ବାରିପଦା: ଲଗାଣ ବର୍ଷାରେ ବାରିପଦା ସହର ସମେତ ମୟୂରଭଞ୍ଜ ଜିଲ୍ଲାର ବହୁ ଅଞ୍ଚଳ ଜଳମଗ୍ନ ହୋଇପଡ଼ିଛି। ବିଭାଗୀୟ ଅବହେଳା ଏବଂ ତ୍ରୁଟିପୂର୍ଣ୍ଣ କାର୍ଯ୍ୟ ଯୋଗୁଁ ଏଭଳି ସ୍ଥିତି ସୃଷ୍ଟି ହୋଇଥିବା ଅଭିଯୋଗ କରିଛି ସାମାଜିକ ସଂଗଠନ ‘ଭଞ୍ଜସେନା’। କ୍ଷତିଗ୍ରସ୍ତଙ୍କୁ ତୁରନ୍ତ ସହାୟତା ଏବଂ ଦାୟିତ୍ୱରେ ଥିବା ବିଭାଗଗୁଡ଼ିକୁ ସକ୍ରିୟ କରିବା ପାଇଁ ସଂଗଠନ ପକ୍ଷରୁ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ାଯାଇଛି।
ଗତକାଲିଠାରୁ ଲାଗିରହିଥିବା ବର୍ଷା ଯୋଗୁଁ ପି.ଆର.ଏମ୍. ମେଡିକାଲ କଲେଜ ଓ ହସ୍ପିଟାଲ ପରିସର, ରାଜ୍ୟ ନଗର ଉନ୍ନୟନ ମନ୍ତ୍ରୀଙ୍କ ବାସଭବନ ନିକଟ ଅଞ୍ଚଳ ସମେତ ସହରର ପ୍ରାୟ ୫୦୦ରୁ ଅଧିକ ପରିବାର ଜଳବନ୍ଦୀ ଅବସ୍ଥାରେ ରାତି କାଟିଛନ୍ତି। ଏହା ବ୍ୟତୀତ, ଜିଲ୍ଲାର କପ୍ତିପଦା, ମୋରଡ଼ା ଓ ରାସଗୋବିନ୍ଦପୁର ଭଳି ବ୍ଲକରେ ମଧ୍ୟ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି।
ଭଞ୍ଜସେନା ଅଭିଯୋଗ କରିଛି ଯେ, ବର୍ଷାଋତୁ ପୂର୍ବରୁ କ୍ଷୁଦ୍ର ଜଳସେଚନ ବିଭାଗ ସହର ମଧ୍ୟ ଦେଇ ପ୍ରବାହିତ ଜରାଳି, ସରାଳି ଓ ଶୁକଯୋଡ଼ା ନଦୀରୁ ପଙ୍କ ଉଦ୍ଧାର କରିନାହିଁ। ସେହିପରି ପୌରପାଳିକାର ତ୍ରୁଟିପୂର୍ଣ୍ଣ ଡ୍ରେନେଜ ବ୍ୟବସ୍ଥା ଏହି ସମସ୍ୟାକୁ ଆହୁରି ଜଟିଳ କରିଛି।
ଏହି ପ୍ରସଙ୍ଗରେ ଭଞ୍ଜସେନା ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନା ସାମାଜିକ ଗଣମାଧ୍ୟମ ‘X’ (ଟ୍ୱିଟର) ମାଧ୍ୟମରେ ମାନ୍ୟବର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି। ବନ୍ୟା ପ୍ରପୀଡ଼ିତ ଲୋକଙ୍କୁ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବା ସହ ଦାୟିତ୍ୱରେ ଥିବା ବିଭାଗଗୁଡ଼ିକୁ ସେମାନଙ୍କ କାର୍ଯ୍ୟ ଠିକ୍ ଭାବେ ସମ୍ପାଦନ କରିବାକୁ ନିର୍ଦ୍ଦେଶ ଦେବାକୁ ସେ ଦାବି କରିଛନ୍ତି।
ଏନେଇ ସଂଗଠନର ଜିଲ୍ଲା ସାଧାରଣ ସମ୍ପାଦକ ତଥା ମୁଖପାତ୍ର ଜ୍ୟୋତିରଞ୍ଜନ ପୃଷ୍ଟି ଏକ ପ୍ରେସ ବିବୃତ୍ତି ମାଧ୍ୟମରେ ସୂଚନା ଦେଇଛନ୍ତି।

