ବ୍ଳକ ସ୍ତରୀୟ ଷ୍ଟାଡ଼ିୟମ ନିର୍ମାଣ ନିମନ୍ତେ ଜିଲ୍ଲାପାଳଙ୍କୁ ଦାବିପତ୍ର

ରାଜ୍ୟ

ଆଗରପଡ଼ା :ଗତ ମଙ୍ଗଳବାର ବନ୍ତ ବ୍ଲକରେ ଜିଲ୍ଲାପାଳଙ୍କ ଦ୍ୱାରା ଅନୁଷ୍ଠିତ ହୋଇଥିବା ଜନ ଅଭିଯୋଗ ଶୁଣାଣିରେ ବ୍ଲକର ପୂର୍ବତନ ଅଧ୍ୟକ୍ଷ ଓ ଟିଲୋ ପଂଚାୟତର ପୂର୍ବତନ ସରପଂଚ ସମୁହ ଟିଲୋ ନେହ୍ନୁଆଁ ପଡ଼ିଆ ଠାରେ ବ୍ଲକ୍ ସ୍ତରୀୟ ଷ୍ଟାଡିୟମ୍ ନିର୍ମାଣ ନିମନ୍ତେ ଏକ ଦାବିପତ୍ର ଜିଲ୍ଲାପାଳଙ୍କୁ ଦେଇଥିବା ଜଣାପଡ଼ିଛି । ଟିଲୋ ଗ୍ରାମ ପଂଚାୟତଟି ତେରଗୋଟି ସାହିକୁ ନେଇ ଗଠିତ । ଏଠାକାର ଲୋକସଂଖ୍ୟା ୨୦ ହଜାରରୁ ଉର୍ଦ୍ଧ୍ୱ ହୋଇଥିବା ବେଳେ ସ୍ଥାନୀୟ ଜନସାଧାରଣ ତଥା ଯୁବ ପ୍ରତିଭାଙ୍କ କ୍ରୀଡ଼ାର ବିକାଶ ପାଇଁ ଏଠାରେ ଖେଳ ପଡ଼ିଆଟିଏ ନାହିଁ । ତେଣୁ ପଂଚାୟତ ମଧ୍ୟସ୍ଥଳୀ ନେହ୍ନୁଆଁ ପଡ଼ିଆ ଠାରେ ଥିବା ପ୍ରାୟ ୧୫ ଏକର ପରିମିତ ସରକାରୀ ଜମି (ମୌଜା-ଟିଲୋ, ଖାତା ନଂ.୯୪୮, ରକ୍ଷିତ ଅନାବାଦୀ, ପ୍ଳଟ ନଂ.୫୭୭, ୫୭୭୯ ଓ ୫୭୮୦)ର କିଛି ଅଂଶରେ ଏକ ଉନ୍ନତ ଶ୍ରେଣୀର ବ୍ଲକ୍ ସ୍ତରୀୟ ଷ୍ଟାଡିୟମ୍ ନିର୍ମାଣ କରାଗଲେ, ସମସ୍ତ ସ୍ଥାନୀୟ ଯୁବ ତଥା ଶିଶୁ ପ୍ରତିଭାମାନଙ୍କ କ୍ରୀଡ଼ାର ବିକାଶ ହୋଇପାରିବ । ତେଣୁ ଟିଲୋ ମାଳିସାହି ଏବଂ କୁଶବେଂଟି ନିକଟସ୍ଥ ନେହ୍ନୁଆଁ ପଡ଼ିଆରେ, ଯେଉଁଠି ବର୍ତମାନ ଗ୍ରାମର ଛୋଟ ପିଲାମାନଙ୍କ ଠାରୁ ଆରମ୍ଭ କରି ଯୁବକମାନେ ଦୀର୍ଘ ବର୍ଷ ଧରି ଦୈନନ୍ଦିନ କ୍ରୀଡ଼ାଭ୍ୟାସ ଜାରି ରଖୁଛନ୍ତି, ସେଠାରେ ଯଥାଶୀଘ୍ର ଉପରୋକ୍ତ ବ୍ଲକ୍ ସ୍ତରୀୟ ଷ୍ଟାଡିୟମ୍ ନିର୍ମାଣର ବନ୍ଦୋବସ୍ତ ସହ ଏଥି ନିମନ୍ତେ ଆବଶ୍ୟକୀୟ ଅର୍ଥ ମଂଜୁର କରାଇବାକୁ ସେମାନେ ନିବେଦନ କରିଥିବା ଜଣାପଡ଼ିଛି ପ୍ରକାଶ ଥାଉ କି; ପଂୟୟତରେ ଥିବା ଅନ୍ୟ ଏକ ହନୁମାନଜୀଉ ନାମିତ ଖେଳପଡ଼ିଆଟି (ଦେବତାଗଡ଼ିଆ ରାସ୍ତା କଡ଼ରେ ଅବସ୍ଥିତ) ଏହା କେବଳ ଏକ ଟୁର୍ଣାମେଣ୍ଟରେ ସୀମିତ ରହିଛି । ତେଣୁ ବିଭିନ୍ନ ସମୟରେ ବିଭିନ୍ନ ଟୁର୍ଣାମେଣ୍ଟ ଯଥା-ଭଲିବଲ, ହ୍ୟାଣ୍ଡବଲ, ବ୍ୟାଡମିଣ୍ଟନ ଓ କ୍ରିକେଟ ଆଦି ଖେଳକୁ ପଡ଼ିଆ ଅଭାବରୁ ବାଧ୍ୟ ହୋଇ ବିଲ ଭିତରେ ଅନୁଷ୍ଠିତ ହେଉଅଛି । ତେଣୁ ଫସଲ ଅମଳା ସମୟରେ ଅଂଚଳବାସୀ ଖେଳରୁ ବଂଚିତ ହେଉଥିବା ପତ୍ରରେ ଉଲ୍ଲେଖ କରିଛନ୍ତି ।

Shrutilipi ad