Ro

ଚକ୍ରାପାଢ଼ୀ-ଇଟୁଆ ରାସ୍ତା ବିପର୍ଯ୍ୟସ୍ତ, ଅସରାଏ ବର୍ଷାରେ ରାସ୍ତାରେ ଆଣ୍ଠୁଏ ପାଣି

ରାଜ୍ୟ

ଆଗରପଡ଼ା : ଗମନାଗମନର ସୁବିଧା ପାଇଁ ସରକାର କୋଟିକୋଟି ଟଙ୍କା ଖର୍ଚ୍ଚ କରି ରାସ୍ତା ନିର୍ମାଣ କରୁଛନ୍ତି । ହେଲେ ବିଭାଗୀୟ ଅଧିକାରୀଙ୍କ ଇଚ୍ଛା ଶକ୍ତିର ଅଭାବ ଯୋଗୁଁ ବର୍ଷାଧିକ କାଳ ପରେ ମଧ୍ୟ ରାସ୍ତା ମରାମତି ହୋଇ ପାରୁନଥିବାରୁ ଅସରାଏ ବର୍ଷାରେ ରାସ୍ତାରେ ଆଣ୍ଠୁଏ ପାଣି ଜମି ରହିବା ଫଳରେ ଯାତାୟାତରେ ସମସ୍ୟା ସୃଷ୍ଟି ହେଉଛି । ଚକ୍ରାପାଢୀ ଠାରୁ ଇଟୁଆକୁ ଲମ୍ବିଥିବା ୫୦୦ ମିଟର ରାସ୍ତାରେ ଏହିପରି ଦୃଷ୍ଠାନ୍ତ ଦେଖିବାକୁ ମିଳିଛି । ଚାରିଗାଁ ପଂଚାୟତ ଅନ୍ତର୍ଗତ ଚକ୍ରାପାଢ଼ୀ-ଇଟୁଆ ରାସ୍ତା ଶୋଚନୀୟ ଭାବେ ଖରାପ ହୋଇ ପଡ଼ିଛି । ରାସ୍ତା ସାରା ଖାଲଖମାରେ ଭର୍ତ୍ତି, ମେଟାଲ ଗୁଡ଼ିକ ରାସ୍ତାରୁ ଉଠି ଯାଇଛି । ଅନ୍ଧାର ରାତିରେ ଯିବା ଅର୍ଥ ବିପଦକୁ ଆମନ୍ତ୍ରଣ କରିବା । ରାସ୍ତା ସମସ୍ୟା ଯୋଗୁଁ ପ୍ରତିଦିନ ବାଇକ୍ ଆରୋହୀମାନେ ପଡ଼ି ଖଣ୍ଡିଆ ଖାବରା ହେଉଥିବାର ପରିଲକ୍ଷିତ ହେଉଛି । ସହର ବଜାରଠାରୁ ଆରମ୍ଭ କରି ଗାଁ ଗଣ୍ଡା ରାସ୍ତାଗୁଡ଼ିକ କଂକ୍ରିଟ୍ କରାଯାଉଥିବାର ସରକାର ଡିଣ୍ଡିମ ପିଟୁ ଥିବାବେଳେ ଚକ୍ରାପାଢ଼ୀ ଠାରୁ ଇଟୁଆକୁ ଲମ୍ବିଥିବା ମାତ୍ର ୫ଶହ ମିଟର ରାସ୍ତାରୁ ୪ଶହ ମିଟର କଂକ୍ରିଟ୍ ହୋଇ ନ ପାରିବା ବିଡ଼ମ୍ବନା ବିଷୟ । ଏହି ରାସ୍ତା ଦେଇ ପ୍ରତିଦିନ ବାଲେଶ୍ୱର ଜିଲ୍ଲା ବିଷ୍ଣୁପୁର, ବରଦା, ଗରଡ଼ି, ଗଡ଼ସଂଗ, ଅନ୍ତରା, ନିରଞ୍ଜନବିନ୍ଧା ଆଦିର ଗ୍ରାମବାସୀମାନେ ଯାଆଆସ କରିଥାନ୍ତି । ଏଥି ସହିତ ଏହି ରାସ୍ତାଟି ମଧ୍ୟ ଆଗରପଡ଼ା-ଭଦ୍ରକକୁ ସଂଯୋଗ କରୁଛି । ପ୍ରାୟ ୧୫ ବର୍ଷ ତଳେ ରାସ୍ତାଟି ନିର୍ମାଣ କରା ଯାଇଥିଲା । ଏହାପରେ ଏଠାରେ ମୋରମ ମୁଠାଏ ପଡ଼ି ପାରିନାହିଁ । ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ସଞ୍ଜୟ ପଣ୍ଡା, ପତିତ କର, ଜୀବନ ପଣ୍ଡା, ଶିବ ପ୍ରସାଦ ସାହୁ ପ୍ରମୁଖ ଗ୍ରାମବାସୀମାନେ ଦାବି କରିବା ସହ ତୁରନ୍ତ ମରାମତି କାର୍ଯ୍ୟ ନ ହେଲେ ଆନ୍ଦୋଳନ କରିବେ ବୋଲି ଦୃଢ଼ ଚେତାବନୀ ଦେଇଛନ୍ତି ।

Shrutilipi ad