ଆଗରପଡ଼ା : ଆଧୁନିକତ୍ୱର ପରିଭାଷାରେ ମନୁଷ୍ୟ ଭୂଲିବାକୁ ବସିଲାଣି ପରିବେଶର ସୁରକ୍ଷା । ତା ଭିତରେ ମନୁଷ୍ୟ ଭୂଲି ଯାଉଛି ନିଜ ଜୀବନର ସୁରକ୍ଷା । ପରିବେଶ ପ୍ରଦୂଷଣ ହେବାର କାରଣ ଅନେକ ଥିବା ବେଳେ ପଲିଥିନ ଏକ ମୁଖ୍ୟ କାରଣ ସାଜିଛି । ପ୍ରତି ବର୍ଷ ଜୁନ ୫ ତାରିଖକୁ ବିଶ୍ୱ ପରିବେଶ ଦିବସ ରୂପେ ପାଳନ କରାଯାଉଛି ମାତ୍ର ପଲିଥିନର ବହୁଳ ବ୍ୟବହାର ଯୋଗୁଁ ଏହି ଦିବସ ମୂଲ୍ୟହୀନ ହୋଇପଡ଼ୁଛି ବୋଲି ପରିବେଶବିତମାନେ ମତ ପ୍ରକାଶ କରୁଛନ୍ତି । ଚଳିତ ବିଶ୍ୱ ପରିବେଶ ଦିବସର ପ୍ରସଙ୍ଗ ହେଉଛି ‘ପ୍ଳାଷ୍ଟିକ୍ ପ୍ରଦୂଷଣକୁ ପରାସ୍ତ କରିବା’ା ପ୍ରଥମେ ୧୯୭୩ ମସିହାରେ ବିଶ୍ୱ ପରିବେଶ ଦିବସ ଆରମ୍ଭ ହୋଇଥିଲା । ଏହା ସାମୁଦ୍ରିକ ପ୍ରଦୂଷଣ,ଅଧିକ ଜନସଂଖ୍ୟା ଏବଂ ବିଶ୍ୱ ତାପମାତ୍ରା ଏହି ଭଳି ଅନେକ ସମସ୍ୟା ପାଇଁ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଉଦେଶ୍ୟରେ ଏହି ଦିବସକୁ ପାଳନ କରିବା ଆରମ୍ଭ କରାଯାଇଥିଲା । ପ୍ଲାଷ୍ଟିକର ବହୁଳ ମାତ୍ରାରେ ବ୍ୟବହାର ମଧ୍ୟ ପରିବେଶକୁ ନଷ୍ଟ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିବାରୁ ମାନ୍ୟବର ହାଇକୋର୍ଟ ୨୦୦୨ ମସିହା ରେ ପଲିଥିନ ବ୍ୟବହାରକୁ ବିରୋଧ କରି ଏହା ବିରୁଦ୍ଧରେ କଡ଼ା କଡ଼ି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ପରେ ରାଜ୍ୟ ସରକାର ଜିଲ୍ଳା ପ୍ରଶାସନକୁ ଏହାର ବ୍ୟବହାର ପାଇଁ ନିଷେଧାଜ୍ଞା ଜାରି ମଧ୍ୟ କରିଛନ୍ତି । ତତ୍ ସହିତ ବିଭିନ୍ନ ଗଣମାଧ୍ୟମରେ ଏହାର ବ୍ୟବହାର ନକରିବା ପାଇଁ ବିଜ୍ଞାପନ ମଧ୍ୟ ପ୍ରକାଶ ପାଉଥିଲା । କିନ୍ତୁ ଇତି ମଧ୍ୟରେ ୨୩ ବର୍ଷ ବିତିଗଲା ପରେବି ମାନ୍ୟବର ହାଇକୋର୍ଟଙ୍କ ନିର୍ଦ୍ଦେଶ ପାଳିତ ହୋଇନପାରିବା ବଡ଼ ଦୁଃଖ ଓ ଅନୁତାପର ବିଷୟ । ଯାହାକି ପ୍ରଶାସନିକ ଅଧିକାରୀଙ୍କ କାର୍ଯ୍ୟପନ୍ଥା ଉପରେ ଅଙ୍ଗୁଳ ନିର୍ଦ୍ଦେଶ କରୁଛି । ପ୍ରକାଶ ଥାଉକି : ସମଗ୍ର ଦେଶରେ ପରିବେଶର ସୁରକ୍ଷାକୁ ନେଇ ପଲିଥିନ ବ୍ୟବହାର ଉପରେ ନିଷେଧାଦେଶ ଜାରି କରାଯାଇଥିବାରୁ ବହୁ ରାଜ୍ୟରେ ପଲିଥିନ କାରବାର ବନ୍ଦ ହୋଇଯାଇଥିବା ବେଳେ ୨୦୧୮ ଅକ୍ଟୋବର ୨ତାରିଖରୁ ରାଜ୍ୟର ପ୍ରମୁଖ ସହର ଯଥା ଭୁବନେଶ୍ୱର,କଟକ,ପୁରୀ,ରାଉରକେଲା ଓ ବ୍ରହ୍ମପୁରରେ ଏହାର ବ୍ୟବହାର ଉପରେ ରୋକ୍ ଲଗାଯାଇଥିଲା ଓ ବର୍ଷ ୨୦୧୯ ଅକ୍ଟୋବର ୨ତାରିଖରୁ ସାରା ରାଜ୍ୟକୁ ପଲିଥିନ ଓ ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ ସରକାର ଘୋଷଣା କରିଥିଲେ ସୁଦ୍ଧା ଏହାର ସଫଳ ରୂପାୟନ ଆଜି ସୁଦ୍ଧା ହୋଇ ପାରି ନାହିଁ । ଏହାର ବ୍ୟବହାର ଉପରେ ଆଜି ପର୍ଯ୍ୟନ୍ତ କୈାଣସି ପଦକ୍ଷେପ ନ ନିଆ ହେବା ଦ୍ୱାରା ଏହାର ବହୁଳ ବ୍ୟବହାର ହେଉଛି । ବନ୍ତ ଓ ଆଗରପଡ଼ା ତଥା ଏହାର ଆଖପାଖ ଅଂଚଳରେ ପଲିଥିନର ବହୁଳ ବ୍ୟବହାର ଦେଖାଯାଉଛି । ୫୦ମାଇକ୍ରୋନରୁ କମ୍ ପଲିଥିନ ବ୍ୟବହାର କରିବା ଆଇନ୍ ବିରୁଦ୍ଧ ହୋଇଥିବା ବେଳେ ଏଠାକାର ତେଜରାତି ଦୋକାନରୁ ଆରମ୍ଭ କରି ପନି ପରିବା , ମିଠା ନୋକାନ ସହ ମାଛ-ମାଂସ ଆଦି ବିଭିନ୍ନ ଦ୍ରବ୍ୟକୁ ଗ୍ରାହକମାନେ ପଲିଥିନରେ ନେଉଥିବାର ଦେଖାଯାଉଛି । ପଲିଥିନକୁ ବ୍ୟବହାର କରି ବିଭିନ୍ନ ସ୍ଥାନରେ ଫିଙ୍ଗାଯିବା ଦ୍ୱାରା ଏହାକୁ ଗାଈ ଗୋରୁ ମାନେ ଖାଇବା ଦ୍ୱାରା ତାଙ୍କର ପାଚନ ଶକ୍ତି ହ୍ରାସ ହେବା ସହ ତାଙ୍କୁ ବିଭିନ୍ନ ରୋଗ ଗ୍ରାସ କରୁଛି । ଏଥି ସହ ମୃତ୍ତିକା ଅବକ୍ଷୟ ମଧ୍ୟ ଘଟୁଛି । ପଲିଥିନକୁ ପୋଡ଼ିବା ଦ୍ୱାରା ମାଟିର ଉର୍ବରତା କମିବା ସହ ବାୟୁମଣ୍ଡଳ ଦୂଷିତ ହେଉଛି । ଏବେ ବିଭିନ୍ନ ଅଭିନନ୍ଦନର ବାର୍ତ୍ତାକୁ ପଲିଥିନ ରେ ତିଆରି ବ୍ୟାନର ମାଧ୍ୟମରେ ଆଦୃତ କରାଯାଉଥିବାରୁ ଏହି ନିଷେଧାଜ୍ଞାର କାର୍ଯ୍ୟାକାରି ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ପୂର୍ବରୁ ପଲିଥିନର ପ୍ରଚଳନ ହୋଇନଥିବା ବେଳେ କାଗଜରେ ତିଆରି ଠୁଙ୍ଗାକୁ ବ୍ୟବସାୟୀ ଉପକରଣ ରୂପେ ବ୍ୟବହାର କରାଯାଉଥିଲା । କିନ୍ତୁ ସମୟ ଚକ୍ରରେ ହଜିଯାଉଛି ଠୁଙ୍ଗା । ତେଣୁ ଏହିସବୁ କୁ ଆଖିଆଗରେ ରଖି ପଲିଥିନର ବିକଳ୍ପ କୁ ବ୍ୟବହାର ପାଇଁ କଡ଼ାକଡ଼ି ନିର୍ଦ୍ଦେଶ ଦେବା ସହ ପରିବେଶ ସୁରକ୍ଷା ଓ ଜନମାନସର ଜୀବନକୁ ସରସ ସୁନ୍ଦର କରିବାପାଇଁ ସରକାରଙ୍କ ନିର୍ଦ୍ଦେଶକୁ କଡ଼ାକଡ଼ି ପାଳନ ପୂର୍ବକ ବିଭାଗୀୟ ଅଧିକାରୀ ପଦକ୍ଷେପ ନେବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି ।

