ବାରିପଦା : ପରିବାରର ପ୍ରତିପୋଷଣ ପାଇଁ ଅନେକ ଶିଶୁ ଶ୍ରମିକ ଭାବେ ନିୟୋଜିତ ଥିବା ବେଳେ ତତ୍କାଳୀନ ଜିଲ୍ଲାପାଳ ରାଜେଶ ପ୍ରଭାକର ପାଟିଲଙ୍କ ନେତୃତ୍ୱରେ ସେମାନଙ୍କୁ ଉଦ୍ଧାର କରାଯାଇଥିଲା । ସେମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ବିଭିନ୍ନ ବିଦ୍ୟାଳୟରେ ହଷ୍ଟେଲ ଖୋଲାଯାଇ ଥଇଥାନ କରାଯାଇଥିଲା । ତନ୍ମଧ୍ୟରୁ ସାରସକଣା ବ୍ଲକ ଅନ୍ତର୍ଗତ ଡୁମୁରିଆ ଗ୍ରାମର ସୋମନାଥ ନାଏକ ଓ ଶାନ୍ତିଲତା ନାଏକଙ୍କ ପୁତ୍ର ମାନସ ଏବଂ ଖୁଣ୍ଟା ବ୍ଲକ ଅନ୍ତର୍ଗତ ବାଙ୍ଗରା ଗ୍ରାମର ଚୈତନ ମହାନ୍ତ ଓ ଯମୁନା ମହାନ୍ତଙ୍କ ପୁତ୍ର ଶ୍ରୀକାନ୍ତ ପାରିବାରିକ ଦୁରାବସ୍ଥା ପାଇଁ ଅଧାରୁ ପାଠ ଛାଡି ଶିଶୁ ଶ୍ରମିକ ଭାବେ ନିୟୋଜିତ ହୋଇଥିଲେ ।
ଜିଲ୍ଲା ପ୍ରଶାସନ ଦ୍ୱାରା ଉଦ୍ଧାର କରାଯାଇ ଉଭୟଙ୍କୁ ପୁଣି ଥରେ ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ପୂର୍ଣ୍ଣଚନ୍ଦ୍ର ପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଥିବା ହଷ୍ଟେଲରେ ରଖାଯାଇଥିଲା । ପରବର୍ତ୍ତୀ ସମୟରେ ଉଭୟେ ମ୍ୟାଟ୍ରିକ ପାସକରିବା ପରେ ମାନସ ସରକାରୀ ବହୁଶିଳ୍ପ ଅନୁଷ୍ଠାନ, ଟିକରପଡା, ଶ୍ୟାମାଖୁଣ୍ଟାରେ ଇଲେକଟ୍ରିକଲ ଇଞ୍ଜିନିୟରିଙ୍ଗ ଏବଂ ଶ୍ରୀକାନ୍ତ ଯୁକ୍ତ ଦୁଇ ପରେ ପି ଆର ଏମ ମେଡିକାଲ କଲେଜରେ ପାଥୋଲଜି କୋର୍ସ କରୁଛନ୍ତି ।
ଶିଶୁ ଶ୍ରମିକରୁ ଉଚ୍ଚ ଶିକ୍ଷାଲାଭ ଲାଭ କରୁଥିବା ଏହି ଦୁଇ ଛାତ୍ର ସମାଜରେ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି । ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ ଆୟୋଜିତ ବିଶ୍ୱ ଶିଶୁ ଶ୍ରମିକ ନିରୋଧ ଦିବସ ପାଳନ ଅବସରରେ ଉଭୟଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

