ଆଗରପଡ଼ା :ସରକାର ଗ୍ରାମାଂଚଳରେ ବସବାସ କରୁଥିବା ବିଭିନ୍ନ ବର୍ଗର ଲୋକଙ୍କ ଆର୍ଥିକ ଅବସ୍ଥାକୁ ଆଖି ଆଗରେ ରଖି ବିଭିନ୍ନ ପ୍ରକାର ଯୋଜନା ପ୍ରସ୍ତୁତ କରୁଛନ୍ତି ସତ କିନ୍ତୁ ବିଭାଗର ତରଫରୁ ଯୋଜନାରେ ବିନିଯୋଗ ହେବାକୁ ଥିବା ଅର୍ଥର ଅଟକଳ ଠିକ୍ ଭାବେ କରାଯାଉନଥିବାରୁ ଯୋଜନା ଗୁଡ଼ିକ ଅଧପନ୍ତରିଆ ଅବସ୍ଥାରେ ପଡ଼ିରହୁଛି । ଯାହାର ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ବନ୍ତ ବ୍ଲକର ବିଭିନ୍ନ ପଂଚାୟତରେ ନିର୍ମାଣାଧୀନ କଲ୍ୟାଣମଣ୍ଡପ କ୍ଷେତ୍ରରେ । ସୂଚନା ଅନୁଯାୟୀ;ଯୋଜନା ମୁତାବକ ପ୍ରତି କଲ୍ୟାଣମଣ୍ଡପ ନିର୍ମାଣରେ ପାଖାପାଖି ୩୫ଲକ୍ଷ ଟଙ୍କା ଖର୍ଚ୍ଚ ହେବାକୁ ଥିବା ବେଳେ ସମପରିମାଣର ଅର୍ଥ ମଂଜୁର ହୋଇପାରୁନଥିବାରୁ ଉକ୍ତ ମଣ୍ଡପ ଗୁଡ଼ିକ ଅଧପନ୍ତରିଆ ଅବସ୍ଥାରେ ପଡ଼ିରହିଛି । । ୨୦୧୮-୧୯ ଆର୍ଥିକ ବର୍ଷରେ ପଂଚାୟତ ସମିତି ବନ୍ତ ପକ୍ଷରୁ ପୁରୁଷଣ୍ଢ ପଂଚାୟତରେ ଏକ କଲ୍ୟାଣ ମଣ୍ଡପ ନିର୍ମାଣ ପାଇଁ ରାଜ୍ୟ ଅର୍ଥ କମିଶନ ପାଣ୍ଠିରୁ ୧୦ ଲକ୍ଷ ଟଙ୍କା ମଂଜୁର କରାଯାଇଥିଲା । ପରବର୍ତ୍ତି ସମୟରେ ବିଭିନ୍ନ ଯୋଜନାରେ ଆଉ ୧୦ଲକ୍ଷ ଟଙ୍କା ବିନିଯୋଗ କରାଯାଇଥିଲା ଏହାର ନିର୍ମାଣରେ କିନ୍ତୁ ଇତି ମଧ୍ୟରେ ୭ବର୍ଷ ପରେ ମଧ୍ୟ ପ୍ରକଳ୍ପଟି ଅଧପନ୍ତରିଆ ଅବସ୍ଥାରେ ରହିଛି । ଏହା ସଂପୂର୍ଣ୍ଣ ହେବାକୁ ଆହୁରି ୧୫ ଲକ୍ଷ ଟଙ୍କାର ଆବଶ୍ୟକତା ରହିଛି । ସେହିପରି ୨୦୨୦-୨୧ ଆର୍ଥିକ ବର୍ଷରେ ପଂଚାୟତ ସମିତି ବନ୍ତ ପକ୍ଷରୁ ଉକ୍ତ ପଂଚାୟତର ତୋଟାସାହି ଠାରେ ଏକ କଲ୍ୟାଣ ମଣ୍ଡପ ନିର୍ମାଣ ପାଇଁ ରାଜ୍ୟ ଅର୍ଥ କମିଶନ ପାଣ୍ଠିରୁ ୧୦ ଲକ୍ଷ ଟଙ୍କା ମଂଜୁର କରାଯାଇଥିଲା । ଇତି ମଧ୍ୟରେ ଉକ୍ତ ପ୍ରକଳ୍ପ ନିର୍ମାଣକୁ ୫ବର୍ଷର୍ ପୂରିବାକୁ ବସିଥିଲେ ସୁଦ୍ଧା ଏହାର ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ ହୋଇପାରିନାହିଁ । ନିର୍ମାଣକୁ ୩ବର୍ଷ ପୂରିଯିବା ପରେ ମଧ୍ୟ ପ୍ରକଳ୍ପଟି ଗ୍ରେଡ଼ ବିମରେ ଅଟକିରହିଥିଲା । ତୋଟାସାହି ଉକ୍ତ ଅଂଚଳର ଏକ ପବିତ୍ର ସ୍ଥାନ ହୋଇଥିବା ବେଳେ ଜିଲ୍ଲାରେ ସାବିତ୍ରୀ ଆଡ଼ି ନାମରେ ପରିଚିତ ଥିବାରୁ ଏଠାରେ ଜଲ୍ୟାଣ ମଣ୍ଡପ ନିର୍ମାଣର ଗୁରୁତ୍ୱ ଥିବା ସ୍ଥଳେ ଏହା ଅଧପନ୍ତରିଆ ଅବସ୍ଥାରେ ରହିଥିବା ନେଇ ବିଭିନ୍ନ ଗଣ ମାଧ୍ୟମରେ ବାରମ୍ବାର ଖବର ପ୍ରକାଶିତ ହେବା ପରେ ବିଭାଗ ପକ୍ଷରୁ ଏହାର ନିର୍ମାଣ କାର୍ଯ୍ୟରେ ତତ୍ପରତା ପ୍ରକାଶ ପାଇଥିଲା । କିନ୍ତୁ ଅର୍ଥାଭାବରୁ ଏହା ମଧ୍ୟ ଅଧପନ୍ତରିଆ ଅବସ୍ଥାରେ ପଡ଼ିରହିଛି । ସେହିପରି ବ୍ଲକର ବିଭିନ୍ନ ପଂଚାୟତରେ କଲ୍ୟାଣମଣ୍ଡପ ନିର୍ମାଣ ହେଉଛି ସତ କିନ୍ତୁ ଏଗୁଡ଼ିକ ନିର୍ଦ୍ଦାରିତ ସମୟ ମଧ୍ୟରେ ସରିବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଉକ୍ତ ସମସ୍ୟାକୁ ନେଇ ବିଭିନ୍ନ ପଂଚାୟତର କନିଷ୍ଠଯନ୍ତ୍ରୀଙ୍କୁ ଯୋଗାଯୋଗ କରିବାରୁ ଆବଶ୍ୟକଥିବା ଅର୍ଥ ପାଇଁ ସୁପାରିସ କରାଯାଇଛି । ଅର୍ଥ ମଂଜୁର ହେଲେ ଏହାର ନିର୍ମାଣ କାର୍ଯ୍ୟରେ ତ୍ୱରାନ୍ନିତ ଆସିବ ବୋଲି ପ୍ରକାଶ କରିଥିଲେ । ତେଣୁ ରାଜ୍ୟର ଶାସନ ଗାଦିରେ ନୂତନ ସରକାର ବସିବାକୁ ଇତି ମଧ୍ୟରେ ୧ବର୍ଷ ପୂରଣ ହୋଇଯାଇଥିବାରୁ ଉକ୍ତ ପ୍ରକଳ୍ପର ନିର୍ମାଣ ଶୀଘ୍ର ସମ୍ପୂର୍ଣ୍ଣ କିପରି ହେବ ଏଥିପ୍ରତି ସରକାର ଦୃଷ୍ଟି ଦେବାକୁ ପଂଚାୟତବାସୀଙ୍କ ସମେତ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି ।

