ବାରିପଦା: ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ପାଳନ ଅବସରରେ ଇତି ମଧ୍ୟରେ “ବିକାଶ ବାହନ” ଯାତ୍ରା ଜୁନ ୧୨ ତାରିଖ ରେ ଶୁଭାରମ୍ଭ ହେବା ସହିତ ବିକାଶ ମେଳା-୨୦୨୫ ଜୁନ ୧୨ ତାରିଖ ରେ ବାରିପଦା ସ୍ଥିତ ଛଉ ପଡିଆ ଠାରେ ଉଦଘାଟିତ ହୋଇସାରିଛି।
ଆଜି ଏହି ବର୍ଷ ପୂର୍ତ୍ତି ପାଳନ କ୍ରମରେ ବାରିପଦାସ୍ଥିତ କଲେଜ ପଡିଆ ଠାରେ ଜିଲ୍ଲାପାଳ ଶ୍ରୀ ହେମକାନ୍ତ ସୟ ଙ୍କ ସଭାପତିତ୍ୱରେ ଜ଼ିଲ୍ଳା ସ୍ତରୀୟ ଉତ୍ସବ ଏକ ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ଆୟୋଜିତ ହୋଇଯାଇଛି ।
ଉକ୍ତ ଜିଲ୍ଲା ସ୍ତରୀୟ ଉତ୍ସବରେ ମୟୂରଭଞ୍ଜ ଜିଲ୍ଲାର ମାନ୍ୟବର ରାଜ୍ୟସଭା ସାଂସଦ ଶ୍ରୀମତୀ ମମତା ମହାନ୍ତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥବା ବେଳେ ସମ୍ମାନିତ ଅତିଥି ଭାବେ ମାନ୍ୟବର ଲୋକ ସଭା ସାଂସଦ ଶ୍ରୀ ନବ ଚରଣ ମାଝୀ, ମାନ୍ୟବର ବିଧାୟକ ଉଦଳା ଶ୍ରୀ ଭାସ୍କର ମଢେଇ, ବିଧାୟକ ବାରିପଦା ଶ୍ରୀ ପ୍ରକାଶ ସୋରେନ, ବିଧାୟକ ବଡ଼ସାହି ଶ୍ରୀ ସନାତନ ବିଜୁଳି ଓ ବିଧାୟକ ସାରସକଣା ଶ୍ରୀ ଭାଦବ ହାଁସଦା ପ୍ରମୁଖ ଯୋଗ ଦେଇଥିଲେ।
ପ୍ରାରମ୍ଭରେ ମୁଖ୍ୟ ଅତିଥି ଅନ୍ୟାନ୍ୟ ନିମନ୍ତ୍ରିତ ଅତିଥିବୃନ୍ଦଙ୍କ ସହ ସାଢେ ଚାରି କୋଟି ଓଡ଼ିଶା ବାସୀଙ୍କ ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଶ୍ରୀଚରଣରେ ଭକ୍ତିପୁଷ୍ପ ଅର୍ପଣ ସହ ପ୍ରଦୀପ ପ୍ରଜ୍ବଳନ କରି ଉକ୍ତ ଉତ୍ସବକୁ ଶୁଭ ଉଦଘାଟନ କରିଥିଲେ।
ଜିଲ୍ଲାପାଳ ଶ୍ରୀ ସୟ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ଏହି କାର୍ଯ୍ୟକ୍ରମର ଉଦେଶ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ଉଲ୍ଲେଖ କରିଥିଲେ।
ଏହି ଅବସରରେ ମୁଖ୍ୟ ଅତିଥି କହିଥିଲେ ଯେ ଲୋକଙ୍କ ସେବାରେ ସମର୍ପିତ ଆମ ସରକାରଙ୍କୁ ରାଜ୍ୟରେ ଏଇ ଏକ ବର୍ଷ ମଧ୍ୟରେ ଅନେକ ଉନ୍ନୟନ ମୂଳକ ପ୍ରକଳ୍ପ କାର୍ଯ୍ୟର ସଫଳତା ଉପଲବ୍ଧି ମିଳିଛି ଏବଂ ଓଡିଶା ଏକ ନିରନ୍ତର ବିକାଶ ଧାରାରେ ଅଗ୍ରଗତି କରୁଛି। ସେହିପରି ବିଭିନ୍ନ ବିଭାଗ ଅଧୀନରେ କାର୍ଯ୍ୟକାରି ହେଉଥବା ଗରିବ ସାଧାରଣ ଲୋକଙ୍କ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରି ଯୋଜନା ଗୁଡିକ ଲୋକଙ୍କ ପାଖରେ ପହଞ୍ଚାଇ ସେମାନଙ୍କୁ ଉପକୃତ କରାଇବାରେ ସକ୍ଷମ ହୋଇଛୁ ଯଦ୍ୱାରା ଲୋକଙ୍କ ନିକଟତର ହେବା ସହ ଲୋକଙ୍କ ବିଶ୍ୱାସ ଭାଜନ ହୋଇ ପାରିଛୁ। ତଥାପି ଏଇ ବିକାଶ ଧାରାକୁ ଆମକୁ ଆହୁରି ଆଗକୁ ନେବାକୁ ପଡିବ। କାରଣ ଯେପର୍ଯ୍ୟନ୍ତ ସମାଜର ସବୁ ବର୍ଗର ଲୋକମାନଙ୍କର ତଥା ଅଂଚଳର ସାମଗ୍ରିକ ବିକାଶ ନହୋଇଛି ଏବଂ ସମାଜରେ ଶେଷ ଧାଡିର ଲୋକଙ୍କ ପାଖରେ ଯୋଜନା ନପହଂଚିଛି ସେପର୍ଯ୍ୟନ୍ତ ଆମେ ସମସ୍ତେ ଆମ ମିଳିତ ଉଦ୍ୟମରେ ବିକାଶର ଧାରାକୁ ତ୍ବରାନ୍ୱିତ କରି ବିକଶିତ ଓଡିଶା ୨୦୩୬ ଓ ବିକଶିତ ଭାରତ ୨୦୪୭ର ଯେଉଁ ପରିକଳ୍ପନା କରାଯାଇଛି ତାହାକୁ ସାକାର କରିବା ପାଇଁ ଉଦ୍ୟମ ଜାରି ରଖିବା ପାଇଁ ଆହ୍ୱାନ ଜଣାଇବା ସହ ସମସ୍ତଙ୍କ ସହଯୋଗ କାମନା କରିଥିଲେ।
ଅନ୍ୟାନ୍ୟ ନିମନ୍ତ୍ରିତ ଅତିଥିମାନେ ମଧ୍ୟ ସରକାର ଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ବିଷୟରେ ବିସ୍ତୃତ ଭାବେ ଉଲ୍ଲେଖ କରିବା ସହ “ବର୍ଷ ଏକ -ଉପଲବ୍ଧି ଅନେକ ” କଥା ଦେଇ କଥା ରଖିଲେ ସରକାର ” ର ଯଥାର୍ଥତା ପ୍ରତିପାଦନ କରିଥିଲେ।
ଏହି ଅବସରରେ ସରକାରଙ୍କ ବିଭିନ୍ନ ବିଭାଗ ଅନ୍ତର୍ଗତ ଯୋଜନାରେ ସହାୟତା ପାଇ ସଫଳ ଉଦ୍ୟୋଗୀ ହୋଇଥିବା ସୁକେଶିନୀ ସାହୁ (ପନିପରିବା ଚାଷୀ), ଅସୀମ ପଣ୍ଡା ଓ ରମେନ ମଲ୍ଲିକ (ଦୁଗ୍ଧ ଚାଷୀ ) ଜିତେନ୍ଦ୍ର ହେମ୍ବ୍ରମ (ଆମ୍ବ ଚାଷୀ), ଉର୍ମିଳା ଦେହୁରୀ (ସବାଇ ହସ୍ତ ଶିଳ୍ପ), ଗ୍ରୁପ ଲିଡର କୁମୁଦିନୀ ନାଏକ ସେମାନଙ୍କର ସଫଳତାର ଅନୁଭୂତି କାହାଣୀ କାର୍ଯ୍ୟକ୍ରମରେ ଉପସ୍ଥିତ ଅନ୍ୟମାନଙ୍କ ମଧ୍ୟରେ ବାଣ୍ଟିଥିଲେ।
ଏତଦ ବ୍ୟତୀତ ଜିଲ୍ଲା କୃଷି ଅଧିକାରୀ,ମୁଖ୍ୟ ଜିଲ୍ଲା ପ୍ରାଣୀଚିକିତ୍ସା ଅଧିକାରୀ,ମୟୁରଭଞ୍ଜ ଜଳସେଚନ ଅଧିକ୍ଷଣ ଯନ୍ତ୍ରୀ, ଜିଲ୍ଲା ଉଦ୍ୟାନ କୃଷି ଅଧିକାରୀ, ଓରମାସ ର ଡେପୁଟି ସି ଇ ଓ ପ୍ରମୁଖ ନିଜ ନିଜ ବିଭାଗର ବିଭିନ୍ନ ଯୋଜନା ଓ ବାର୍ଷିକ ଉପଲବ୍ଧି ସମ୍ଭନ୍ଧ ରେ ଉପସ୍ଥାପନ କରିଥିଲେ।
ଏହି ଅବସରରେ ବାରିପଦା ଲାସ୍ୟ କଳା ଡ୍ୟlନ୍ସ ଭିଜନ ଦ୍ୱାରା ପାରମ୍ପରିକ ଓଡିଶୀ ନୃତ୍ୟ, କପ୍ତିପଦାର ମାରଙ୍ଗବୁରୁ ପାର୍ଷି ଡହର ଧର୍ମ ପାର୍ଟି ଦ୍ୱାରା ଘଟ ନୃତ୍ୟ, ବୈଶିଙ୍ଗାର ବିନାରୀ ୱେଲ ଫେୟାର ଅନୁଷ୍ଠାନ ଦ୍ୱାରା ସମ୍ବଲପୁରୀ ନୃତ୍ୟ ପରିବେଷଣ କରାଯିବା ସହ ଶ୍ରୀ ସଂଜୀବ ଦଳେଇ ସୁମଧୁର ସଂଗୀତ ପରିବେଶଣ କରିଥିଲେ।
ଉକ୍ତ କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗୀୟ ପଦାଧିକାରୀ, ଜିଲ୍ଲାର ବିଭିନ୍ନ ପ୍ରାନ୍ତରରୁ ଆସିଥିବା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା,ବିଭିନ୍ନ ଯୋଜନାର ହିତାଧିକାରୀ, ଉଦ୍ୟୋଗୀ ଓ ଗଣମାଧ୍ୟମ ର ପ୍ରତିନିଧି ମନେ ଉପସ୍ଥିତ ଥିଲେ।
କାର୍ଯ୍ୟକ୍ରମକୁ ଉପଜିଲ୍ଲାପାଳ ଡ.ଦୟାସିନ୍ଧୁ ପରିଡା ପରିଚାଳନା କରିଥିଲେ ଓ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନେତ୍ରାନନ୍ଦ ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ।

