ଆଗରପଡ଼ା :ଗତ ବର୍ଷ ଫେବୃଆରୀ ମାସ ୨୪ ତାରିଖରେ ତତ୍କାଳୀନ ରାଜ୍ୟ ସରକାର ଭଦ୍ରକ ଜିଲ୍ଲା ବନ୍ତ ବ୍ଲକର ଆଗରପଡ଼ାକୁ ବିଜ୍ଞାପିତ ଅଂଚଳ ପରିଷଦ(ଏନ୍ଏସି)ମାନ୍ୟତା ପ୍ରଦାନ କରିଥିଲେ । ପରେ ସରକାରଙ୍କ ଗୃହ ଏବଂ ପୌରାଚଂଳ ଉନ୍ନୟନ ବିଭାଗ ପକ୍ଷରୁ ନିର୍ଦ୍ଦେଶକ, ପୌର ପ୍ରଶାସକ ଫାଇଲ ନଂ ଏଚୟୁଡ଼ି-ଇଏଲଇ-ଏମଆଇଏସସି-୦୦୦୩-୨୦୨୪,ପତ୍ର ନଂ୬୧୬୪/୧୩.୦୩.୨୦୨୪ରେ ରାଜ୍ୟର ଦେଓଗଡ଼,ଗଜପତି, ଝାରସୁଗୁଡ଼ା, କେନ୍ଦ୍ରପଡ଼ା,କେନ୍ଦୁଝର,ମାଲଗାନଗିରି ଏବଂ ନବରଙ୍ଗପୁର ଜିଲ୍ଲା ବ୍ୟତିତ ଅନ୍ୟ ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ସରକାରଙ୍କ ନିୟମାନୁସାରେ ଏନ୍ଏସି ଗଠନ ନିମନ୍ତେ ଆବଶ୍ୟକ ତଥ୍ୟକୁ ବିଭାଗକୁ ଯଥା ଶିଘ୍ର ପଠାଇବାକୁ ଅନୁରୋଧ କରାଯାଇଥିଲା । ନିର୍ଦ୍ଦେଶାନୁସାରେ ଜିଲ୍ଲା ସହରାଚଂଳ ଉନ୍ନୟନ ଅଧିକାରୀ କାର୍ଯ୍ୟାଳୟ ଚିଠି ନଂ ୯୦୪/୨୨.୦୩.୨୦୨୪ରେ ବ୍ଲକ ଉନ୍ନୟନ ଅଧିକାରୀ ,ବନ୍ତଙ୍କୁ ପ୍ରସ୍ତାବ ପଠାଇଥିବା ଜଣାପଡ଼ିଥିଲା । ଏହା ଜଣାପଡ଼ିବା ପରେ ସ୍ଥାନୀୟ ବାସୀନ୍ଦାଙ୍କ ମନରେ ଆନନ୍ଦ ଭାବ ସୃଷ୍ଟି ହୋଇଥିଲା । କିନ୍ତୁ ନୂତନ ସରକାର ଗଠନ ହେବା ପରେ ଆଗରପଡ଼ାକୁ ଏନ୍ଏସି ମାନ୍ୟତା ପ୍ରସଙ୍ଗକୁ ନେଇ ଆଶା ଓ ଆଶଙ୍କାରେ ଅଂଚଳବାସୀ ରହିଥିବା ସମୟରେ ଅଗଷ୍ଟ ମାସ ୨୭ ତାରିଖ ମଙ୍ଗଳବାର ଭଣ୍ଡାରିପୋଖରୀ ବିଧାୟକ ସଂଜୀବ ମଲ୍ଲିକ ଏ ସଂପର୍କରେ ବିଧାନସଭାରେ ପ୍ରଶ୍ନ ଉଠାଇଥିଲେ । ଜିଲ୍ଭାପାଳଙ୍କ ଠାରୁ ପୂର୍ଣ୍ଣାଙ୍ଗ ପ୍ରସ୍ତାବ ଆସିବାପରେ ଓଡ଼ିଶା ପୌର ଅଧିନିୟମ ନିର୍ଦ୍ଦେଶାବଳୀର ବ୍ୟବସ୍ଥା,ଗ୍ରାମୀଣ ସହରୀ ପରିବର୍ତ୍ତନ ନୀତି ତର୍ଜ୍ଜମା ପରେ ବିଚାରକୁ ନିଆଯିବ ବୋଲି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ଼ଃ କୃଷ୍ଣଚନ୍ଦ୍ର ମହାପାତ୍ର ବିଧାୟକଙ୍କ ପ୍ରଶ୍ନର ଉତ୍ତର ରଖିଥିଲେ । ପରେ ନଭେମ୍ବର ମାସ ୨ ତାରିଖରେ ଗୃହ ଏବଂ ପୌରାଚଂଳ ଉନ୍ନୟନ ବିଭାଗ ପକ୍ଷରୁ ନିର୍ଦ୍ଦେଶକ, ପୌର ପ୍ରଶାସକ ଫାଇଲ ନଂ ଚୟୁଡ଼ି-ଇଏଲଇ-ଏମଆଇଏସସି -୦୦୦୩-୨୦୨୪ ,ପତ୍ର ନଂ୨୨୭୧୫/୦୨.୧୧.୨୦୨୪ରେ ପୂନର୍ବାର ଜିଲ୍ଲାପାଳଙ୍କୁ ଏନ୍ଏସି ଗଠନ ନିମନ୍ତେ ଆବଶ୍ୟକ ତଥ୍ୟ ପଠାଇବାକୁ ଅନୁରୋଧ କରାଯାଇଥିବା ଜଣାପଡ଼ିଥିଲା । ସରକାର ବାରମ୍ବାର ତଥ୍ୟ ମାଗିବା ଓ ବ୍ଳକ ପ୍ରଶାସନ ଜିଲ୍ଲାପାଳଙ୍କ ଚିଠିର ଉତ୍ତର ରଖିନପାରିବାକୁ ନେଇ ବ୍ଲକ ପ୍ରଶାସନର କାର୍ଯ୍ୟଦକ୍ଷତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହେଉଥିବା ବେଳେ ଇତି ମଧ୍ୟରେ ୬ମାସରୁ ଉର୍ଦ୍ଦ ସମୟ ବିତିଯିବା ଓ ବ୍ଲକ ପ୍ରଶାସନ କି ଉତ୍ତର ରଖିଲା,ପ୍ରଶାସନର ଉତ୍ତର ଓଡ଼ିଶା ପୌର ଅଧିନିୟମ ନିର୍ଦ୍ଦେଶାବଳୀର ବ୍ୟବସ୍ଥା,ଗ୍ରାମୀଣ ସହରୀ ପରିବର୍ତ୍ତନ ନୀତି ଉପଯୋଗୀ ହୋଇ ପାରିଲାକି ନାହିଁ ତାହା ସ୍ୱଷ୍ଟ ହୋଇପାରୁନଥିବା ବେଳେ ବ୍ଲକ ପ୍ରଶାସନ ସମେତ ସ୍ଥାନୀୟ ଜନନେତାଙ୍କ ନୀରବତାକୁ ବିଚାରକୁ ନେଲେ ଆଗରପଡ଼ାକୁ ଏନ୍ଏସି ମାନ୍ୟତା ପ୍ରସଙ୍ଗ ନାଲିଫିତା ତଳେ ରହିଯିବା ନେଇ ଆଶଙ୍କା ସୃଷ୍ଟି ହେଉଛି ।

