କଟକ: କଟକସ୍ଥିତ ନିଉ ଷ୍ଟିୱାର୍ଟ ସ୍କୁଲ ପରିସରରେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଆଇନ ସେବା ପ୍ରାଧିକରଣ, କଟକ ଏବଂ ନିଉ ଷ୍ଟିୱାର୍ଟ ସ୍କୁଲର ମିଳିତ ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।
ବିଦ୍ୟାଳୟର ଅଧ୍ୟକ୍ଷଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଜଗଦୀଶ ଚନ୍ଦ୍ର ଜେନା, ଆଇନଜୀବୀ ବିଜୟ କୁମାର ପଣ୍ଡା ଏବଂ ବିଚାର ବିଭାଗୀୟ ଅଧିକାରୀ ଜିଜ୍ଞାସା ପଣ୍ଡା ଓ ଯଶସ୍ୱିନୀ ମହାପାତ୍ର ଅତିଥି ଭାବେ ଯୋଗ ଦେଇଥିଲେ।

ଏହି ଅବସରରେ ଅତିଥିମାନେ ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଆଇନ ସମ୍ପର୍କରେ ସୂଚନା ଦେଇଥିଲେ। ବିଶେଷକରି ପକ୍ସୋ ଆଇନ (POCSO Act), କିଶୋର ନ୍ୟାୟ (ଜୁଭେନାଇଲ୍ ଜଷ୍ଟିସ୍) ଆଇନ, ମାଗଣା ଆଇନ ସହାୟତା (Legal Aid), ସ୍ଥାୟୀ ଲୋକ ଅଦାଲତ, ଲୋକ ଉପଯୋଗୀ ସେବା ଏବଂ ପୀଡ଼ିତ କ୍ଷତିପୂରଣ ଯୋଜନା ଭଳି ବିଷୟ ଉପରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା।
କାର୍ଯ୍ୟକ୍ରମରେ ବିଦ୍ୟାଳୟର ୧୦୦ରୁ ଅଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀମାନେ ଏହାକୁ ସଫଳ କରିବା ଦିଗରେ ସକ୍ରିୟ ସହଯୋଗ କରିଥିଲେ। ଶେଷରେ ବିଦ୍ୟାଳୟର ଅଧ୍ୟାପିକା ମିତ୍ରବିନ୍ଦା ସାମନ୍ତରାୟ ଧନ୍ୟବାଦ ଅର୍ପଣ କରିଥିଲେ।

