Photo1 for the news of sitalabhandara

ଶୀତଳଭଣ୍ଡାର ନଥିବାରୁ ଚାଷୀ ଅଭାବୀ ବିକ୍ରିର ଶିକାର

ରାଜ୍ୟ

ଆଗରପଡ଼ା :ଓଡ଼ିଶା ଏକ କୃଷି ପ୍ରଧାନ ରାଜ୍ୟ ହୋଇଥିବାରୁ କେନ୍ଦ୍ର ଠାରୁ ଆରମ୍ଭ କରି ରାଜ୍ୟ ସରକାର ପର୍ଯ୍ୟନ୍ତ ସମସ୍ତେ କୃଷି ଓ କୃଷକର ଉନ୍ନତି ପାଇଁ ବହୁମୁଖି ଯୋଜନା ପ୍ରସୃତ କରିଛନ୍ତି । ତତ୍ ସହିତ ଏକାଦଶ ଯୋଜନାରେ ୪ପ୍ରତିଶତ କୃଷିର ଅଭିବୃଦ୍ଧିକରି କୃଷକମାନଙ୍କ ଆର୍ଥିକ ମାନଦଣ୍ଡକୁ ସୁଦୃଢ଼ କରିବା ପାଇଁ ସରକାର ୨୦୦୮ ମସିହା ରେ ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା କାର୍ଯ୍ୟକାରୀ କରିବା ସହ ୨୦୨୪ ସୁଦ୍ଧା ସେମାନଙ୍କର ଆୟ ଦୁଇ ଗୁଣ ବୃଦ୍ଧିପାଇଁ ପରିକଳ୍ପନା କରି ଏହାର ସଫଳ ରୂପାୟନପାଇଁ ପ୍ରତି ବ୍ଲକରେ ପ୍ରତିଷ୍ଟା କରିଛନ୍ତି କୃଷି ସୂଚନା ପରାମର୍ଶକେନ୍ଦ୍ର । ଉକ୍ତ କେନ୍ଦ୍ର ମାଧ୍ୟମରେ ଚାଷୀ ମାନଙ୍କୁ ଆବଶ୍ୟକୀୟ କୃଷି ସାମଗ୍ରୀ ସହ ଉଚିତ ପରାମର୍ଶ ପ୍ରଦାନ ମଧ୍ୟ କରୁଛନ୍ତି । କିନ୍ତୁ ଚାଷୀଙ୍କ ଦ୍ୱାରା ବହୁ କଷ୍ଟରେ ଉପ୍ତାଦିତ ପନିପରିବାର ସଂରକ୍ଷଣ ପାଇଁ ଶୀତଳଭଣ୍ଡାର ନଥିବାରୁ ସେମାନେ ଅଭାବୀ ବିକ୍ରିର ଶିକାର ହେଉଛନ୍ତି । ବ୍ଲକ ଅଧିନରେ ଥିବା ୧୮ଜହାର ୮ଶହ ୬୫ହେକ୍ଟର ଚାଷଜମି ଥିବାରୁ ଏଥିରେ ଧାନ ଚାଷ କରାଯାଇଥିଲେ ମଧ୍ୟ ବିଭିନ୍ନ ପଂଚାୟତରେ ଏକ ହଜାରରୁ ଉର୍ଦ୍ଧ ଜମିରେ ବିଭିନ୍ନ ଡ଼ାଲିଜାତୀୟ ଫସଲ ସହ ବିଭିନ୍ନ ପ୍ରକାରର ପନିପରିବା ଚାଷ କରାଯାଏ । ପରିବା ଚାଷ ପାଇଁ ଏହି ଅଂଚଳ ବେଶ ପରିଚିତ ହୋଇଛି । ତନ୍ମଧ୍ୟରୁ ଛୟାଳସିଂହ, କାଦବରାଙ୍ଗ, ଓଡଙ୍ଗ,ଅଣିଜୋ,ଗୋପିନାଥପୁର,ବଡ଼ମଇଁଷଗୋଠ, ବଡ଼ବଚ୍ଚିକୟାଁ,ରାମପୁର