Gm6b9 6wuaaywux.jpg

ବେଆଇନ ମଦ କାରବାରକୁ ବିଜେପି ନେତା ପ୍ରଶୟ ଦେଉଛନ୍ତି: ସପ୍ତଗିରି

ରାଜ୍ୟ

ଲକ୍ଷ୍ମୀପୁର: ରାଜ୍ୟରେ ବେଆଇନ ମଦ କାରବାର ଚାଲିଛି। ବେଆଇନ ମଦ କାରବାରକୁ ବିଜେପି ନେତା ପ୍ରଶୟ ଦେଉଛନ୍ତି। ଏହା ଏକ ନିନ୍ଦନୀୟ ଘଟଣା। ପୁଲିସ ଓ ଅବକାରୀ ବିଭାଗର ଜାଣତରେ ଲକ୍ଷ୍ମୀପରୁରେ ବେଆଇନ ମଦ କାରବାର ହେଉଛି। ଏହାର ସ୍ଥାନୀୟ ବିଜେପି ନେତାମାନେ ମଧ୍ୟ ସମର୍ଥନ କରୁଛନ୍ତି। ଲକ୍ଷ୍ମୀପରୁରେ ଲାଇସେନ୍ସପ୍ରାପ୍ତ ମଦଦୋକାନରେ ଅପମିଶ୍ରିତ ମଦ ମଧ୍ୟ ବିକ୍ରି ହେଉଛି। ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ସମ୍ପୂର୍ଣ ମଦ ବନ୍ଦ କରାଯାଉ। କୋରାପୁଟ ସାଂସଦ ସପ୍ତଗିରି ଶଙ୍କର ଉଲ୍ଲକା ଏଭଳି ଦାବି ରଖିଛନ୍ତି।
ଲକ୍ଷ୍ମୀପୁରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଧାୟକ ପବିତ୍ର ସାଉଁନ୍ତା କହିଛନ୍ତି, ନିର୍ବାଚନ ପୂର୍ବରୁ ଓ ପରେ ଅଞ୍ଚଳର ଲୋକେ ବେଆଇନ ମଦ ବନ୍ଦ ପାଇଁ ବାରମ୍ବାର କହିଥିଲେ। ସରକାରଙ୍କୁ ଏବାବଦରେ ଜଣେଇଥିଲେ ମଧ୍ୟ କେହି କର୍ଣ୍ଣପାତ କରି ନଥିଲେ। ତେଣୁ ବାଧ୍ୟ ହୋଇ ଚାବି ପକାଇଲି। ମୁଁ କାହାରିକୁ ବଟି ମାଗି ନାହିଁ। ଏହା ସମ୍ପୂର୍ଣ ମିଥ୍ୟା। ମୁଁ ଯଦି କାହାରିକୁ ବଟି ମାଗିଥିବି ସେମାନେ ଏହାକୁ ପ୍ରମାଣ କରି ଦେଖାନ୍ତୁ। ନଚେତ ସେମାନଙ୍କ ବିରୋଧରେ ମୁଁ ମାନହାନି ମକଦ୍ଦମା ରୁଜୁ କରିବି। ମୁଁ ବିଧାୟକ ହେବା ପରଠୁ ବିଧାନସଭାରେ ମଦ ବନ୍ଦ ପାଇଁ କଥା ଉଠାଇଥିଲି। ଏହି ଅଭିଯାନ ଆମର ଆଗକୁ ଜାରି ରହିବ। ବିଧାୟକଙ୍କୁ କୋରାପୁଟ ସାଂସଦ ମଧ୍ୟ ସମର୍ଥନ ଜଣାଇଛନ୍ତି।
ଲକ୍ଷ୍ମୀପୁର ବିଜେପି ଦଳ ତରଫରୁ ଏହା ଏକ ଦୁର୍ଭାଗ୍ୟ ଘଟଣା ବୋଲି କୁହାଯାଇଛି। ଜଣେ ବିଧାୟକ ବଟି ମାଗିବା ଭଳି ଅଭିଯୋଗକୁ କଂଗ୍ରେସ ତୀବ୍ର ନିନ୍ଦା କରିଛି। ସାଂସଦ ସପ୍ତଗିରି ଉଲ୍ଲକା ଓ ବିଧାୟକ ପବିତ୍ର ସାଉଁନ୍ତା ସାମ୍ବାଦିକ ସମିଳନୀ ଜରିଆରେ ତାଙ୍କର ସ୍ପଷ୍ଟୀକରଣ ରଖିବା ସହିତ ଅଞ୍ଚଳରେ ମଦ ବନ୍ଦ କରିବା ସକାଶେ ଦାବି କରିଛନ୍ତି।
ସୂଚନାଯୋଗ୍ୟ, ବିଧାୟକ ପବିତ୍ର ସାଉଁତାଙ୍କୁ ପୂର୍ବତନ ବିଧାୟକ କୈଳାଶ କୁଲେସିକା ବିରୋଧ କରିବା ନିନ୍ଦନୀୟ ଘଟଣାରେ ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀରେ ମଦ କାରବାରକୁ ନେଇ କିଛି ଦିନ ହେଲା ରାଜନୀତି ସରଗରମ ଜାରି ରହିଛି। ରାଜନେତା ଓ ଲାଇସେନ୍ସ ପ୍ରାପ୍ତ ମଦଦୋକାନୀ ମାଲିକଙ୍କ ମଧ୍ୟରେ ଏକ ପ୍ରକାର ଶୀତଳ ଯୁଦ୍ଧ ଆରମ୍ଭ ହୋଇଯାଇଛି। କିଛି ଦିନ ତଳେ ନିର୍ବାଚନ ମଣ୍ଡଳୀରେ ଥିବା ସମସ୍ତ ବିଦେଶୀ ମଦ ଦୋକାନ ଓ ଦେଶୀ ମଦଭାଟିଗୁଡ଼ିକରେ ଅପମିଶ୍ରିତ ମଦ ବିକ୍ରି ହେଉଥିବା ଅଭିଯୋଗ କରି ଲକ୍ଷ୍ମୀପୁର ବିଧାୟକ ପବିତ୍ର ସାଉଁନ୍ତା କଂଗ୍ରେସ କର୍ମୀଙ୍କୁ ଧରି ତାଲା ଠୁଙ୍କିଥିଲେ। ଏପରିକି ବିଧାୟକ ତାଲା ପକାଇବାର ଗୋଟିଏ ଦିନ ପରେ ପ୍ରଶାସନ ସମସ୍ତ ଦୋକାନର ତାଲା ଖୋଲିଥିଲା। ଏଥି ସହ ମଦ ଦୋକାନ ମାଲିକମାନେ ବିଧାୟକ କୁଆଡ଼େ ମାସିକ ବଟି ମାଗୁଥିବା ଅଭିଯୋଗ କରି ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲେ।

Shrutilipi ad