R7pxcqs1qteyk4htwlyd

ରକ୍ତ ଅଭାବରୁ ନାବାଳକର ମୃତ୍ୟୁ ! ନ୍ୟାୟ ଦାବିରେ ଧାରଣାରେ ବସିଲେ ପରିବାର

ରାଜ୍ୟ

ରାୟଗଡ଼ା: ଆବଶ୍ୟକ ସମୟରେ ଓଡ଼ିଶା ରକ୍ତ କେନ୍ଦ୍ର ରାୟଗଡ଼ାରୁ ରକ୍ତ ନମିଳିବାରୁ ଜଣେ ନାବାଳକର ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ମୃତକଙ୍କ ପରିବାର ବର୍ଗ। ମୃତ ନାବାଳକ ହେଲେ ରାଜୀବ ଟାକିରି (୯)। ସେ ଜ୍ୱରରେ ପୀଡ଼ିତ ଥିବାରୁ ପରିବାର ଲୋକେ ତାଙ୍କୁ ଗତକାଲି ସକାଳ ୯ ଟା ସମୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ରକ୍ତର ଆବଶ୍ୟକତା ଥିବାରୁ ରକ୍ତଭଣ୍ଡାରକୁ ଆସି ଜଣାଇଥିଲେ। କିନ୍ତୁ ଦାୟିତ୍ବରେ ଥିବା କର୍ମଚାରୀ ରକ୍ତ ଭଣ୍ଡାରରେ ରକ୍ତ ନଥିବା କଥା ପ୍ରକାଶ କରିଥିଲେ। ଆଜି ରକ୍ତଭଣ୍ଡାର କର୍ତ୍ତୃପକ୍ଷ ଯଦିଓ ରକ୍ତ ପ୍ରଦାନ କରିଥିଲେ କିନ୍ତୁ ଆଜି ନାବାଳକ ଜଣକଙ୍କ ମୃତ୍ୟୁ ହୋଇଯାଇଥିଲା। ରକ୍ତ ପ୍ରଦାନରେ ଅହେତୁକ ବିଳମ୍ବ କରିବାରୁ ରାଜୀବର ମୃତ୍ୟୁ ହୋଇଥିବା ଅଭିଯୋଗ କରି କ୍ଷତିପୂରଣ ଦାବିକରି ରାୟଗଡ଼ା ରକ୍ତଭଣ୍ଡାର ସମ୍ମୁଖରେ ପରିବାର ଲୋକଙ୍କ ପକ୍ଷରୁ ଧାରଣା ଦିଆଯାଇଥିଲା।
ଘଟଣା ସ୍ଥଳରେ ଥାନା ଆଇଆଇସି କମଳ କାନ୍ତ ବସନ୍ତ କୁମାର କହଁର, ଡାକ୍ତର ସୁରେଶ ଚନ୍ଦ୍ର ଦେବ ଏବଂ ଓଡିଶା ରକ୍ତ କେନ୍ଦ୍ର ଇନଚାର୍ଜ ଗୌତମ ପଟ୍ଟନାୟକ ପହଂଚି ଧାରଣା ଦେଇଥିବା ଲୋକଙ୍କ ସହିତ ଆଲୋଚନା କରିବା ପରେ ଏକ ଲିଖିତ ପ୍ରତିଶ୍ରୁତି ଦେଇଥିଲେ ଯେ ଏହି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯିବ ଏବଂ ଯିଏ ଦୋଷୀ ସାବ୍ୟସ୍ତ ହେବେ ତାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶୃତି ଦେବା ପରେ ଧାରଣା ହଟିଥିଲା।
ସୂଚନା ଅନୁଯାୟୀ ରାୟଗଡା ସହରର ନ୍ୟୁ କଲୋନିରେ ରହୁଥିବା ଅଟୋ ଡ୍ରାଇଭର ମଧୁସୂଦନ ଟାକିରିଙ୍କ ପୁଅ ରାଜୀବ ଟାକିରିକୁ ଜ୍ୱର ହୋଇଥିଲା। ଜ୍ୱର ନକମିବାରୁ ପୁଅକୁ ଧରି ପରିବାର ଲୋକେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ। ଏହାପରେ ଡାକ୍ତର ତାଙ୍କୁ ରକ୍ତ ପରୀକ୍ଷା କରିବା ପାଇଁ କହିଥିଲେ। ରକ୍ତ ପରୀକ୍ଷା ପରେ ପୁଅର ରକ୍ତର ଅଭାବ ରହିଛି ଯଥାଶୀଘ୍ର ରକ୍ତ ଚଢାଇବା ପାଇଁ ଡାକ୍ତର କହିବା ପରେ ରକ୍ତ ଭଣ୍ଡାରକୁ ରକ୍ତ ପାଇଁ ଯାଇଥିଲେ। ହେଲେ ରାତିରେ ରକ୍ତ କେନ୍ଦ୍ରରେ କାର୍ଯ୍ୟରତ କର୍ମଚାରି ରକ୍ତ ନଦେଇ ଫେରାଇ ଦେଇଥିଲେ। ଆଜି ସକାଳେ ଏକ୍ସଚେଞ୍ଜରେ ରକ୍ତ ଦେବୁ କହିବାରୁ ରକ୍ତ କେନ୍ଦ୍ରରୁ A+ ପଜିଟିଭ ରକ୍ତ ମିଳିଥିଲା। ହେଲେ ରକ୍ତ ଚଢାଇବା ସମୟରେହିଁ ନାବାଳକଙ୍କ ମୃତ୍ୟୁ ହୋଇଯାଇଥିଲା। ଏହାପରେ କ୍ଷତିପୂରଣ ଦାବି କରି ପରିବାର, ବନ୍ଧୁବାନ୍ଧବ ରକ୍ତ କେନ୍ଦ୍ର ସଂମ୍ମୁଖରେ ଧାରଣା ଦେଇଥିଲେ। ଏନେଇ ରକ୍ତ କେନ୍ଦ୍ର ଇନଚାର୍ଜ ଗୌତମ ପଟ୍ଟନାୟକ କହିଥିଲେ ଯେ ଘଟଣାର ତଦନ୍ତ ହେବ ଏବଂ ତଦନ୍ତ ପରେ ଦୋଷୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Shrutilipi ad