ଓ ନିଳୋକ ସହ ଅନ୍ୟାନ୍ୟ ପଂଚାୟତରେ ଧାନ ଚାଷ ପରେ ରବି ଋତୁରେ ଡ଼ାଲିଜାତୀୟ ଶଷ୍ୟ ସହ ବିଭିନ୍ନ ପନି ପରିବା ଭେଣ୍ଡି,କଲରା,ବିଲାତି,ବାଇଗଣ,ଜହ୍ନି,କାକୁଡ଼ି,ଲଙ୍କା,ମକା,ବୋଇତିକଖାରୁ ସହ ଅନ୍ୟାନ୍ୟ ପନିପରିବା ଚାଷ କରାଯାଏ । ଏହି ପଂଚାୟତରେ ଚାଷୀ ଦୀର୍ଘବର୍ଷ ଧରି ଏହାକୁ ନିଜର ଜୀବନ ଆଉ ଜୀବିକା ଭାବେ ଗ୍ରହଣ କରି ନିଜର ଗୁଜୁରାଣ ମେଣ୍ଟାଇବା ସହ ଉକ୍ତ ଅଂଚଳଳକୁ ସବୁଜ ପନିପରିବା ଯୋଗାଇଥାନ୍ତି । । ତେବେ ଏଠାରେ ପରିବା ସଂରକ୍ଷଣ ପାଇଁ ଶୀତଳଭଣ୍ଡାର ନଥିବାରୁ ଉଭୟ ଚାଷୀ ଓ ଖାଉଟି କ୍ଷତିରେ ପଡ଼ୁଛନ୍ତି । ପରିବା ଉତ୍ପାଦନ ସମୟରେ ଦର ବହୁ କମିଯାଉଥିବାରୁ ଚାଷୀ କ୍ଷତିରେ ପଡ଼ୁଛନ୍ତି । ସେହିପରି ଅନ୍ୟ ଦିନରେ ପରିବା ପାଇଁ ଅନ୍ୟ ରାଜ୍ୟ ଉପରେ ନିର୍ଭର କରିବାକୁ ପଡୁଥିବାରୁ ପରିବା ଦର ଆକାଶଛୁଆଁ ହେବାରୁ ଖାଉଟି ଚିନ୍ତାରେ ପଡ଼ୁଛନ୍ତି । ତେଣୁ ଶୀତଳଭଣ୍ଡାର ନିର୍ମାଣ ହୋଇପାରିଲେ ପରିବା ଉତ୍ପାଦନ ସମୟରେ ତାହାକୁ ସଂରକ୍ଷଣ କରାଯାଇ ଅନ୍ୟ ଦିନରେ ଚାହିଦା ମେଣ୍ଟାଇ ହୁଅନ୍ତା ଓ ଏହାଦ୍ୱାରା ଉଭୟ ଚାଷୀ ଓ ଖାଉଟି ଲାଭବାନ ହୁଅନ୍ତେ । ତେଣୁ ବ୍ଲକ କିମ୍ବା ଯେଉଁ ସ୍ଥାନରେ ଅଧିକ ପରିବା ଉପ୍ତାଦନ ହେଉଛି ସେହି ସ୍ଥାନରେ ଶୀତଳଭଣ୍ଡାର ନିର୍ମାଣ ଦିଗରେ ସରକାର ବିହିତ ପଦକ୍ଷେପ ନେଲେ ପରିବା ଚାଷୀ ଓ ଖାଉଟି ଉପକୃତ ହୋଇପାରନ୍ତେ । ତେଣୁ ଘୋଷଣାରେ ଶୀତଳଭଣ୍ଡାର ନିର୍ମାଣକୁ ସିମୀତ ନରଖି ସରକାର ଏହାର ନିର୍ମାଣ ଦିଗରେ ତତ୍ପର ହେବାର ଆବଶ୍ୟକତା ରହିଥିବାର ଚର୍ଚ୍ଚା ହେଉଛି ।

Shrutilipi ad