ବାରିପଦା ୨୮/୦୬: ମୟୂରଭଞ୍ଜ ଜିଲ୍ଲାର ଦ୍ୱିତୀୟ ବୃହତ୍ତମ ସହର ରାଇରଙ୍ଗପୁରରେ ଅନୁଷ୍ଠିତ ପ୍ରସିଦ୍ଧ ଦୁଇ ଦିବସୀୟ ରଥଯାତ୍ରା ମହାସମାରୋହରେ ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ ହୋଇଯାଇଛି । ଲଗାଣ ବର୍ଷା ସତ୍ତ୍ୱେ, ୫୦ ହଜାରରୁ ଊର୍ଦ୍ଧ୍ୱ ଭକ୍ତଙ୍କ ପ୍ରବଳ ଜନସମାଗମ ମଧ୍ୟରେ ଏହି ଯାତ୍ରା ସମ୍ପୂର୍ଣ୍ଣ ହୋଇଛି।
ଶୁକ୍ରବାର ଅପରାହ୍ନରେ ରଥଖଳାଠାରେ ମୁଖ୍ୟ ପୂଜକ ଦେବବ୍ରତ ରଥ ମହାପାତ୍ରଙ୍କ ଦ୍ୱାରା ଚତୁର୍ଦ୍ଧାମୂର୍ତ୍ତିଙ୍କ ପୂଜାର୍ଚ୍ଚନା କରାଯିବା ପରେ ରାଇରଙ୍ଗପୁର ପୌରାଧ୍ୟକ୍ଷ ଅଭିଷେକ ପଟ୍ଟନାୟକ ଛେରାପହଁରା କରିଥିଲେ । ଏହାପରେ ପାରମ୍ପରିକ ରୀତିରେ ପ୍ରଥମ ଦିନରେ ପୁରୁଷ ଭକ୍ତମାନେ ରଥ ଟାଣିଥିଲେ । ରିମ୍ଝିମ୍ ବର୍ଷାକୁ ଖାତିର ନକରି ହଜାର ହଜାର ପୁରୁଷ ଭକ୍ତ ‘ଜୟ ଜଗନ୍ନାଥ’ ଓ ‘ହରିବୋଲ’ ଧ୍ୱନିରେ ରଥକୁ ଟାଣିଥିଲେ। ବାପ-ପୁଅ ଯୋଡ଼ି ଡାହୁକ କୃଷ୍ଣବିହାରୀ ମହାନ୍ତି ଓ ଅଭିଷେକ ମହାନ୍ତିଙ୍କ ଆକର୍ଷଣୀୟ ନିର୍ଦ୍ଦେଶନାରେ ଯୁବଗୋଷ୍ଠୀ ଉତ୍ସାହର ସହ ରଥକୁ ଟାଣି ନିଶାମଣି ଲଜ୍ ପର୍ଯ୍ୟନ୍ତ ନେଇଥିଲେ, ଯେଉଁଠାରେ ରାତିସାରା ମହାପ୍ରଭୁଙ୍କ ଦର୍ଶନ ପାଇଁ ଭକ୍ତଙ୍କ ସୁଅ ଛୁଟିଥିଲା ।
ଶନିବାର ଅପରାହ୍ନରେ ଲଘୁଚାପ ଜନିତ ଲଗାଣ ବର୍ଷା ସତ୍ତ୍ୱେ ହଜାର ହଜାର ମହିଳା ଶ୍ରଦ୍ଧାଳୁ ଓଦା ବସ୍ତ୍ରରେ ‘ହରିବୋଲ’ ଓ ‘ଜୟ ଜଗନ୍ନାଥ’ ଧ୍ୱନି ଦେଇ ନାଚି ନାଚି ରଥକୁ ମାଉସୀ ମା’ ମନ୍ଦିର ପର୍ଯ୍ୟନ୍ତ ଟାଣି ନେଇଥିଲେ । ସେଠାରେ ଘଣ୍ଟ, ଘଣ୍ଟି, ମୃଦଙ୍ଗ ଓ ସଂକୀର୍ତ୍ତନର ତାଳେ ତାଳେ ସେବାୟତମାନେ ପହଣ୍ଡି ବିଜେ କରାଇ ମହାପ୍ରଭୁଙ୍କୁ ଝୁଲାଇ ଝୁଲାଇ ଜନ୍ମବେଦୀକୁ ନେଇଥିଲେ ।
ମୟୂରଭଞ୍ଜ ସାଂସଦ ନବଚରଣ ମାଝୀ, ବିଧାୟକ ଜଲେନ ନାଏକ, ବିଜେପି ରାଜ୍ୟ ସମ୍ପାଦକ ନବୀନ ରାମ, ଉପଜିଲ୍ଲାପାଳ ସୌମ୍ୟରଞ୍ଜନ ପ୍ରଧାନ, ଆଇଟିଡିଏ ପ୍ରକଳ୍ପ ପ୍ରଶାସକ ଯୋଗରଞ୍ଜନ ନାୟକ, ତହସିଲଦାର ବିଶ୍ୱନାଥ ବିଶ୍ୱାଳ, ପୌର ନିର୍ବାହୀ ଅଧିକାରୀ ଶକୁନ୍ତଳା ହାଁସଦା, ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଯଦୁନାଥ ଜେନା ଓ ଏସଡିପିଓ ଗୋକୁଳାନନ୍ଦ ସାହୁଙ୍କ ସମେତ ସମସ୍ତ ପୋଲିସ ଅଧିକାରୀଙ୍କ ସହଯୋଗରେ ଦୁଇ ଦିବସୀୟ ଗୁଣ୍ଡିଚା ଯାତ୍ରା ଆନନ୍ଦ ଓ ଉଲ୍ଲାସର ସହ ସମାପନ ହୋଇଥିଲା ।
ଏହି ଅବସରରେ ରଥ କମିଟି ପକ୍ଷରୁ ବ୍ଲକ୍ ପଡ଼ିଆରେ ମୀନାବଜାର, ଆସେକା କାର୍ଯ୍ୟାଳୟ ପରିସରରେ ସର୍କସ ଏବଂ ମାଉସୀ ମା’ ମନ୍ଦିର ସମ୍ମୁଖରେ କଳାକାରମାନଙ୍କ ଦ୍ୱାରା ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ।

