ଆଗରପଡ଼ା :ଗତ କିଛି ଦିନ ହେଲା ଲଘୁଚାପ ପ୍ରଭାବରେ ଲଗାଣ ବର୍ଷା ହେବାରୁ ନଦୀପାଣି କ୍ରମଶଃ ଫୁଲି ଗ୍ରାମାଭିମୁଖି ହେଉଥିବାରୁ ନଦୀ କୁଳିଆ ଗ୍ରାମବାସୀ ଚିନ୍ତାରେ ପଡ଼ିଛନ୍ତି । ସାଳନ୍ଦୀ ନଦୀ ବନ୍ତ ବ୍ଲକର ଆଗରପଡା ଦେଇ ବହି ଯାଇଥିବା ବେଳେ ଏହାର ଶାଖା ପ୍ରଶାଖା ନଦୀ ଗୁଡ଼ିକ ଭଦ୍ରକ,ବାଲେଶ୍ୱର,କେନ୍ଦୁଝର ଜିଲ୍ଲାକୁ ପ୍ରବାହିତ ହୋଇଛି । ଏହି ନଦୀର ଜଳକୁ କୃଷିକ୍ଷେତ୍ରରେ ବିନିଯୋଗ କରିବା ପାଇଁ ଉତ୍କଳକେଶରୀ ଡକ୍ଟର ହରେକୃଷ୍ଣ ମହତାବ ସେହି ସମୟରେ ପାଶ୍ୱର୍ବର୍ତ୍ତି କେନ୍ଦୁଝର ଜିଲ୍ଲା ହଦଗଡ ଠାରେ ଏକ ଡ୍ୟାମ ପ୍ରତିଷ୍ଠା କରିଥିଲେ । ଏଥିରେ ଜଳନିୟନ୍ତ୍ରିତ ହେବା ସହ ଏହି ଜଳକୁ ବିଭିନ୍ନ କେନାଲ ମାଧ୍ୟମରେ ଛଡାଯିବା ଫଳରେ ୩ଗୋଟି ଜିଲ୍ଲା କୃଷିଅର୍ଥନୀତି ଉପରେ ବେଶ ପ୍ରଭାବ ପକାଉଥିବା ବେଳେ ଏବେ ଏହି ନଦୀ କୁଳରେ ଶତାଧିକ ବେଆଇନ ଇଟାଭାଟି ଚାଲିଥିବାରୁ ନଦୀ ପଠାରୁ ମାଟି ଖନନ କରାଯାଇ ଏଥିରେ ବ୍ୟବହୃତ ହେଉଛି । ଯଦ୍ୱାରା ନଦୀର କୁଳ ଖାଇ ଏହାର ଗତି ପଥରେ ପରିବର୍ତ୍ତନ ଆଣିଛି ଯଦ୍ୱାରା ନଦୀ କୂଳିଆ ଗ୍ରାମକୁ ବିପଦ ସୃଷ୍ଟି କରୁଛି । ପ୍ରତିବର୍ଷ ବର୍ଷାଦିନରେ ସାଳନ୍ଦୀ ନଦୀରେ ଏହିପରି ମନୁଷ୍ୟ କୃତ ବନ୍ୟା ଆସି ନଦୀ ଜଳ ଲୋକଙ୍କର କ୍ଷୟକ୍ଷତି ପହଞ୍ଚାଉଛି । ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀଙ୍କ ପ୍ରଧାମନ୍ତ୍ରୀତ୍ୱ କାଳରେ ୨୦୦୨-୦୩ ଆର୍ଥିକ ବର୍ଷରେ ତତ୍କାଳୀନ କେନ୍ଦ୍ର ଜଳସମ୍ପଦ ମନ୍ତ୍ରୀ ତଥା ପୂର୍ବତନ ଭଦ୍ରକ ସାଂସଦ ସ୍ୱର୍ଗତ ଅର୍ଜୁନଚରଣ ସେଠୀଙ୍କ ଉଦ୍ୟମ କ୍ରମେ ସାଳନ୍ଦୀ ସଂସ୍କାର ଯୋଜନାରେ ୧୦୨କୋଟି ଟଙ୍କା ଅନୁଦାନ ମଞ୍ଜୁର ହୋଇ ୨୦୦୫-୦୬ ଆର୍ଥିକ ବର୍ଷରେ ବ୍ୟୟ ଅଟକଳ ପ୍ରସ୍ତୁତ କରାଯାଇ କାର୍ଯ୍ୟ କରାଯାଇଥିଲା । ଏହାର ଲକ୍ଷ୍ୟଥିଲା ସାଳନ୍ଦୀ ସଂସ୍କାର ଯୋଜନାରେ ପୋତି ହୋଇଯାଇଥିବା ନଦୀଗର୍ଭ ପୁନଃଦ୍ଧାର ଓ ସାଳନ୍ଦୀ ସଂଯୋଗୀକରଣ କରି ସାଳନ୍ଦୀ ନଦୀକୁ ସୁରକ୍ଷିତ ରଖିବା । ମାତ୍ର ଉକ୍ତ ଯୋଜନା ଅନୁଦାନ ରାଶିି ଉପଯୁକ୍ତ ବିନିଯୋଗ ନହେବାରୁ ଓ ଲଘୁଚାପ ପ୍ରଭାବରେ ଲଗାଣ ବର୍ଷା ହେବା ଫଳରେ ଓ ହଦଗଡ଼ ପାଣି ଛାଡିବା ଫଳରେ ବର୍ତ୍ତମାନ ସାଳନ୍ଦୀ ଫୁଲୁଛି ଓ ଼କ୍ରମଶଃ ନଦୀର ଗତିପଥ ବଦଳିି ଜନବସତି