Img 20250618 wa0212

ଜିଲ୍ଲା ସ୍ତରୀୟ ଟେବୁଲ ଟପ ଏକ୍ସରସାଇଜ ଅନୁଷ୍ଠିତ 

ରାଜ୍ୟ
ବାରିପଦା: ଆଜି ପୂର୍ବାହ୍ନରେ ଜିଲ୍ଲା ସ୍ତରୀୟ ଟେବୁଲ ଟପ ଏକ୍ସରସାଇଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷରେ ଡେପୁଟି କଲେକ୍ଟର ଶ୍ରୀମତୀ ଶ୍ରଦ୍ଧା ସୁମନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସମ୍ମାନିତ ଅତିଥି ଓ ରାଜ୍ୟ ପର୍ଯ୍ୟବେକ୍ଷକ ଭାବେ ଏସ ଆର ସି କାର୍ଯ୍ୟାଳୟର ଶ୍ରୀ ଦେବବ୍ରତ କର  ଯୋଗ ଦେଇଥିଲେ।
ପ୍ରାରମ୍ଭରେ ଡେପୁଟି କଲେକ୍ଟର ଶ୍ରୀମତୀ ସୁମନ ଆଜିର ଟେବୁଲ ଟପ ଏକ୍ସରସାଇଜର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ଟେବଲ ଟପ ଏକ୍ସରସାଇଜ ମାଧ୍ୟମରେ ଆମେ କିଭଳି ବିପର୍ଯ୍ୟୟ ପରିଚାଳନା ଯୋଜନା ସବୁକୁ ଗୋଟିଏ ମଞ୍ଚରେ  ସମୀକ୍ଷା କରି, ଯେଉଁ ସବୁ ପ୍ରତିବନ୍ଧକ ଅଛି ତାର ସମାଧାନ ନିମନ୍ତେ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରିବା, ଯୋଗାଯୋଗ ବ୍ୟବସ୍ଥାକୁ ଅଧିକ ସୁସଂଗଠିତ କରିବା ସହିତ ବିପର୍ଯ୍ୟୟ ପରିଚାଳନା ଯୋଜନାକୁ ଅଧିକ ରୁ ଅଧିକ ଗୁଣାତ୍ମକ, ପାରଦର୍ଶୀ, ଲୋକାଭିମୁଖୀ ଓ ସମୟୋପୋଯୋଗୀ କରି ପାରିବା ତାର ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ। ଆସନ୍ତା ତା ୧୯.୦୬.୨୦୨୫ ରିଖରେ ୧୦ ଗୋଟି ବହୁମୁଖି ବନ୍ୟା ଆଶ୍ରୟସ୍ଥଳରେ ହେବାକୁ ଥିବା ବିପର୍ଯ୍ୟୟ ମୁକାବିଲା ଓ ପରିଚାଳନା ଅଭ୍ୟାସ କାର୍ଯ୍ୟକ୍ରମ ସରକାର ଜାରି କରିଥିବା ନିର୍ଦ୍ଦେଶାବଳୀ ଅନୁସାରେ କରିବାକୁ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ।
ଏହି ଅବସରରେ ଡିପିଓ ଶ୍ରୀ ଜଗବନ୍ଧୁ ମହାନ୍ତି ଜିଲ୍ଲା ସ୍ତରୀୟ ବିପର୍ଯ୍ୟୟ ମୁକାବିଲା ଓ ପରିଚାଳନା ଅଭ୍ୟାସ କାର୍ଯ୍ୟକ୍ରମ -୨୦୨୫ ନିମନ୍ତେ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ, ମୟୂରଭଞ୍ଜ ଦ୍ଵାରା ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଓ ଯୋଜନାକୁ ପିପିଟି ମାଧ୍ୟମରେ ଉପସ୍ଥାପନା କରିଥଲେ। ମୟୂରଭଞ୍ଜ ଜିଲ୍ଲା ବିଶେଷତଃ ବନ୍ୟା, ବାତ୍ୟା, ବଜ୍ରପାତ, ସାପକମୁଡ଼ା ଓ ଭୂସ୍ଖଳନ ଭଳି ବିପର୍ଯ୍ୟୟ ର ସାମ୍ନା କରିଥାଏ ଓ ଏହାର ପ୍ରଶମନ ନିମନ୍ତେ ଏଭଳି ଅଭ୍ୟାସ କାର୍ଯ୍ୟକ୍ରମର ଆବଶ୍ୟକତା ରହିଛି ବୋଲି କହିଥିଲେ।
 ସମ୍ମାନିତ ଅତିଥି ଶ୍ରୀ କର ଟେବୁଲ ଟପ ଏକ୍ସରସାଇଜ ଓ ବିପର୍ଯ୍ୟୟ ପରିଚାଳନା ଅଭ୍ୟାସ କାର୍ଯ୍ୟକ୍ରମର ଆବଶ୍ୟକତା ସମ୍ପର୍କରେ ଆଲୋକପାତ କରିବା ସହିତ ଏହା କିଭଳି ‘ଶୂନ୍ୟ ମୃତ୍ୟୁହାର” ମିଶନକୁ ସାକାର କରିବାରେ ସହାୟକ ହେବ ଓ ଆମର ବିପର୍ଯ୍ୟୟ ପରିଚାଳନା ଅତି ଉଚ୍ଚକୋଟୀର ହୋଇ ପାରିବ ତାହା ବୁଝାଇ ଥିଲେ।
ଏହି ଅବସରରେ  ଉପସ୍ଥିତ ବିଭାଗୀୟ  ଅଧିକାରୀମାନେ ନିଜ ନିଜ ବିଭାଗର ବିପର୍ଯ୍ୟୟ ପରିଚାଳନା ଯୋଜନା ସବୁକୁ ଉପସ୍ଥାପନା କରିଥଲେ ଓ ଏକ ମୁକ୍ତ ଆଲୋଚନା ମାଧ୍ୟମରେ  ସମ୍ମାନୀତ ଅତିଥି ବିପର୍ଯ୍ୟୟ ପରିଚାଳନା ପାଇଁ ସୁଦୂର ପ୍ରସାରି,  ସୁଚିନ୍ତିତ ଓ ମୂଲ୍ୟବାନ ପରାମର୍ଶ ମାନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଓଡ୍ରାଫ, ଅଗ୍ନିଶମ ବିଭାଗ, ଖାଦ୍ୟ ଯୋଗାଣ, ଜଳ ଓ ପରିମଳ ବିଭାଗ, କୃଷି , ଜଳସେଚନ, ବ୍ଲକ, ପୌରପାଳିକା ଆଦିର ଅଧିକାରୀ ତଥା ସ୍ଵେଚ୍ଛାସବୀ ସଂଗଠାନ ଫୋର୍ଡ, ସ୍ପର୍ଦ୍ଧା, ଦାସୀ, ଆଧାର, ସଙ୍କଳ୍ପ, ଶକ୍ତିଶିଖା, ଭାର୍ଡ ଏଵଂ ୧୦ ଗୋଟି ବହୁମୁଖୀ ବନ୍ୟା ଆଶ୍ରୟସ୍ଥଳର ସଚିବ ଓ ସଭାପତି ଅଂଶ ଗ୍ରହଣ କରିଥିଲେ।
ସର୍ଵ ଶେଷରେ ଡେପୁଟି କଲେକ୍ଟର ଶ୍ରୀମତୀ ଶ୍ରଦ୍ଧା ସୁମନ ଧନ୍ୟବାଦ ଅର୍ପଣ କରିଥିଲେ।
Shrutilipi ad