Dewatermark.ai 1749719145430 750

କେନ୍ଦୁଝରର ଗ୍ରାମ୍ୟ ବ୍ୟାଙ୍କରୁ ଲୁଟ୍; ଲକ୍ଷାଧିକ ଟଙ୍କା ସହ ସୁନା ଅଳଙ୍କାର ନେଇଗଲେ

ରାଜ୍ୟ

କେନ୍ଦୁଝର: କେନ୍ଦୁଝରର ଯୋଡାରେ ଗୁରୁବାର ଦିନ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରୁ ଏକ ଡକାୟତ ଦଳ ୧୦ ଲକ୍ଷ ଟଙ୍କା ସହ ବିପୁଳ ପରିମାଣର ସୁନା ଅଳଙ୍କାର ଲୁଟି ନେଇଛନ୍ତି।

ସୂଚନା ଅନୁଯାୟୀ, ସକାଳ ପ୍ରାୟ ୧୦ଟାରେ ବ୍ୟାଙ୍କ ଖୋଲିବା ପରେ ୫ ଜଣିଆ ଡକାୟତ ଗ୍ୟାଙ୍ଗ ବ୍ୟାଙ୍କ ପରିସରରେ ପଶି କର୍ମଚାରୀ ଏବଂ ଗ୍ରାହକଙ୍କୁ ବନ୍ଧକ କରିଥିଲେ। ସେମାନଙ୍କ ମଧ୍ୟରୁ ତିନି ଜଣ ବନ୍ଧୁକ ଧରିଥିଲା ବେଳେ ବାକି ଦୁଇ ଜଣଙ୍କ ହାତରେ ଧାରୁଆ ଅସ୍ତ୍ର ରହିଥିଲା। ସେମାନେ କର୍ମଚାରୀଙ୍କୁ ଧମକ ଦେଇ ନଗଦ ଏବଂ ସୁନା ଅଳଙ୍କାର ଲୁଟି ନେଇଥିଲେ।

ଏହା ବ୍ୟତୀତ ଡକାୟତମାନେ ବ୍ୟାଙ୍କରେ ଥିବା ସିସିଟିଭି କ୍ୟାମେରାର ହାର୍ଡଡିସ୍କ ମଧ୍ୟ ନେଇଯାଇଥିଲେ।

ସୂଚନା ପାଇ ଯୋଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଅପରାଧୀମାନଙ୍କୁ ଚିହ୍ନଟ କରିବା ପାଇଁ ନିକଟବର୍ତ୍ତୀ ଅଞ୍ଚଳରୁ ସିସିଟିଭି ଫୁଟେଜ୍ ଯାଞ୍ଚ କରାଯାଉଛି। ସେମାନଙ୍କୁ ଖୋଜିବା ପାଇଁ ୪ଟି ଟିମ୍ ଗଠନ କରାଯାଇଛି। ଏଥିସହିତ ପ୍ରବେଶ ଏବଂ ପ୍ରସ୍ଥାନ ସ୍ଥାନ ଗୁଡ଼ିକୁ ନାକାବନ୍ଦି କରାଯାଇଥିବା ନେଇ ଯୋଡା ଥାନା ଇନଚାର୍ଜ ରବି ଦାସ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି।

Shrutilipi ad