Omfed premium cow milk 500 ml product images o491252766 p609921399 0 202409091059

ବଢ଼ିଲା ଓମ୍‌ଫେଡ୍‌ କ୍ଷୀର ଦର: ପ୍ରିମିୟମ୍ ଓ ଟୋନ୍ଡ କ୍ଷୀର ଲିଟର ୨ ଟଙ୍କା ବୃଦ୍ଧି

ରାଜ୍ୟ

ଭୁବନେଶ୍ୱର: ଓମ୍‌ଫେଡ୍‌ କ୍ଷୀର ଦର ବଢ଼ାଯାଇଛି। ଖାଉଟିମାନେ ଲିଟର ପିଛା ୫୨ ଟଙ୍କା ଦେଉଥିଲା ବେଳେ ଏବେ ୫୪ ଟଙ୍କା ଦେବେ। ଆଜିଠାରୁ ଓମଫେଡ୍ କ୍ଷୀର ଲିଟର ପ୍ରତି ଦାମ୍ ବୃଦ୍ଧି ପାଇଛି ଓ ବଜାରକୁ ଆସିଛି ଓମଫେଡର ନୂଆ ଦର |
ପ୍ରିମିୟମ୍ ଓ ଟୋନ୍ଡ କ୍ଷୀର ଲିଟର ୨ ଟଙ୍କା ବୃଦ୍ଧି ପାଇଥିବାବେଳେ ଗୋଲ୍ଡ କ୍ଷୀର ଲିଟର ପ୍ରତି ୪ ଟଙ୍କା ବୃଦ୍ଧି ପାଇଛି | ବାସ୍ତବରେ ବିଶ୍ବ ଦୁଗ୍ଧ ଦିବସ ପାଳନ ଅବସରରେ କ୍ଷୀର ମୂଲ୍ୟ ବଢିବ ବୋଲି କୁହାଯାଇଥିଲା, କିନ୍ତୁ ସେତେବେଳେ ଏହା ବଢିନଥିଲା। ମୁଖ୍ୟମନ୍ତ୍ରୀ ସେତେବେଳେ କହିଥିଲେ ଯେ କ୍ଷୀର ଲିଟର ପିଛା ୪ ଟଙ୍କା ବଢ଼ାଯାଉଛି।
କିନ୍ତୁ ଖାଉଟିମାନଙ୍କ ଉପରେ ଏହି ବର୍ଦ୍ଧିତ ଦର ଲଦି ଦିଆଯିବ ନାହିଁ। ଏଥିରୁ ୨ ଟଙ୍କା ସରକାର ବହନ କରିବେ। ଖାଉଟିମାନେ ଲିଟର ପିଛା ଅଧିକ ଦୁଇ ଟଙ୍କା ଦେଇ କ୍ଷୀର କିଣିବେ। ତେବେ ସେତେବେଳେ ଓମ୍‌ଫେଡ୍‌ର ପରିଚାଳନା ନିର୍ଦ୍ଦେଶକ ବିଜୟ ଅମୃତ କୁଲାଙ୍ଗେ ସୂଚନା ଦେଇ କହିଥିଲେ ଯେ ଏହି ବର୍ଦ୍ଧିତ ଦର ତତ୍‌କାଳ ଲାଗୁ ହେବ ନାହିଁ। ଓମ୍‌ଫେଡ୍‌ର ସମସ୍ତ ସମବାୟ ସମିତି ଓ କମିଟିର ବୈଠକ ପରେ ଆବଶ୍ୟକତାକୁ ନଜରରେ ରଖି କ୍ଷୀର ଦର ବୃଦ୍ଧି ହେବ ବୋଲି ଓମ୍‌ଫେଡ୍‌ର ପରିଚାଳନା ନିର୍ଦ୍ଦେଶକ ବିଜୟ ଅମୃତ କୁଲାଙ୍ଗେ ସୂଚନା ଦେଇଥିଲେ ।
ଆଉ ଆଜିଠାରୁ ଏହି ନୂଆ ମୂଲ୍ୟ ଲାଗୁ ହୋଇଛି | ଉଲ୍ଲେଖ ଥାଉ କି ୨୦୨୪-୨୫ ଆର୍ଥିକ ବର୍ଷରେ ଓମଫେଡ୍ ସର୍ବକାଳୀନ ରେକର୍ଡ ପରିମାଣର କାରବାର କରିଥିଲା । ୨୦୨୩-୨୪ ଆର୍ଥିକ ବର୍ଷରେ ଏହି ସଂସ୍ଥା ୮୫୫ କୋଟି ଟଙ୍କାର କାରବାର କରିଥିବା ବେଳେ ଗତ ଆର୍ଥିକ ବର୍ଷ ୨୦୨୪-୨୫ରେ ୧୦୨୮ କୋଟି ଟଙ୍କାର କାରବାର କରିଥିଲା । ଅର୍ଥାତ୍ ଗତ ଆର୍ଥିକ ବର୍ଷରେ ୧୭୦ କୋଟି ଟଙ୍କା ଅଧିକ କାରବାର କରିଥିଲା।

Shrutilipi ad