ଆଡକୁ ମାଡି ଆସୁଛି । ଏହାର ମୁଖ୍ୟ କାରଣ ନଦୀ ପଠାରେ ବେଆଇନ ଭାବେ ଗଢି ଉଠୁଥିବା ଇଟା ଭାଟି ଓ ବାଲି ଖନନ । ପ୍ରକାଶ ଥାଉକି;ଆଗରପଡା ଥାନା ଅଧିନ ଗୋପିନାଥପୁର,ମହାନ୍ତିପଡ଼ା,ଚାରିଗାଁ ଏବଂ ଅଣିଜୋ ଆଦି ପଞ୍ଚାୟତ ଅନ୍ତର୍ଗତ ସାଳନ୍ଦୀ ନଦୀରୁ ଦୀର୍ଘ ଦିନ ଧରି ବେନିୟମ ଭାବେ ମାଫିଆ ମାନେ ଦିନ ଦ୍ୱିପ୍ରହରରେ ବାଲି ଖୋଳି ନେଉଥିଲେ । ବାରମ୍ବାର ଅଭିଯୋଗ ପରେ ପ୍ରଶାସନ ପକ୍ଷରୁ ଘାଟ ଗୁଡ଼ିକୁ ବର୍ଷ ୨୦୨୦ରେ ନିଲାମ କରାଯାଇଥିଲା । ନିଲାମ ପରେ ଅଂଚଳବାସୀ ବେଆଇନ ବାଲି ଖନନ ଉପରେ ରୋକ ଲାଗିବ ବୋଲି ଆଶା ବ୍ୟକ୍ତ କରିଥିବା ବେଳେ ଏଥିରେ ମଧ୍ୟ ସଫଳ ହୋଇ ପାରିନଥିଲେ । ସରକାରଙ୍କ ପ୍ରଦତ୍ତନିୟମକୁ କେହିବି ମାନୁ ନାହାନ୍ତି । ପୂର୍ବପରି ରାଜସ୍ୱ ବିଭାଗ କର୍ମଚାରୀଙ୍କ ଜ୍ଞାତ ସାରରେ ଦିନ ଦ୍ୱିପ୍ରହରରେ ଖୋଲାଖୋଲି ଭାବେ ନିର୍ଦ୍ଦାରିତ ନିୟମଠାରୁ ଅଧିକ ବାଲି ଖୋଳାଯାଇ ଟ୍ରାକ୍ଟର ଓ ଟ୍ରକରେ ଅନ୍ୟ ସ୍ଥାନକୁ ପଠାଯାଉଛି । ଏହା ଜାଣି ସୁଦ୍ଧା ପ୍ରଶାସନ ପକ୍ଷରୁ କୌଣସି କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ ବୋଲି ଅଭିଯୋଗ ହେଉଛି । ଗ୍ରାମବାସୀ ମାନେ ଏହାକୁ ବିରୋଧ କଲେ ମାଫିଆ ମାନଙ୍କ ଆକ୍ରୋଶର ଶିକାର ହେଉଛନ୍ତି । ପ୍ରଶାସନ ନିକଟରେ ଅଭିଯୋଗ କଲେ ମଧ୍ୟ କୌଣସି କିଛି ସୁଫଳ ମିଳିପାରୁ ନାହିଁ । ଘାଟ ନିଲାମ କେବଳ ପ୍ରହସନ ପାଲଟିଛି । ପ୍ରତିଦିନ ଏହି ପରି ବେଧଡକ ବାଲିଖୋଳାଯାଉଥିବାରୁ ନଦୀର ଗତି ପଥ ପରିବର୍ତ୍ତନ ଘଟୁଛି । ଯାହାକି ପୂର୍ବ ବର୍ଷ ପରି ସାମାନ୍ୟ ବର୍ଷା ହେଲେ ନଦୀ ବଢି ପାଣି ଗାଁ ମଧ୍ୟକୁ ପଶିଆସି ଲୋକ ମାନଙ୍କର ବ୍ୟାପକ କ୍ଷତି ପହଁଚାଇବା ସମ୍ଭାବନା ସୃଷ୍ଟି କରୁଛି । ଆହୁରି ମଧ୍ୟ ବାଲି ମାଫିଆ ମାନେ ନଦୀ ତଟକୁ ଦୁଇ ତିନି ମଣିଷ ଲେଖାଏଁ ଖୋଳି ଦେବା ଦ୍ୱାରା ବିଭିନ୍ନ ସମୟରେ ଗୃହପାଳିତ ପଶୁ ମାନେ ଏଥିରେ ଖସିପଡି ଖଣ୍ଡିଆ ଖାବରା ହେଉଥିବାର ନଜିର ରହିଛି । ସାଳନ୍ଦୀ ନଦୀର ପାଶ୍ୱର୍ରେ ଥିବା କାଣ୍ଡବା,ସାହୁପଡା, ଶ୍ରୀରାମପୁର, ଅମରସିଂହପୁର,ଚାରିଗାଁ, ଚକ୍ରାପାଢୀ,ଅଣିଜୋ,ଇଟୁଆ,ବିରିଡିହି ଆଦି ଗ୍ରାମଗୁଡିକରେ ଅବାଧ ବାଲି ଖନନ ଯୋଗୁଁ ଆଗକୁ ସାଳନ୍ଦୀନଦୀରେ ଲିନ ହେବାର ଆଶଙ୍କା ସୃଷ୍ଟି ହୋଇଛି ।

