Photo for the news of weight machine

ଠକେଇର ଶିକାର ହେଉଛନ୍ତି ଗ୍ରାହକ, ନିଷ୍କ୍ରିୟ ପାଲଟିଛି ଲିଗାଲ ମେଟ୍ରୋଲୋଜି ବିଭାଗ

ରାଜ୍ୟ

ଆଗରପଡ଼ା : ଖାଉଟି ସାମଗ୍ରୀର ଅହେତୁକ ମୂଲ୍ୟ ବୃଦ୍ଧି ଗ୍ରାହକଙ୍କ ମେରୁଦଣ୍ଡକୁ ଦୋହଲାଇ ଦେଇଥିବା ବେଳେ ବିଭିନ୍ନ ସାମଗ୍ରୀର ଓଜନରେ ଠକେଇ ଖାଉଟିଙ୍କ ଲାଗି ବୋଝ ଉପରେ ନଳିତା ବିତା ସଦୃଶ ହୋଇଥିବା ପରିଲକ୍ଷିତ ହେଉଛି । ଖାଲି ସେତିକି ନୁହେଁ କମ୍ପାନୀ ପ୍ୟାକେଟରେ ସାମଗ୍ରୀ ପରିମାଣରେ ତାରତମ୍ୟ ମଧ୍ୟ ପରିଲକ୍ଷିତ ହେଉଛି । ଆଖି ସାମ୍ନାରେ ଏହି ସବୁ ପରିଲକ୍ଷିତ ହେଉଛି ସତ କିନ୍ତୁ ଯେଉଁ ଓଜନ ନିକିତି ବା ମେସିନ କଣ୍ଟାରେ ତାହା କରାଯାଉଛି, ତାହା କେତେ ଠିକ ତାକୁ ଦେଖିବାକୁ କେହିବି ନାହାନ୍ତି । ଏହିପରି ସ୍ଥଳେ ବୈଧମାପ ବିଜ୍ଞାନ ବା ଲିଗାଲ ମେଟ୍ରୋଲୋଜି ବିଭାଗ ଦୃଢ଼ ପଦକ୍ଷେପ ନେଉନଥିବାରୁ ଦିନକୁ ଦିନ ଠକେଇ ବଢିବାରେ ଲାଗିଛି । ଏଥିରେ କିଛି ଅସାଧୁ ବ୍ୟବସାୟୀ ମାଲେମାଲ ହେଉଥିବା ବେଳେ ଖାଉଟି ତଳି ତଳାନ୍ତ ହେବାରେ ଲାଗିଛନ୍ତି । କେତେକ ଅସାଧୁ ବ୍ୟବସାୟୀ ଗ୍ରାହକକୁ ଲୁଟି ବେଶ ଲାଭବାନ ହେଉଥିଲା ବେଳେ ସେମାନଙ୍କୁ ଦଣ୍ଡିତ କରିବା ତ ଦୂରର କଥା ଯାଞ୍ଚଚ କାର୍ଯ୍ୟ ବି ଠିକ ଢ଼ଙ୍ଗରେ ହେଉନାହିଁ । ପରିବା ଦୋକାନ, ଫଳ ଦୋକାନ, ଆମିଷ ଏବଂ ରାସନ ଦୋକାନରେ ମାତ୍ରାଧିକ ଓଜନରେ ଠକେଇ ହେଉଥିବା ଅଭିଯୋଗ ହେଉଛି ।

କେତେକ ବ୍ୟବସାୟୀଙ୍କ ନିକଟରେ ନିକିତି ଥିବା ବେଳେ ଆଉ କେତେକ ବ୍ୟବସାୟୀଙ୍କ ପାଖରେ ଡିଜିଟାଲ ଓଜନ ମେସିନ ରହିଛି ଯାହା ଫଳରେ ନିକିତିରେ ଗ୍ରାହକଙ୍କୁ ଠକେଇ କରିବା ସୁବିଧା ହେଉଛି । ଗ୍ରାହକଟି ଟିକିଏ ଅନ୍ୟମନସ୍କ ହେଲେ ଠକିଯିବାର ଯଥେଷ୍ଟ ସମ୍ଭାବନା ରହିଛି । ସେହିପରି ନିକିତି ତଳେ ଦୁମ୍ବକ ଲଗାଇ ଓଜନରେ ଠକେଇ କରାଯାଉଥିବା ବେଳେ ସଠିକ ବଟକରା ବଦଳରେ ଘୋରି ହୋଇଯାଇଥିବା ଦଟକରା ବ୍ୟବହାର କରାଯାଉଛି । ଯେଉଁମାନେ ଡ଼ିଜିଟାଲ ଓଜନ ମେସିନ ରଖିଛନ୍ତି, ସେଥିମଧ୍ୟରୁ କେତେକ ମେସିନରେ ଓଜନ ଦେଖାଉଥିବା ସଂଖ୍ୟା(ଡ଼ିସପ୍ଲେ) ଖରାପ କିମ୍ବା ଠିକ୍ ଭାବେ ଦେଖାଯାଉ ନଥିଲେ ବି ସେହି ମେସିନ କଣ୍ଟା ରେ ଓଜନ କରାଯାଉଛି । ରାସନ ଦୋକାନରେ ବହୁ ବ୍ୟବସାୟୀ ଗ୍ରାହକଙ୍କୁ ବିଭିନ୍ନ ଅସଦ ଉପାୟ ଅବଲମ୍ବନ କରି ଠକେଇ କରୁଥିବାର ଅଭିଯୋଗ ମଧ୍ୟ ହେଉଛି । ବିଶେଷ କରି ବନ୍ତ ବ୍ଲକରେ ୨୫ଗୋଟି ପଂଚାୟତର ବିଭିନ୍ନ ଗାଁ ଏବଂ ଗଳିକନ୍ଦିରେ ଥିବା ଦୋକାନ ଗୁଡିକରେ ଅଧିକାଂଶ ଠକେଇ ହେଉଥିବା ଦେଖିବାକୁ ମିଳୁଛି । ଏହାକୁ ନିୟନ୍ତ୍ରଣ କରିବା ପାଇଁ ଥିବା ବୈଧମାପ ବିଜ୍ଞାନ ବିଭାଗ ନିଷ୍କ୍ରିୟ ପାଲଟିଛି । ଅତ୍ୟାବଶ୍ୟକ ସାମଗ୍ରୀ ମହଙ୍ଗା ମାଡ଼ରେ ଗ୍ରାହକ ହନ୍ତସନ୍ତ ହେଉଥିଲା ବେଳେ ମାନ ଓଜନରେ ଠକେଇ ଗ୍ରାହକଙ୍କ ମେରୁଦଣ୍ଡକୁ ଭାଙ୍ଗି ଦେଇଥିବା ଦେଖିବାକୁ ମିଳୁଛି ।

Shrutilipi ad