ଆଗରପଡ଼ା :ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡ଼ିବା ନେଇ ବାରମ୍ବାର ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ବିଭାଗ ପକ୍ଷରୁ ଆଗରପଡ଼ା-ବରପଦା ପୂର୍ତ୍ତବିଭାଗ ରାସ୍ତାର ସ୍ଥାୟୀ ମରାମତି କରାଯିବା ପରିବର୍ତ୍ତେ ବର୍ତ୍ତମାନ ତାଳିପକା କାମ ଆରମ୍ଭ ହୋଇଛି ସତ କିନ୍ତୁ ଉକ୍ତ ତାଳିପକା କାମ ସତ ପଇସାରେ ହେଉଥିବା ବେଳେ ମିଛରେ ଚାଲିଥିବା ଦେଖିବାକୁ ମିଳିଛି । ବର୍ତ୍ତମାନ ବରପଦାରୁ ଆଗରପଡ଼ା ମଧ୍ୟରେ ବିଭିନ୍ନ ସ୍ଥାନରେ ଏହାର ମରାମତି ଚାଲିଛି । ଖାଲଖମାରେ ପରିପୂର୍ଣ୍ଣ ଥିବା ରାସ୍ତାକୁ ମେସିନରେ ତାଡ଼ି ତାମଧ୍ୟରେ ମେଟାଲ ଭର୍ତ୍ତି କରାଯାଇ ଉପରେ ଡ଼ଷ୍ଟ ବିଛେଇ ଦେଇ କାମ ସାରି ଦିଆଯାଉଛି । ନା ରାସ୍ତାକୁ ସମତୁଲ କରାଯାଉଛି ନା ତାଉପରେ ପାଣି ଛିଚଂଣ ହେଉଛି । ଏହିପରି କିଛି କରାଯାଉନଥିବାରୁ କାମ ସରୁସରୁ ବିଛା ଯାଇଥିବା ମେଟାଲ ଗୁଡ଼ିକ ଗାଡ଼ି ଚଳାଚଳ କରୁଥିବାରୁ ରାସ୍ତା ସାରା ଖେଳେଇ ହୋଇ ଯିବା ଦ୍ୱାରା ଗମନାଗମନରେ ବ୍ୟାଘାତ ସୃଷ୍ଟି ହେବା ସହ ଲୋକଙ୍କ ପାଇଁ ବିପଦ ସୃଷ୍ଟି ହେଉଛି । କହିବାକୁ ଗଲେ ମରାମତି ପୂର୍ବରୁ ଗମନାଗମନରେ ଯେତିକି ବିପନ ଅନୁଭବ ହେଉନଥିଲା ବର୍ତ୍ତମାନ କରାଯାଉଥିବା କାମ ବେଶି ବିପଦ ସୃଷ୍ଟି କରୁଛି । ଦିନ ଅପେକ୍ଷା ରାତିରେ ଉକ୍ତ ରାସ୍ତା ଉପରେ ଗମନାଗମନ କରିବା ମାନେ ବିପଦକୁ ଆମନ୍ତ୍ରଣ କରିବା ସଦୃଶ ହୋଇଛି । ଏହିପରି କାମକୁ ନେଇ ବିଭାଗୀୟ ଅଧିକାରୀଙ୍କୁ ଫୋନ ମାଧ୍ୟମରେ ଯୋଗଯୋଗ କରିବାକୁ ଚେଷ୍ଟା କଲେ ସୁଦ୍ଧା ଅଧିକାରୀ ଫୋନ କଲ ରିସିଉ ନକରିବା ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟପନ୍ଥା ଉପରେ ଅଙ୍ଗୁଳ ନିର୍ଦ୍ଦେଶ କରୁଛି । ତେଣୁ ଉକ୍ତ ମରାମତିରେ ସରକାରଙ୍କ ଅର୍ଥ ବ୍ୟୟ ହେଉଥିବାରୁ ସତ ପଇସାରେ ମିଛ ମରାମତି ନକରି ମରାମତିକୁ ଗମନାଗମନ ସାପେକ୍ଷ କରିବା ପାଇଁ ବିଭାଗ ଚେଷ୍ଟିତ ହେବାକୁ ବିଭିନ୍ନ ମହଲରୁ ଦାବି ହେଉଛି ।

