ଆଗରପଡ଼ା : ସରକାର ଗ୍ରାମାଞ୍ଚଳରେ ବସବାସ କରୁଥିବା ଲୋକଙ୍କର ମୌଳିକ ସୁବିଧା ପାଇଁ ବିଭିନ୍ନ ଯୋଜନା ମାଧ୍ୟମରେ ବାର୍ଷିକ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ବୋଲି ଡ଼ିଣ୍ଡିମ ପିଟୁଥିବା ବେଳେ ଏହି ଅର୍ଥର ସଦୁପଯୋଗ କେବଳ କାଗଜ କଲମରେ ହେଉଥିବାର ବୋଡ଼କମୁଆଜିବ୍ ଗାଁ ରାସ୍ତାକୁ ଦେଖିଲେ ଜଣାପଡ଼ୁଥିଲା । ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଓଡ଼ଙ୍ଗ ପଂଚାୟତ ଅଧିନ ୧୧ନଂ ଏବଂ ୧୨ନଂ ୱାର୍ଡ଼ ଅର୍ନ୍ତଗତ ବୋଡ଼କମୁଆଜିବ୍ ଗାଁ ।
ଏହି ଗାଁର ଲୋକ ସଂଖ୍ୟା ପାଖାପାଖି ୧୫୦୦ । ମାତ୍ର ଏଠାକୁ ଭଲ ରାସ୍ତାଟିଏ ନଥିଲା । ଆଗରପଡ଼ା-ଭଦ୍ରକ ମୁଖ୍ୟ ରାସ୍ତାର ବୋଡ଼କ ଛକ ଠାରୁ ଏକ ରାସ୍ତା ଏହି ଗାଁକୁ ସଂଯୋଗ କରୁଛି । ଯାହାର ଦୂରତା ପାଖାପାଖି ୩୦୦ମିଟର । ଏହି ମୋରମ ବିଛା ରାସ୍ତା ବର୍ଷା ପାଣିରେ ଧୋଇ ହୋଇ ଯିବା ଦ୍ୱାରା ମେଟାଲ ଗୁଡ଼ିକ ଉପରକୁ ଉଠି ଯାତାୟାତରେ ଘୋର ଅସୁବିଧା ସୃଷ୍ଟି କରୁଥିଲା । ଗାଁ ଭିତରକୁ ସଂଯୋଗ କରୁଥିବା ରାସ୍ତାକୁ ଖରା ଦିନିଆ ରାସ୍ତା କହିଲେ ଅତ୍ୟୁକ୍ତି ହେବ ନଥିଲା । ଅନ୍ୟ ଦିନମାନଙ୍କରେ ଦୁଇ ଚକିଆ ଯାନ ଯିବା ଦୂରେ ଥାଉ, ଖାଲି ପାଦରେ ଚାଲି ଯିବା ମଧ୍ୟ ବିପଦ ଶଂକୁଳ । ରାସ୍ତା ସଂକୀର୍ଣ୍ଣତା ଯୋଗୁଁ ଚାରିଚକିଆ ଯାନ ଯିବା ଆଦୈା ସମ୍ଭବ ହେଉନଥିଲା । ଯଦ୍ୱାରା ଦମକଳ କିମ୍ବା ଆମ୍ବୁଲାନ୍ସ ଆସିବାରେ ଘୋର ଅସୁବିଧାର ସମ୍ମୁଖିନ ହେଉଥିଲେ ଏବଂ ଆସିଲେ ଗାଁ ଠାରୁ ପାଖାପାଖି ୨୦୦ ମିଟର ଦୂରରେ ରହୁଥିଲେ । ସଂଧ୍ୟାପରେ ଏହି ରାସ୍ତାରେ ଗଲେ ବିପଦ ଥିବା ଜାଣିଥିବା ସତ୍ତ୍ୱ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ପତ୍ର ପାଇଁ ଗାଁ ଲୋକମାନେ ଏହା ଉପରେ ଯାଆଆସ କରିବାକୁ ବାଧ୍ୟ ହେଉଥିଲେ ।
ସେହିପରି ଏଠାରୁ ଛାତ୍ରଛାତ୍ରୀ ଏହି ରାସ୍ତାଦେଇ ପ୍ରତିଦିନ ସ୍କୁଲକୁ ,ଆଗରପଡ଼ା କଲେଜକୁ, କୋମଳମତୀ ଶିଶୁ ଅଙ୍ଗନବାଡ଼ି କେନ୍ଦ୍ର କୁ ଅଧ୍ୟୟନ ପାଇଁ ଆସିଥାନ୍ତି । ସାମାନ୍ୟ ବର୍ଷା ହେଲେ ଏହି ରାସ୍ତାରେ ଖାଲ ସୃଷ୍ଟି ହୋଇ ଆଣ୍ଠୁଏ ଲେଖାଏଁ ପାଣି ଜମା ହୋଇ ଯାଉଥିଲା । ଯଦ୍ୱାରା ଗମନା ଗମନରେ ଘୋର ଅସୁବିଧା ସୃଷ୍ଟି ହେଉଥିଲା । ରାସ୍ତା ଅବସ୍ଥା ଯୋଗୁଁ ଗ୍ରାମବାସୀମାନେ ବ୍ଲକ,ତହସିଲ ଆଦି କାର୍ଯ୍ୟାଳୟ ଓ ଆଗରପଡ଼ା ବଜାରକୁ ଆସିବାରେ ଘୋର ଅସୁବିଧାର ସମ୍ମୁଖିନ ହେବା ସହ ଗାଁ ଭିତରେ ନିର୍ମିତ କଂକ୍ରିଟ ରାସ୍ତା ଏହି ସବୁ ସମସ୍ୟା ଯୋଗୁ ମୂଲ୍ୟହୀନ ହୋଇପଡ଼ିଥିଲା । ରାସ୍ତା ସମସ୍ୟାର ସମାଧାନ କରିବା ପାଇଁ ବିଭାଗୀୟ ଉଚ୍ଚକର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେବାକୁ ଗ୍ରାମବାସୀମାନେ ଦାବି କରିଆସୁଥିଲେ । ବର୍ତ୍ତମାନ ଏମଜିଏନଆରଜିଏସ ଯୋଜନାରେ ୨୦୨୫-୨୬ ଆର୍ôଥକ ବର୍ଷରେ ୬ଲକ୍ଷ ଟଙ୍କା ଅନୁଦାନ ଅର୍ଥରେ ଆଗରପଡ଼ା-ଭଦ୍ରକ ପୂର୍ତ୍ତ ବିଭାଗ ରାସ୍ତାର ବୋଡ଼କ ଛକ ଠାରୁ ବୋଡ଼କମହାଜିବ ସ୍କୁଲ ପର୍ଯ୍ୟନ୍ତ ମେଟାଲ-ମହରମ ରାସ୍ତା ନିର୍ମାଣ ହେଉଥିବା ଜଣାପଡ଼ିଛି ।

