Photo for the news of medical waste machine

ସ୍ୱାସ୍ଥ୍ୟ କେନ୍ଦ୍ର ସମ୍ମୁଖରେ ଅଲୋଡ଼ା ହୋଇ ପଡ଼ିରହିଛି ଲକ୍ଷାଧିକ ଟଙ୍କାର ସରଞ୍ଜାମ

ରାଜ୍ୟ

ଆଗରପଡ଼ା :ସରକାର ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ବିଭିନ୍ନ ଯୋଜନାରେ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ବିଭାଗୀୟ ଅଧିକାରୀଙ୍କ ଦୂର ଦୃଷ୍ଟିର ଅଭାବ ଯୋଗୁଁ ଏହି ସବୁ ଯୋଜନାର ସଫଳ ରୂପାୟନ ହୋଇପାରୁନଥିବା ଜଣାପଡ଼ିଛି । ଭଦ୍ରକ ଜିଲ୍ଲା ବନ୍ତ ବ୍ଳକ ଆଗରପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ତଥା ଏହା ଅଧିନରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଏହିପରି ଦୃଷ୍ଟାନ୍ତ ଦେଖିବାକୁ ମିଳିଛି । ସୂଚନା ଅନୁଯାୟୀ ଆଗରପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ତଥା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରୁ ପ୍ରତିଦିନ ବାହାରୁଥିବା ଆବର୍ଚ୍ଚନା ଯେପରିକି ଛୁଂଚି,ବ୍ୟାଣ୍ଡେଜ କପଡ଼ା,ସିରିଂଜ,ପ୍ଲାଷ୍ଟିକ ବୋତଲ ସମତେ ଅନ୍ୟାନ୍ୟ ଅବ୍ୟବହୃତ ସାମଗ୍ରୀ ଏଣେତେଣେ ପଡ଼ି ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି କରୁଥିବାରୁ ଏକ ସୁସ୍ଥ ପରିବେଶ ସୃଷ୍ଟି ଉଦ୍ଦେଶ୍ୟରେ ଜାତୀୟ ସ୍ୱାସ୍ଥ୍ୟ ମିଶନ ତରଫରୁ ଲକ୍ଷାଧିକ ଟଙ୍କା ମୂଲ୍ୟର ସରଞ୍ଜାମ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡ଼ିକୁ ଯୋଗାଇ ଦିଆଯାଇଥିଲା । ଉକ୍ତ ସରଞ୍ଜାମ ର ଉଦ୍ଦେଶ୍ୟ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରୁ ବାହାରୁଥିବା ବିିଭିନ୍ନ ଆବର୍ଚ୍ଚନାକୁ ସଂଗ୍ରହ କରି ତାକୁ କାଟି ଛୋଟ ଛୋଟ ନଷ୍ଟ କରିବା ସହ ଏକ ସୁସ୍ଥ ପରିବେଶ ସୃଷ୍ଟି କରିବା । କିନ୍ତୁ ଦୁଃଖ ଓ ଅନୁତାପର ବିଷୟ ବିଭାଗୀୟ ଅଧିକାରୀଙ୍କ ଦୂରଦୃଷ୍ଟିର ଅଭାବ ଯୋଗୁଁ ଉକ୍ତ ସରଞ୍ଜାମ ବ୍ୟବହାର ଯୋଗ୍ୟ ହେବା ଆଗରୁ ନଷ୍ଟ ହେବାକୁ ବସିଛି । ବର୍ଷ ବର୍ଷ ଧରି ସ୍ୱାସ୍ଥ୍ୟ କେନ୍ଦ୍ର ସମ୍ମୁଖରେ ଅଲୋଡ଼ା ହୋଇ ପଡ଼ିରହି ଖତ ଖାଉଛି । ଉକ୍ତ ସରଞ୍ଜାମ ବ୍ୟବହାର ଯୋଗ୍ୟ ହେବା ପାଇଁ ଆବଶ୍ୟକ କରୁଥିବା ଉପକରଣ ଉପଲବ୍ଧ ହୋଇପାରୁନଥିବାରୁ ଏହାର ଅବସ୍ଥା ଏହିପରି ହୋଇଥିବା ଜଣାପଡ଼ିଛି । ତେଣୁ ବିଭାଗ ଲକ୍ଷାଧିକ ଟଙ୍କାରେ ନିର୍ମିତ ସରଞ୍ଜାମ ଯୋଗାଇ ଦେବା ଆଗରୁ ତାହାର ଆବଶ୍ୟକତାକୁ ପୂରଣ ନକରିବା ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟପନ୍ଥା ଉପରେ ଅଙ୍ଗୁଳ ନିର୍ଦ୍ଦେଶ କରୁଛି । ତେଣୁ ବ୍ୟବହାର ଯୋଗ୍ୟ ହେବା ଆଗରୁ ନଷ୍ଟ ହେବାକୁ ବସିଥିବା ଲକ୍ଷାଧିକ ଟଙ୍କାର ସରଞ୍ଜାମ କୁ ବ୍ୟବହାର ଯୋଗ୍ୟ କରିବା ସହ ଏକ ସୁସ୍ଥ ପରିବେଶ ସୃଷ୍ଟି କରିବା ପାଇଁ ବିଭାଗ ଚେଷ୍ଟିତ ହେବାକୁ ବିଭିନ୍ନ ମହଲରୁ ଦାବି ହେଉଛି ।

Shrutilipi ad