସହ ଏହାର ପୁନରୁଦ୍ଧାର ପାଇଁ ଅଂଚଳବାସୀଙ୍କ ତରଫରୁ ବହୁ ଦାବି ପରେ କିଛି ବର୍ଷ ପୂର୍ବେ ସଂସ୍କାର କାର୍ଯ୍ୟ ଆରମ୍ଭ ହୋଇଥିଲା । ମାତ୍ର ଏହି ସଂସ୍କାର କାର୍ଯ୍ୟ ଆରମ୍ଭର କିଛି ଦିନ ପରେ ସଂପୂର୍ଣ୍ଣ ବନ୍ଦ ରହିଛି । ଫଳରେ ବର୍ଷା ଋତୁ ଆସିଲେ ବସନ୍ତିଆ ପଂଚାୟତର ମନୋହରପୁର,ରାମଚନ୍ଦ୍ରପୁର ପଞ୍ଚାୟତର କରାଣ୍ଡିଗଡ଼ିଆ, ଗୋବିନ୍ଦପୁର, ବରପଦୀ, ରାମଚନ୍ଦ୍ରପୁର, ପାନପଦୀ, ନିମପଡ଼ା, ବନ୍ତ ପଞ୍ଚାୟତର ନରସିଂହପୁର, ରଘୁନାଥପୁର, ଦୋଳପଦୀ,କରଞ୍ଜପଡ଼ା, ତାଳପଦା, ତ୍ରିକୋଣା, ନିଳୋକ ପଞ୍ଚାୟତର ପଡ଼ିଆପଡ଼ା, ଦୋଳପଦୀ, ଗୋବିନ୍ଦପୁର ପଞ୍ଚାୟତର ଗୋବିନ୍ଦପୁର, ଗଣିଜାଙ୍ଗ ପଞ୍ଚାୟତର କନ୍ତିଆ, ନାରାୟଣପୁର, ରାମକୃଷ୍ଣପୁର ଓ ରାମପୁର,ବାଙ୍ଗୋରପଦୀ, ଜଗଦୀଶପୁର, ଗଭରପୁର, ଟିଲୋ ପଂଚାୟତର ଶାଳକଣିଆଁ, ସଖିପାଟଣା, ପୋଡାପାଟଣା, ଭୁବନେଶ୍ୱରପୁର ଶାସନ ଆଦି ମୌଜାର ନଦୀ ପାର୍ଶ୍ୱ ରାସ୍ତା ସହ ଚାଷ ଜମି ଉପରେ ଏହାର ପ୍ରଭାବ ପଡୁଛି । ଏହାର ପ୍ରତିକାର ପାଇଁ ଅଂଚଳବାସୀଙ୍କ ପକ୍ଷରୁ ଦାବି ହେଉଛି ।

