Ewr

ସୂଚନା ଅଧିକାର ଆଇନକୁ ବେଖାତିର, ଅର୍ଥ ଦଣ୍ଡରେ ଦଣ୍ଡିତ ହେଲେ ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ

ରାଜ୍ୟ

ଆଗରପଡ଼ା :ସୂଚନା ଅଧିକାର ଆଇନକୁ ବେଖାତିର କରି ତତ୍କାଳୀନ ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଳକ ମଙ୍ଗଳ ସଂପ୍ରସାରଣ ଅଧିକାରୀ ଓ ବର୍ତ୍ତମାନ ସୁନ୍ଦରଗଡ଼ ଜିଲ୍ଲା ଅତିରିକ୍ତ ମଙ୍ଗଳ ଅଧିକାରୀଙ୍କୁ ରାଜ୍ୟ ସୂଚନା ଆୟୋଗ ଅର୍ଥ ଦଣ୍ଡରେ ଦଣ୍ଡିତ କରିଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ;ଗତ ୨୦୨୧ ମାର୍ଚ୍ଚ ୨୫ ତାରିଖରେ ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ବ୍ଳକ ଉନ୍ନୟନ ଅଧିକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଜନ ସୂଚନା ଅଧିକାରୀଙ୍କୁ ବିକାଶ ଧଳ ନାମକ ଜନୈକ ସୂଚନା ଅଧିକାର କର୍ମୀ ସୂଚନା ଅଧିକାର ଆଇନ ବଳରେ ବ୍ଳକର କିଛି ତଥ୍ୟ ମାଗିଥିଲେ । କିନ୍ତୁ ଜନ ସୂଚନା ଅଧିକାରୀ ସମୟସୀମା ମଧ୍ୟରେ ତଥ୍ୟ ପ୍ରଦାନ ନ କରିବାରୁ ଶ୍ରୀ ଧଳ ୨୦୨୧ ଜୁନ ମାସ ୨୩ ତାରିଖରେ ପ୍ରଥମ ଅପିଲ କରିଥିଲେ । ପ୍ରଥମ ଅପିଲରେ ମଧ୍ୟ ତାଙ୍କୁ ତଥ୍ୟ ପ୍ରଦାନ କରାନଯିବାରୁ ସେ ରାଜ୍ୟ ସୂଚନା ଆୟୋଗଙ୍କ ଠାରେ ଅଭିଯୋଗ କରିଥିଲେ । ତାଙ୍କ ଅଭିଯୋଗକୁ ଗ୍ରହଣ କରି ୨୦୨୫ ଏପ୍ରିଲ ମାସ ୪ ତାରିଖରେ ରାଜ୍ୟ ସୂଚନା ଆୟୋଗ ଏକ ରାୟ ପ୍ରକାଶ କରିଥିଲେ ସେଥିରେ ସେ ବ୍ଳକ ଜନ ସୂଚନା ଅଧିକାରୀଙ୍କୁ ଆୟୋଗଙ୍କ କାର୍ଯ୍ୟାଳୟରେ ନିର୍ଦ୍ଦାରିତ ତାରିଖରେ ଉପସ୍ଥିତ ରହି ନିଜ ପକ୍ଷ ରଖିବାକୁ କହିଥିଲେ । ଏବଂ ପରବର୍ତ୍ତୀ ସମୟରେ ଜିଲ୍ଲାପାଳ ଭଦ୍ରକଙ୍କ ମାଧ୍ୟମରେ ବିଡ଼ିଓ,ଚାନ୍ଦବାଲିଙ୍କୁ ନିଜେ ଉପସ୍ଥିତ ରହି ନିଜ ପକ୍ଷ ରଖିବା ସହ ଯେହେତୁ ଅଧିକାରୀ ସୂଚନା ଅଧିକାର ଆଇନକୁ ଅବମାନନା କରିଛନ୍ତି ତେଣୁ କାହିଁକି ତାଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବନାହିଁ ତାର କାରଣ ଦର୍ଶାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଗତ ୯ତାରିଖରେ ସୂଚନା ଆୟୋଗଙ୍କ ତରଫରୁ ପ୍ରକାଶ ପାଇଥିବା ଆଦେଶ ଅନୁସାରେ ଏପ୍ରିଲ ମାସ ୪ ତାରିଖରେ ଦିଆଯାଇଥିବା ନିର୍ଦ୍ଦେଶକୁ ତତ୍କାଳୀନ ଚାନ୍ଦବାଲି ବ୍ଳକ ମଙ୍ଗଳ ସଂପ୍ରସାରଣ ଅଧିକାରୀ ତଥା ଜନ ସୂଚନା ଅଧିକାରୀ ଓ ବର୍ତ୍ତମାନ ସୁନ୍ଦରଗଡ଼ ଜିଲ୍ଲା ଅତିରିକ୍ତ ମଙ୍ଗଳ ଅଧିକାରୀ ବିବେକାନନ୍ଦ ମହାନ୍ତି ଅବମାନନା କରିଥିବାରୁ ତାଙ୍କୁ ୫ହଜାର ଟଙ୍କା ଅର୍ଥ ଦଣ୍ଡରେ ଦଣ୍ଡିତ କରିବା ସହ ଆଦେଶ ପାଇବାର ୩୦ଦିନ ମଧ୍ୟରେ ଉକ୍ତ ଅର୍ଥ ପୈଠ କରିବାକୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି ।

Shrutilipi ad